ବେଗୁନିଆ: ସଚେତନତା ଏବଂ ପ୍ରଶାସନିକ କଟକଣା ଅଭାବରୁ ବେଗୁନିଆ ବ୍ଲକରେ ସଂକ୍ରମଣ ବୃଦ୍ଧି ପାଉଛି। ସଂକ୍ରମଣକୁ କିପରି ରୋକା ଯାଇପାରିବ ପ୍ରଶାସନ ସେ ବାବଦରେ ଚିନ୍ତା ନକରି ଯେଉଁଠାରେ ଜଣେ ସଂକ୍ରମିତ ଚିହ୍ନଟ ହେଉଛି ସେହି ସ୍ଥାନକୁ କାଗଜ କଲମରେ ଅଣୁ ଆବଦ୍ଧାଞ୍ଚଳ ଘୋଷଣା କରାଯାଉଛି। ସମ୍ପୃକ୍ତ ସ୍ଥାନରେ ନୋଡାଲ ଅଫିସରମାନଙ୍କ ଦ୍ୱାରା ଯେଉଁସବୁ ପଦକ୍ଷେପ ନିଆଯିବା କଥା ତାହା ନିଆଯାଉନାହିଁ ।ତଦାରଖ ଦାୟିତ୍ୱରେ ଥିବା ଅଧିକାରୀ ମଧ୍ୟ ଠିକ ଭାବରେ ତଦାରଖ କରୁନଥିବାର ଅଭିଯୋଗ ହେଉଛି ।ତହସିଲଦାର ପୃଥ୍ୱୀରାଜ ମଣ୍ଡଳଙ୍କ ସୁପାରିଶ କ୍ରମେ ଉପଜିଲ୍ଲାପାଳ ଅଶୋକକୁମାର ବେହୁରିଆ ୩ଟି ପଞ୍ଚାୟତର ୩ ଟି ଗ୍ରାମକୁ ଅଣୁ ଆବଦ୍ଧାଞ୍ଚଳ ଘୋଷଣା କରିଛନ୍ତି। ଏହି ବ୍ଲକର ସାରୁଅ ପଞ୍ଚାୟତ ଅଧିନସ୍ଥ ସାରୁଅ ଗ୍ରାମରେ ଜଣେ କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ୬୦ ପରିବାରର ୩୧୫ ଲୋକ ବସ ବାସ କରୁଥିବା କାବୁଲି ବେହେରାଙ୍କ ଘର ଠାରୁ ଲିଟୁ ପାଣିଗ୍ରାହୀଙ୍କ ଘର ପର୍ଯ୍ୟନ୍ତ ,ଦୁର୍ଗାପୁର ପଞ୍ଚାୟତର ବେଙ୍ଗିଟାଙ୍ଗୀ(ନୂଆସାହି)ରେ ୪ ଜଣ ସଂକ୍ରମିତ ଚିହ୍ନଟ ହେବା ପରେ ୪୦ ପରିବାରର ୨୫୦ ଲୋକ ବସ ବାସ କରୁଥିବା ଲୋଚନ ପ୍ରଧାନଙ୍କ ଘର ଠାରୁ ଶ୍ୟାମସୁନ୍ଦର ସାମନ୍ତସିଂହାରଙ୍କ ଘର ପର୍ଯ୍ୟନ୍ତ ଏବଂ ହୀରାପୁର ପଂଚାୟତ ଅଧିନସ୍ଥ ଯାଲଭାର ଗ୍ରାମରେ ଜଣେ ସଂକ୍ରମିତ ଚିହ୍ନଟ ହେବା ପରେ ୫୦ ପରିବାରର ୧୪୮ ଲୋକ ବସ ବାସ କରୁଥିବା ବନମାଳୀ ସାମନ୍ତରାୟଙ୍କ ଘର ଠାରୁ ମାଗୁଣି ପାଟଶାଣୀଙ୍କ ଘର ପର୍ଯ୍ୟନ୍ତ ଅଣୁ ଆବଦ୍ଧାଞ୍ଚଳ ଘୋଷଣା କରାଯାଇଛି। ଏହି ସବୁ ସ୍ଥାନକୁ ୬ ତାରିଖ ସନ୍ଧ୍ୟା ୭ ଟାରୁ ୧୫ ତାରିଖ ରାତି ୯ ଟା ପର୍ଯ୍ୟନ୍ତ ଅଣୁ ଆବଦ୍ଧାଞ୍ଚଳ ଘୋଷଣା କରାଯାଇଛି। ସମ୍ପୃକ୍ତ ଗ୍ରାମ ଭିତରକୁ ବାହାର ଲୋକମାନଙ୍କ ପ୍ରବେଶ ଉପରେ କଟକଣା ଲଗାଯାଇଛି ।ସେହିପରି ସେହି ଗ୍ରାମର କୌଣସି ବ୍ୟକ୍ତି ବାହାରକୁ ବାହାରିବା ଉପରେ ମଧ୍ୟ କଟକଣା ଲଗାଯାଇଛି। ଏହି ସମୟ ମଧ୍ୟରେ ସମ୍ପୃକ୍ତ ଅଞ୍ଚଳକୁ ବିଶୋଧନ କରାଯିବା ସହ କରୋନା ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କୁ ଚିହ୍ନଟ କରାଯିବ।
ଏହି ଆବଦ୍ଧାଞ୍ଚଳ ଗୁଡିକରେ ନୋଡାଲ ଅଫିସର ଭାବେ ସମ୍ପୃକ୍ତ ପଞ୍ଚାୟତର ନିର୍ବାହୀ ଅଧିକାରୀ ଏବଂ ବ୍ଲକ ମାର୍କେଟିଙ୍ଗ ଇନସ୍ପେକ୍ଟର ,ବେଗୁନିଆ ଅଗ୍ନିଶମ ବିଭାଗ ଅଧିକାରୀ, ଗ୍ରାମ୍ୟ ଜଳଯୋଗାଣ ବିଭାଗ କନିଷ୍ଠ ଯନ୍ତ୍ରୀ ,ବୋତଳମା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଭାରପ୍ରାପ୍ତ ଅଧିକାରୀ ,ଏବଂ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀଙ୍କୁ ସେଠାରେ କାର୍ଯ୍ୟ ସମ୍ପାଦନ ପାଇଁ ଉପଜିଲ୍ଲାପାଳ ନିର୍ଦେଶ ଦେଇଛନ୍ତି। ଏଥି ସହିତ ବେଗୁନିଆ ବି ଡି ଓ ଙ୍କୁ ସମସ୍ତ କାର୍ଯ୍ୟର ତଦାରଖ ଦାଇତ୍ୱ ଦିଆଯାଇଛି। ଏହା ପୂର୍ବରୁ ବେଗୁନିଆ ବ୍ଲକର ବେଗୁନିଆ ,ପୋଡାଡିହ ,ବୋତଳମା ,ଦେଉଳି, କୁଂଜୁରୀ ହୀରାପୁର ,ସିକୋ ,ବାଘମାରୀ , ଦୁର୍ଗାପୁର ଏବଂ ସାରୁଅ ପଞ୍ଚାୟତର ୨୫ ଟି ସ୍ଥାନକୁ ଅଣୁ ଆବଦ୍ଧାଞ୍ଚଳ ଘୋଷଣା କରାଯାଇଥିଲା ।ଆଜିର ଏହି ଘୋଷଣା ପରେ ବ୍ଲକର ବିଭିନ୍ନ ପଞ୍ଚାୟତରେ ୨୮ ଟି ସ୍ଥାନକୁ ଅଣୁ ଆବଦ୍ଧାଞ୍ଚଳ ଭାବେ ଘୋଷଣା କରାଗଲା।



