ଗୋପାଳପୁର: ବ୍ରହ୍ମପୁର ବିଶ୍ଵବିଦ୍ୟାଳୟରେ ପ୍ରାଚୀନ ବୈଦିକ ତଥା ଦେବ ଭାଷା ସଂସ୍କୃତ ବିଷୟ ପାଇଁ ଏକ ଉତ୍ସର୍ଗୀକୃତ ବିଭାଗ ପ୍ରତିଷ୍ଠା ଲାଗି ଭଞ୍ଜ ବିହାର ବିଦ୍ୟାର୍ଥୀ ପରିଷଦ ପକ୍ଷରୁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଗୋପାଳପୁରଠାରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ସଂସ୍କୃତ ବିଭାଗ ପ୍ରତିଷ୍ଠା ସହ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ନାମକୁ ଇଂରାଜୀରେ ଲେଖିଲା ବେଳେ ‘ବେରେହମପୁର’ ଲେଖାଯାଇଛି, ଯାହା ଉଚ୍ଚାରଣଗତ ତୃଟି ଏବଂ ଉପହାସ ଭଳି ଲାଗୁଛି। ଏଣୁ ଇଂରାଜୀରେ ବ୍ରହ୍ମପୁର ଲେଖିବା, ସାମ୍ବାଦିକା ଓ ଗଣଯୋଗାଯୋଗ ବିଭାଗରେ ଏକ ଉତ୍ସର୍ଗୀକୃତ ଗୋଷ୍ଠୀ ବେତାର କେନ୍ଦ୍ର ଖୋଲାଯିବା, ଭଞ୍ଜ ବିହାର ପରିସର ମଧ୍ୟରେ ଶୈକ୍ଷିକ ବାତାବରଣକୁ ପ୍ରେରଣା ଯୋଗାଇବା ପାଇଁ ଏକ ବହୁବିଧ ସୁବିଧା କେନ୍ଦ୍ର ପ୍ରତିଷ୍ଠା, ଆଦିବାସୀ ଉତ୍କର୍ଷ ଶିକ୍ଷାକେନ୍ଦ୍ର ଆରମ୍ଭ କରିବା, ବିଶ୍ୱବିଦ୍ୟାଳୟର ଖାଲିଥିବା ସମସ୍ତ ଶୈକ୍ଷିକ ଓ ଅଣଶୈକ୍ଷିକ ପଦବୀ ପୂରଣ କରିବା ଆଦି ୫ ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରାଯାଇଥିଲା। ଭଞ୍ଜ ବିହାର ଶିକ୍ଷାର୍ଥୀ ପରିଷଦ ସଭାପତି ସ୍ବସ୍ତି ସୁନ୍ଦର ସିଅ ଏବଂ ସଂପାଦକ ବିକ୍ରମ କେଶରୀ ପଣ୍ଡାଙ୍କ ନେତୃତ୍ବରେ ଏହି ଦାବି ପତ୍ର ପ୍ରଦାନ କରାଯାଇଥିଲା।
ଅନ୍ୟମାନଙ୍କ ମଧ୍ୟରେ ଭଞ୍ଜ ବିହାର ଶିକ୍ଷାର୍ଥୀ ପରିଷଦର କାର୍ଯ୍ୟକାରିଣୀ ସଦସ୍ୟ ଶିଶିର କୁମାର ପ୍ରଧାନ, ରାଜ କିଶୋର ପ୍ରଧାନ, ରାଧା ମୋହନ ପଣ୍ଡା, ସାଇରମ ସାହୁ, ଶଙ୍କର ସେଠୀ, କାର୍ତ୍ତିକ ଡାକୁଆ, ଡି. ଚନ୍ଦ୍ର ଶେଖର ରେଡ୍ଡୀ ପ୍ରମୁଖ ଉପସ୍ଥିତ ଥିଲେ। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଆଗମୀ ଦିନରେ ସମସ୍ତ ଦାବି ଗୁଡ଼ିକ ପୂରଣ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ।



