ବିଧାନସଭା ନିର୍ବାଚନ ; ମେଘାଳୟରେ ୬୭%, ନାଗାଲାଣ୍ଡରେ ୭୫% ମତଦାନ

0

ନୂଆଦିଲ୍ଲୀ : ଉତ୍ତରପୂର୍ବାଞ୍ଚଳ ରାଜ୍ୟ ମେଘାଳୟ ଏବଂ ନାଗାଲାଣ୍ଡରେ ବିଧାନସଭା ନିର୍ବାଚନ ଲାଗି ମଙ୍ଗଳବାର ଶାନ୍ତିପୂର୍ଣ୍ଣ ଭାବେ ମତଦାନ ଶେଷ ହୋଇଛି। ମେଘାଳୟରେ ୬୭% ଏବଂ ନାଗାଲାଣ୍ଡରେ ୭୫% ଭୋଟର ମତାଧିକାର ସାବ୍ୟସ୍ତ କରିଛନ୍ତି। ଫଳରେ ଉଭୟ ରାଜ୍ୟରେ ଯଥାକ୍ରମେ ୩୭୦ ଓ ୨୨୭ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମ୍‌ରେ ସିଲ୍‌ ହୋଇଛି। ଉଭୟ ରାଜ୍ୟରେ ସକାଳ ୭ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ କରାଯାଇଛି। ମେଘାଳୟରେ ପୁରୁଷଙ୍କ ତୁଳନାରେ ଅଧିକ ମହିଳା ଭୋଟର ମତଦାନ କରିଥିବା ନୂଆଦିଲ୍ଲୀଠାରେ ଉପ ନିର୍ବାଚନ କମିଶନର ଚନ୍ଦ୍ର ଭୂଷଣ କୁମାର କହିଛନ୍ତି। ତେବେ ନାଗାଲାଣ୍ଡର କେତେକ ସ୍ଥାନରେ ହିଂସା ପରିସ୍ଥିତି ଉପୁଜିଥିଲା। ଏକ ଭୋଟ ଗ୍ରହଣ କେନ୍ଦ୍ର ବାହାରେ ବୋମା ମାଡ଼ରେ ଜଣେ ବ୍ୟକ୍ତି ଆହତ ହୋଇଛନ୍ତି। ଦୁଇଟି ଭୋଟ ଗ୍ରହଣ କେନ୍ଦ୍ରରେ ତିନୋଟି ଇଭିଏମ୍‌ ଅଚଳ ହୋଇପଡିଥିବା ଅଭିଯୋଗ ହୋଇଥିଲା। ଭୋଟରଙ୍କୁ ଉତ୍ସାହିତ କରିବା ଲାଗି ପ୍ରତ୍ୟେକ ଭୋଟ ଗ୍ରହଣ କେନ୍ଦ୍ରରେ ପ୍ରଥମ ୫ ଜଣ ଭୋଟରଙ୍କୁ ‘ସଅଳ ମତଦାତା ପଦକ’ ପ୍ରଦାନ କରାଯାଇଥିଲା।
ଏହା ପୂର୍ବରୁ ଫେବୃଆରୀ ୧୮ରେ ତ୍ରିପୁରାରେ ମତଦାନ ଶେଷ ହୋଇଛି। ମାର୍ଚ୍ଚ ୩ରେ ଏହି ତିନି ରାଜ୍ୟରେ ନିର୍ବାଚନ ଫଳାଫଳ ପ୍ରକାଶ ପାଇବ। ମେଘାଳୟ, ନାଗାଲାଣ୍ଡ ଓ ତ୍ରିପୁରାର ୬୦ ଆସନ ବିଶିଷ୍ଟ ବିଧାନସଭାର କାର୍ଯ୍ୟକାଳ ଯଥାକ୍ରମେ ମାର୍ଚ୍ଚ ୬, ୧୩ ଏବଂ ୧୪ରେ ସମାପ୍ତ ହେବ। ଏହି ତିନୋଟି ରାଜ୍ୟରେ ବିଜେପି ଏହାର ରାଜନୈତିକ ଉପସ୍ଥିତି ବିସ୍ତାର କରିବାକୁ ଯୋଜନା କରିଥିବା ବେଳେ ମେଘାଳୟରେ କଂଗ୍ରେସ ଏହାର ସ୍ଥିତି ବଜାୟ ରଖିବାର ଉଦ୍ୟମରେ ଅଛି। କେରଳ ପରେ ତ୍ରିପୁରା ଏକମାତ୍ର ରାଜ୍ୟ ଯେଉଁଠାରେ ସିପିଏମ୍‌ କ୍ଷମତାରେ ରହିଛି। ଏଣୁ ଏହି ଦଳ ପାଇଁ ମଧ୍ୟ ସମ୍ମାନର ପ୍ରଶ୍ନ ହୋଇଛି। ଅନ୍ୟପକ୍ଷରେ ଆଞ୍ଚଳିକ ଦଳଗୁଡିକ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବେ ବୋଲି କୁହାଯାଇଛି।

Leave A Reply