ଇସଲାମାବାଦ: ପାକିସ୍ତାନରେ ଲୁଚିଛନ୍ତି ଜୈଶ-ଏ-ମହମ୍ମଦ(ଜେଇଏମ) ଆତଙ୍କବାଦୀ ସଂଗଠନର ମୁଖ୍ୟ ମାସୁଦ ଆଝାର। ଏକଥା ସ୍ବୀକାର କରିଛନ୍ତି ପାକିସ୍ତାନ ବୈଦେଶିକ ମନ୍ତ୍ରୀ ଶହ ମେହମ୍ମୁଦ କ୍ୟୁରେଶୀ। ପୂର୍ବରୁ ପାକିସ୍ତାନ ଏହାକୁ ବାରମ୍ବାର ଖଣ୍ଡନ କରିଆସୁଥିଲା। ମାସୁଦ ପାକିସ୍ତାନରେ ନାହାନ୍ତି ବୋଲି କହି ଆସୁଥିଲା। କିନ୍ତୁ କ୍ୟୁରେଶୀ ଖବର ସରବରାହ ସଂସ୍ଥା ସିଏନଏନ ସହ ଆଲୋଚନା ବେଳେ ଏହା ମାନିଛନ୍ତି। ସେ ଆହୁରି କହିଛନ୍ତି ଯେ, ମାସୁଦ ଅସୁସ୍ଥ ଅଛନ୍ତି। ତେଣୁ ସେ ଘରୁ ବାହାରି ପାରୁନାହାନ୍ତି।
ଅନ୍ୟପଟେ ପୁଲୱାମା ଆକ୍ରମଣରେ ଜୈଶର ସମ୍ପୃକ୍ତି ନେଇ ଭାରତ ବଳିଷ୍ଠ ପ୍ରମାଣ ଦେଲେ ମାସୁଦଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି କ୍ୟୁରେଶୀ କହିଛନ୍ତି। ଭାରତ ଆଗରୁ ଅନେକ ପ୍ରମାଣ ଦେଇଛି କିନ୍ତୁ ସେଥରେ ଜେଇଏମର ସମ୍ପୃକ୍ତ ନେଇ କୌଣସି ତଥ୍ୟ ନାହିଁ ବୋଲି କ୍ୟୁରେଶୀ କହିଛନ୍ତି।
ସୂଚନାଯୋଗ୍ୟ, ଜୈଶ ସଂଗଠନ ଭାରତରେ ଅନେକ ଆକ୍ରମଣ କରିଛି। ୨୬/୧୧ ମୁମ୍ବଇ ଆକ୍ରମଣର ମାଷ୍ଟରମାଇଣ୍ଡ ଥିଲେ ମାସୁଦ। ଏ ନେଇ ଭାରତ ବାରମ୍ବାର ପ୍ରମାଣ ଦେଇଆସୁଥିଲେ ହେଁ ପାକିସ୍ତାନ ତାହା ମାନିବାକୁ ନାରାଜ।
ସିଏନଏନ ସାମ୍ବାଦିକଙ୍କ ସହ କଥାବାର୍ତ୍ତା ବେଳେ କ୍ୟୁରେଶୀ ଆହୁରି କହିଛନ୍ତି ଯେ, ପାକିସ୍ତାନ ଶାନ୍ତି ଚାହେଁ। ତେଣୁ ସେ ଭାରତୀୟ ବାୟୁସେନାର ପାଇଲଟ ଅଭିନନ୍ଦନଙ୍କୁ ଫେରାଇବାକୁ ନିଷ୍ପତ୍ତି ନେଇଛି।



