www.samajalive.in
Saturday, December 13, 2025
17.1 C
Bhubaneswar

ହାଣ୍ଡିଶାଳରେ ମହଙ୍ଗା ମାଡ଼ : ଆଳୁ ୨୫, ପିଆଜ ୭୦, ୧୦୦ ଉପରେ ଡାଲି, ତେଲ

ଭୁବନେଶ୍ୱର : ବଢିଲା ଅତ୍ୟାବଶ୍ୟକ ସାମଗ୍ରୀ ଦର। ପୂର୍ବରୁ ଖାଲି ଆଳୁ ଓ ପିଆଜ ଦର​ ବଢୁଥିଲା। ଏବେ ଏହା ସହ ତାଳଦେଇ ବଢିଛି ଡାଲି ଏବଂ ତେଲ ଭଳି ଅତ୍ୟାବଶ୍ୟକ ସାମଗ୍ରୀ ଦର। ବର୍ତ୍ତମାନ ଖାଉଟିଙ୍କୁ ଘାରିଛି ଦର ବୃଦ୍ଧି ଚିନ୍ତା। ଏକାଥରକେ ଆଳୁ, ପିଆଜ, ଡାଲି ଏବଂ ତେଲ ଦର ବଢିବା ପରେ ଗୃହିଣୀଙ୍କ ହାଣ୍ଡିଶାଳ ବଜେଟ୍‌ ନିୟନ୍ତ୍ରଣ ବାହାରକୁ ଚାଲିଯାଇଛି। ଯୋଗାଣ କମ୍ ସହ ପାଇକାରୀ ବଜାରଠାରୁ ଖୁଚୁରା ବଜାରରେ ଚଢା ଦରରେ ଆଳୁ ଓ ପିଆଜ ବିକ୍ରି ହେଉଛି। ମଙ୍ଗଳବାର ରାଜଧାନୀର ହାଟ ବଜାରରେ ଆଳୁ କିଲୋ ୨୫ ଟଙ୍କା ଏବଂ ପିଆଜ ୭୦ ଟଙ୍କା ଟପିବା ଖାଉଟିଙ୍କ ମଧ୍ୟରେ ଆତଙ୍କ ଖେଳାଇ ଦେଇଛି। ପାଇକାରୀ ବି‌େକ୍ରତା ଯୋଗାଣ କମ୍‌କୁ ଦୋଷ ଦେଉଥିବାବେଳେ ଖୁଚୁରା ବେପାରି କିଣା ଦର ଅଧିକ କହୁଛନ୍ତି। ବଜାର ଦର ନିୟନ୍ତ୍ରଣ ବାହାରକୁ ଚାଲିଯାଉଛି। ଅଥଚ ଯୋଗାଣ ବିଭାଗର ଏହା ଉପରେ କୌଣସି ଅଙ୍କୁଶ ନାହିଁ।​‌ ଏଭଳି ପରିସ୍ଥିତିରେ ରାଜ୍ୟ ସରକାର ରିଆତି ମୂଲ୍ୟରେ ପିଆଜ ଯୋଗାଇବାକୁ ବିଚାର କରୁଥିବା ଖାଦ୍ୟ, ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି।

Image Source : Zee News

ମଙ୍ଗଳବାର ଖୁଚୁରା ବଜାରରେ ଆଳୁ କିଲୋ ପିଛା ୨୫ ଟଙ୍କା ଏବଂ ପିଆଜ ୭୦ ଟଙ୍କା ଟପିଛି। ଆଇଗିଣିଆ ଭଳି ପାଇକାରୀ ବଜାରରେ ଆଜି ଆଳୁ କ୍ବିଣ୍ଟାଲ ପିଛା ୧୬୫୦ ଟଙ୍କା ଟପିଛି। ଦୁଇ ଦିନ ତଳେ ପାଇକାରୀ ବଜାରରେ ଆଳୁ କ୍ବିଣ୍ଟାଲ ପିଛା ଦର ୧୫୫୦ରୁ ୧୬୦୦ ଟଙ୍କା ରହିଥିଲା। ବର୍ତ୍ତମାନ ଦର କ୍ବିଣ୍ଟାଲ ପିଛା ୫୦ରୁ ୧୦୦ ଟଙ୍କା ବୃଦ୍ଧି ଘଟିଛି। ସେହିଭଳି ଖୁଚୁରା ବଜାରରେ ପିଆଜ କିଲୋ ପିଛା ୭୦ ଟଙ୍କାରେ ବିକ୍ରି ହେଉଛି, ପାଇକାରୀ ବଜାରରେ ଏହାର ଦର କ୍ବିଣ୍ଟାଲ ପିଛା​‌​‌(ନାସିକ୍‌ ପିଆଜ) ୫୫୦୦ରୁ ୫୮୦୦ ଟଙ୍କା ମଧ୍ୟରେ ରହିଛି। ବିଗତ ଦୁଇ ଦିନ ହେବ ରାଜଧାନୀରେ ପିଆଜ କିଲୋ ପିଛା ଦର ୫୦ରୁ ୫୫ ଟଙ୍କା ରହିଥିଲା। ବର୍ତ୍ତମାନରେ ଗୋଟିଏ ଦିନରେ ଆଳୁ କିଲୋ ପିଛା ୫ ଟଙ୍କା ଏବଂ ପିଆଜ କିଲୋ ପିଛା ୨୦ ଟଙ୍କା ବୃଦ୍ଧି ଘଟିବା ଖାଉଟିଙ୍କୁ ଚିନ୍ତାରେ ପକାଇଛି। ଆଳୁ ଓ ପିଆଜ ଦର ଯଦି ଏଭଳି ବଢେ ତେବେ ଆଗକୁ ନୂଆ ଫସଲ ଆସିବା ଯାଏ ପରିସ୍ଥିତି ଅସମ୍ଭାଳ ହେବା ଅନୁମାନ କରାଯାଉଛି। ସୂଚନାଯୋଗ୍ୟ, ଦୁଇ ତିନି ଦିନ ତଳେ ପାଇକାରୀ ବଜାରରେ ପିଆଜ କ୍ବିଣ୍ଟାଲ ପିଛା ୧୦୦୦ରୁ ୧୫୦୦ ଟଙ୍କା ବୃଦ୍ଧି ଘଟିଥିଲା। ଏ ସମ୍ପର୍କରେ ଓଡ଼ିଶା ବ୍ୟବସାୟୀ ମହାସଂଘର ସାଧାରଣ ସମ୍ପାଦକ ସୁଧାକର ପଣ୍ଡା କୁହନ୍ତି, ନାସିକ୍‌ରେ ଚାଷୀଙ୍କ ପାଖରେ ମହଜୁଦ ଥିବା ପରୁଣା ପିଆଜ ଯୋଗାଣ କମିବାରେ ଲାଗିଛି। ଆଜି ଆଇଗିଣିଆକୁ ୧୩ ଗାଡି ପିଆଜ ଆସିଥିବାବେଳେ ଗତକାଲି ମାତ୍ର ୬ ଗାଡି ଆସିଥିଲା। ସେହିଭଳି ପଶ୍ଚିମବଙ୍ଗରୁ କାଳୀପୂଳା ସମୟରୁ ଆଳୁ ଯୋଗାଣ କମିବାରେ ଲାଗିଛି। ଯାହା ଫଳରେ ଯୋଗାଣ ଜନିତ ସମସ୍ୟା ବଜାରରେ ଦର ବୃଦ୍ଧି ଘଟାଉଥିବା ଶ୍ରୀ ପଣ୍ଡା କହିଛନ୍ତି। ଅନ୍ୟପକ୍ଷରେ ​ଯୋଗାଣ କ୍ଷେତ୍ରରେ ଏଭଳି ଅନିୟମିତତାର ଫାଇଦା କେତେକ ମହଜୁଦକାରୀ ଏବଂ ​ମୁନାଫାଖୋର ବ୍ୟବସାୟୀ ଉଠାଉଛନ୍ତି। ଯାହା ଫଳରେ ପାଇକାରୀ ବଜାର ତୁଳନାରେ ଖୁଚୁରା ବଜାରରେ ଦର ନିୟନ୍ତ୍ରଣ ବାହାରକୁ ଚାଲିଯାଉଛି। ପିଆଜ ଦରବୃଦ୍ଧି ପରେ କେତେକ ଗ୍ରାହକ ଏକ କିଲୋ ସ୍ଥାନରେ ଅଢ଼େଇ ଶହ ଗ୍ରାମରେ କାମ ଚଳାଉଛି।

- Advertisement -
Image :TrekEarth

ଅପରପକ୍ଷେ ରାଜ୍ୟ ବଜାରରେ ପିଆଜ ଦର ବଢିବା ପଛରେ ଆନ୍ଧ୍ର, କର୍ଣ୍ଣାଟକ ଓ ମହାରାଷ୍ଟ୍ର ବର୍ଷାକୁ ଦାୟୀ କରିଛନ୍ତି ଖାଦ୍ୟ, ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ। ଆଗକୁ ଆହୁରି ଦର ୬ରୁ ୧୦ ଟଙ୍କା ବଢିପାରେ ବୋଲି ସେ କହିଛନ୍ତି। ଏହାକୁ ଲକ୍ଷ୍ୟ ରଖି ରାଜ୍ୟ ସରକାର ରିହାତି ଦରରେ ପିଆଜ ଯୋଗାଇବାକୁ ଚିନ୍ତା କରୁଛନ୍ତି। ଏ ନେଇ ଖୁବ୍‌ଶୀଘ୍ର ସରକାର ନିଷ୍ପତ୍ତି ନେବେ ବୋଲି ସେ କହିଛନ୍ତି। କେବଳ ଆଳୁ ଏବଂ ପିଆଜ କାହିଁକି ଏବେ ସମ୍ପୂର୍ଣ୍ଣ ପରିବା ବଜାରରେ ନିଆଁ ଲାଗିଥିବା କହିଲେ ଭୂଲ ହେବ ନାହିଁ। ରାଜଧାନୀର ହାଟ ବଜାରରେ ଟମାଟୋ କିଲୋ ୫୦ ଟଙ୍କା, ବାଇଗଣ ୪୦ ଟଙ୍କା, ସାରୁ ୪୦ ଟଙ୍କା, କଞ୍ଚା କଦଳି ଗୋଟା ୧୦ ଟଙ୍କା, ଦେଶୀ ଆଳୁ ୫୦ ଟଙ୍କା, ଭେଣ୍ଡି ୫୦ ଟଙ୍କା, ଝୁଡ଼ଙ୍ଗ ୫୫ ଟଙ୍କା, ପୋଟଳ ଦର ୬୦ ଏବଂ ବିନ୍‌ସ ୭୦ ଟଙ୍କାରେ ବିକ୍ରି ହେଉଛି।
ଏଥିସହ ଡାଲି ଓ ତେଲ ଭଳି ତେଜରାତି ସାମଗ୍ରୀର ଦାମ ମଧ୍ୟ ବୃଦ୍ଧି ଘଟିଛି। ଡାଲି କିଲୋ ପିଛା ୧୦ ଟଙ୍କା ବଢିଛି। ତେବେ ମୁଗ ଓ ହରଡ଼ ଡାଲି କିଲୋ ପିଛା ୧୦ ଟଙ୍କା ବୃଦ୍ଧି ହୋଇଥିବାବେଳେ ବିରି ଡାଲି କିଲୋ ସବୁଠାରୁ ଅଧିକ ୩୦ ଟଙ୍କା ବଢିଛି। ଦୁଇ ତିନି ଦିନ ପୂର୍ବରୁ ବଜାରରେ ହରଡ଼ ଡାଲି କିଲୋ ୯୦ରୁ ୯୫ ଟଙ୍କାରେ ବିକ୍ରି ହେଉଥିଲା।ଏବେ ଏହା ୧୦୦ ଟଙ୍କା ଛୁଇଁଛି। ସେହିପରି ମୁଗ ଡାଲି କିଲୋ ୮୫ ଟଙ୍କାରୁ ଏକାଥରକେ ୧୦୦ ଟଙ୍କାରେ ପହଞ୍ଚିଛି। ବିରି ଡାଲି କ୍ବିଣ୍ଟାଲ ପିଛା ସର୍ବାଧିକ ୩୦୦୦ ଟଙ୍କା ବଢିଛି। ଆଜି ଖୁଚୁରା ବଜାରରେ ବିରି ଡାଲି କିଲୋ ପିଛା ୮୦ ଟଙ୍କାରୁ ୧୦୦ ଟଙ୍କା ପରିବର୍ତ୍ତେ ୧୧୦ରୁ ୧୩୦ ଟଙ୍କାରେ ପହଞ୍ଚିଛି। ସେହିଭଳି ବଜାରରେ ଖାଇବା ତେଲ ଲିଟର ପିଛା ୫ ଟଙ୍କା ବୃଦ୍ଧି ଘଟିଛି।

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories