ରୁଷ-ୟୁକ୍ରେନ ଯୁଦ୍ଧ ଏବଂ ଦେଶରେ ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ଚାଲିଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ମାସିକ ରେଡ଼ିଓ କାର୍ଯ୍ୟକ୍ରମ ମନ କି ବାତ ଜରିଆରେ ଦେଶବାସୀଙ୍କ ସମ୍ୱୋଧିତ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ପ୍ରଥମେ ଭାରତରୁ ଚୋରି ହୋଇଥିବା ମୂର୍ତ୍ତି ବିଷୟରେ କହିଛନ୍ତି। ଗତ ୭ ବର୍ଷ ମଧ୍ୟରେ ବିଦେଶରୁ ୨୦୦ରୁ ଅଧିକ ମୂଲ୍ୟବାନ ମୂର୍ତ୍ତି ଦେଶକୁ ଫେରାଇ ଅଣାଯାଇଥିବା ପ୍ରଧାନମନ୍ତ୍ରୀ କହିଛନ୍ତି। ସେ କହିଛନ୍ତି, କିଛି ବର୍ଷ ପୂର୍ବେ ତାମିଲନାଡୁର ବେଲୁରରୁ ଭଗବାନ ହନୁମାନଙ୍କ ପ୍ରତିମା ଚୋରି ହୋଇଥିଲା ଯାହା ୬୦୦-୭୦୦ ବର୍ଷ ପୂର୍ବର ଥିଲା। ଚଳିତ ବର୍ଷ ପ୍ରଥମ ଭାଗରେ ଅଷ୍ଟ୍ରେଲିଆରୁ ସେହି ମୂର୍ତ୍ତି ଦେଶକୁ ଫେରାଇ ଅଣାଯାଇଛି।
ଏହା ଛଡା ଇଟାଲୀରେ ଥିବା ଏକ ମୂଲ୍ୟବାନ ମୂର୍ତ୍ତିକୁ ମଧ୍ୟ ଭାରତ ଫେରାଇ ଅଣାଯାଇଛି। ଶ୍ରୀ ମୋଦୀ କହିଛନ୍ତି ଯେ ଆମ ଇତିହାସରେ ଅନେକ ମୂର୍ତ୍ତି ବିଷୟରେ ବର୍ଣ୍ଣନା କରାଯାଇଛି ଯେଉଁଥିରେ ଆମ ସାମର୍ଥ୍ୟ, କଳା, କୌଶଳ, ବିବିଧତା ଓ ପୂର୍ବ ସମୟର ପ୍ରଭାବର ଝଲକ ଦେଖିବାକୁ ମିଳେ। ସେ କହିଛନ୍ତି, ଏହି ସବୁ ମୂର୍ତ୍ତିଗୁଡିକୁ ଭାରତ ଆଣିବା ସରକାରଙ୍କ ଦାୟିତ୍ୱ ବୋଲି ସେ କହିଛନ୍ତି।



