ଲକ୍ଷ୍ନୌ: ଏକ ନିର୍ବାଚନୀ ସଭାରେ ମୁସଲମାନଙ୍କୁ ଧମକାଇ ଭୋଟ ମାଗିଥିବା ବିଜେପିର ସାଂସଦ ପ୍ରାର୍ଥୀ ମାନେକା ଗାନ୍ଧୀ ଏବେ ବିବାଦ ଭିତରକୁ ଟାଣି ହୋଇଯାଇଛନ୍ତି। ଏପରି ଭାଷଣ ପାଇଁ ଉତ୍ତରପ୍ରଦେଶର ସୁଲତାନପୁର ଅତିରିକ୍ତ ଜିଲା ମାଜିଷ୍ଟ୍ରେଟ ମାନେକାଙ୍କୁ ନୋଟିସ ଜାରି କରିଛନ୍ତି। ସୁଲତାନପୁର ଲୋକସଭା ଆସନରୁ ବିଜେପି ପ୍ରାର୍ଥୀ ତଥା କେନ୍ଦ୍ର ମନ୍ତ୍ରୀ ମାନେକା ଗାନ୍ଧୀ ତୁରାବ ଖାନି ଗ୍ରାମରେ ଏକ ନିର୍ବାଚନୀ ସଭାରେ ମୁସଲମାନ ଭୋଟରଙ୍କୁ ଚେତାବନୀପୂର୍ଣ୍ଣ ନିବେଦନ କରିଥିଲେ। ମାନେକା କହିଥିଲେ, ମୁସଲମାନମାନେ ତାଙ୍କୁ ଭୋଟ ନ ଦେଲେ ଚାକିରି ପାଇବେ ନାହିଁ। ସେ ମୁସଲମାନଙ୍କ ବିନା ସମର୍ଥନରେ ନିର୍ବାଚନ ଜିତିବାକୁ ଚାହୁଁ ନାହାନ୍ତି। ସେ ଆହୁରି କହିଥିଲେ ଯେ, ଏହା ହେଉଛି ଦେବା-ନେବା ସମ୍ପର୍କ। ଆମେ ମହାତ୍ମା ଗାନ୍ଧୀଙ୍କ ସନ୍ତାନ ନୁହଁ। ଏହା ନୁହେଁ ଯେ ଆମେ ଦେଉଥିବୁ ଏବଂ ନିର୍ବାଚନରେ ହାରୁଥିବୁ। ଏହି ନିର୍ବାଚନ ମୁଁ ଜିତି ସାରିଛି। ନିର୍ବାଚନ ଆପଣଙ୍କ ଭୋଟରେ ଜିତିବି ଓ ଆପଣଙ୍କ ଭୋଟ ବିନା ବି ଜିତିବି। ନିର୍ବାଚନ ଫଳ ଆସିବାବେଳେ ଯଦି ଏହି ବୁଥରୁ ୫୦ରୁ ୧୦୦ ଖଣ୍ଡ ଭୋଟ ପାଇଥିବି, ତାହା ଜଣାପଡ଼ିଯିବ। ଆପଣଙ୍କୁ କାଲି ମୋର ଆବଶ୍ୟକତା ପଡ଼ିବ। ଆପଣ କାମ ପାଇଁ ଆସିବେ ଓ ମୁଁ ସହଯୋଗ କରିପାରିବି ନାହିଁ। ଆପଣମାନେ ମୋର ଶୁଭଚିନ୍ତକ ଏବଂ ସମର୍ଥକ। କିଏ କେଉଁ ସମ୍ପ୍ରଦାୟର ତାହା ମୁଁ ଦେଖେନାହିଁ। ନିଷ୍ପତ୍ତି ଆପଣଙ୍କ ହାତରେ ବୋଲି ମାନେକା କହିଥିଲେ।
ମାନେକାଙ୍କ ଏହି ଭାଷଣର ଏକ ଭିଡିଓ କ୍ଲିପ୍ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଏହାକୁ ନେଇ ବିବାଦ ମୁଣ୍ଡ ଟେକିଛି। ବିରୋଧୀ କଂଗ୍ରେସ ମାନେକାଙ୍କୁ କଡ଼ା ସମାଲୋଚନା କରିବା ସହିତ ଏହା ଏକ ସାମ୍ପ୍ରଦାୟିକ ଭାଷଣ ବୋଲି କହିଛି।
ଅନ୍ୟପଟେ ସୁଲତାନପୁର ଅତିରିକ୍ତ ଜିଲା ମାଜିଷ୍ଟ୍ରେଟ ହାର୍ଦିଓ ପାଣ୍ଡେ ମାନେକାଙ୍କୁ ଏକ ନୋଟିସ ଜାରି କରିବା ସହ ଉତ୍ତର ରଖିବାକୁ ନିର୍ଦେଶ ଦେଇଛନ୍ତି।



