ନୂଆଦିଲ୍ଲୀ: ସୋମବାର ଜଣେ ଯୁବକ ଛୁରୀ ଧରି ସଂସଦ ଭବନରେ ପଶିବାକୁ ଉଦ୍ୟମ କରିବା ବେଳେ ପୁଲିସ ତାକୁ ଧରିଛି। ଯୁବକର ନାମ ସାଗର ଇନଶାନ। ପୁଲିସ ତାକୁ ଅଟକ ରଖି ପଚରାଉଚରା କରୁଛି। ସାଗର ପ୍ରଥମେ ବିଜୟ ଛକ ନିକଟ ୧ ନମ୍ବର ଗେଟ୍ ବାହାରେ ବାଇକ୍ ରଖିଥିଲା। ପରେ ଏକ ଛୁରୀ ହାତରେ ଧରି ୧ ନମ୍ବର ଗେଟ୍ ଦେଇ ସଂସଦ ଭବନ ଭିତରକୁ ପଶିବାକୁ ଉଦ୍ୟମ କରିଥିଲା। ସେଠାରେ ଉପସ୍ଥିତ ସୁରକ୍ଷାକର୍ମୀମାନେ ତା’କୁ କାବୁ କରିନେଇଥିଲେ। ସାଗର ରାମରହିମ ନାମ ନେଇ ନାରାବାଜି କରୁଥିଲା। କିଛି ଲୋକ ଏହାର ଭିଡିଓ ଉତ୍ତୋଳନ ମଧ୍ୟ କରୁଥିଲେ। ସୁରକ୍ଷାକର୍ମୀମାନେ ପୁଲିସକୁ ଖବର ଦେଇଥିଲେ। ପୁଲିସ ପହଞ୍ଚିବା ପରେ ସାଗରକୁ ଧରି ଥାନାକୁ ନେଇଯାଇଥିଲା।
ସୂଚନାଯୋଗ୍ୟ, ଗତ ଜୁଲାଇରେ ମଧ୍ୟ ସଂସଦ ଭବନର ସୁରକ୍ଷାକୁ ନେଇ ପ୍ରଶ୍ନ ଉଠିଥିଲା। ଏକ ଅଡି କାର ସଂସଦ ଭବନ ବ୍ୟାରିକେଡ୍କୁ ଧକ୍କା ଦେବା ପରେ ଏହାକୁ ନେଇ ଆତଙ୍କ ଖେଳିଯାଇଥିଲା।



