କଲ୍ୟାଣସିଂହପୁର: ସାମାନ୍ୟ ବଚସାରୁ ଟାଙ୍ଗିଆରେ ଆକ୍ରମଣ ଯୋଗୁ ଜଣେ ଡ଼ଙ୍ଗରିଆ ଯୁବକ ଗୁରୁତର ଆହତ ହୋଇଛନ୍ତି। ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ପାର୍ଷାଲି ପଞ୍ଚାୟତର ସାନଡେଙ୍ଗିନେଲି ଗ୍ରାମରେ ଏହି ଘଟଣା ଘଟିଛି।
ସୂଚନା ଅନୁଯାୟୀ, ଉକ୍ତ ଗ୍ରାମର ଡ୍ରିଞ୍ଜୁ ସିକକା ଏକ ମୋଟରସାଇକେଲକୁ ଦ୍ରୁତଗତିରେ ଚାଳାଉଥିବାରୁ ମାନ୍ଦୁ କାଡ୍ରାକା କାହିଁକି ଏହିପରି ଗାଡି ଚଳାଉଛୁ ବୋଲି କହିବାରୁ ସେଠାରେ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ଏହାକୁ ନେଇ ଡ୍ରିଞ୍ଜୁ ଘରେ ରଖିଥିବା ଟାଙ୍ଗିଆ ଆଣି ମାନ୍ଦୁକୁ ଆକ୍ରମଣ କରିଥିଲା। ଗ୍ରାମବାସୀଙ୍କ ସହାୟତାରେ ମାନ୍ଦୁକୁ କଲ୍ୟାଣସିଂହପୁର ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଏ ନେଇ ଥାନାରେ ଅଭିଯୋଗ କରାଯିବା ପରେ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି। ଆକ୍ରମଣ କରିଥିବା ଡ୍ରିଞ୍ଜୁ ଫେରାର ଥିବା ସୂଚନା ମିଳିଛି।



