ମାଲକାନଗିରି : ମାଲକାନଗିରି ଜିଲ୍ଲାର ଐତିହ, ପରମ୍ପରା ଓ ସଂସ୍କୃତିର ବାର୍ତ୍ତାବହ ମାଲ୍ୟବନ୍ତ ମହୋତ୍ସବର ଶୁଭାରମ୍ଭ ମାଓଗଡରୁ ଆରମ୍ଭ ହୋଇଛି। ଚିତ୍ରକୋଣ୍ଡା ବ୍ଲକ ଜାନବାଇ ଗୁରୁପ୍ରିୟା ନଦୀରୁ ରବିବାର କଳସ ଯାତ୍ରା ବାହାରିଛି। ପ୍ରଥମେ ଗୁରୁପ୍ରିୟା ନଦୀରେ କଳସ ସ୍ଥାପନ କରି ପାରମ୍ପରିକ ରୀତିରେ ପୂଜାର୍ଚ୍ଚନା କରାଯାଇଥିଲା। ଏହି ଅବସରରେ ସେଠାରେ ବିଭିନ୍ନ ସାଂସ୍କୃତିକ ଦଳ ବଣ୍ଡା, କୋୟା ପାରମ୍ପରିକ ଶିଙ୍ଘ ନାଚ, ଆଦିବାସୀ ଢେମସା, ଏବଂ ଭଜନ କିର୍ତ୍ତନରେ ଗୁରୁପ୍ରିୟା ଉତ୍ସବ ମୁଖରିତ ହୋଇଥିଲା। ଏକ ବିରାଟ ପଟୁଆରରେ କଳସ ଯାତ୍ରା କରା ଯାଇ ମାଲକାନଗିରି ପହଞ୍ଚିିଥିଲା। ମାଲକାନଗିରି ମେଡିକାଲ ଛକ ଦେଇ ପୁରୁଣା ଜିଲ୍ଲାପାଳ କାର୍ଯ୍ୟାଳୟ, ମୁଖ୍ୟ ରାସ୍ତା ଦେଇ ସୁବାଷ ବୋଷ ଛକ ଦେଇ ଜଗନ୍ନାଥ ମନ୍ଦିରରେ କଳସ ସ୍ଥାପନ କରା ଯାଇଥିଲା।
ଏହି ଶୋଭାଯାତ୍ରାରେ ଏସ୍.ଓ.ଜି. ମହିଳା ଦଳ, କୋୟା ସିଙ୍ଗ ନାଚ, ବେଙ୍ଗଲୀ ପାରମ୍ପରିକ ନୃତ୍ୟ, ଶଙ୍ଖ ମହୁରୀ, ଓ ବାଦ୍ୟର ତାଳେତାଳେ ନଗର ପରିକ୍ରମା କରା ଯାଇଥିଲା। ଆଗାମୀ ୧୧ ତାରିଖ ଦିନ ପୁନର୍ବାର ଏହି କଳସକୁ ଜଗନ୍ନାଥ ମନ୍ଦିରରୁ ଅଣା ଯାଇ ମାଲ୍ୟବନ୍ତ ମଣ୍ଡପରେ ସ୍ଥାପନ କରା ଯିବ। ସୋମବାର ଗୋବିନ୍ଦପାଲ୍ଲୀ ଠାରୁ ଦଣ୍ଡକାରଣ୍ୟ ଖେଳପଡିଆ ପର୍ଯ୍ୟନ୍ତ ସାଇକେଲ ଚାଳନା ପ୍ରତିଯୋଗିତା ହେବାକୁ ଥିବା ବେଳେ ୮ ତାରିଖ ଦିନ ସତୀଗୁଡା ଜଳଭଣ୍ଡାରରେ ନୌକା ପ୍ରତିଯୋଗିତା ଅନୁଷ୍ଠିତ ହେବ। ୧୧ ତାରିଖ ଦିନ ଜଗନ୍ନାଥ ମନ୍ଦିର ଠାରୁ ଦଣ୍ଡାକାରଣ୍ୟ ଖେଳ ପଡିଆ ପର୍ଯ୍ୟନ୍ତ ମହା ସମାରୋହରେ ଜିଲ୍ଲାସ୍ତରୀୟ ମାଲ୍ୟବନ୍ତ ମହୋତ୍ସବ ନିମନ୍ତେ କଳସ ଯାତ୍ରା କରା ଯିବ। ଏହାକୁ ଆଖିଆଗରେ ରଖି ଜିଲ୍ଲା ପ୍ରଶାସନ ତଥା ଜନସାଧାରଣ ପ୍ରସ୍ତୁତି କାର୍ଯ୍ୟ ଜୋରସୋର ଚଳାଇଛନ୍ତି। ପୁନର୍ବାର କଳସ ଯାତ୍ରା କାର୍ଯ୍ୟକ୍ରମ ସମାପନ ହେବାପରେ ସନ୍ଧ୍ୟାରେ ଦଣ୍ଡକାରଣ୍ୟ ମଂଚ ଉପରେ ମହୋତ୍ସବ ଅନୁଷ୍ଠିତ ହେବ ଏବଂ ଦୁଇଦିନ ୧୨ ଓ ୧୩ ତାରିଖ ମଧ୍ୟ ଏହି ମଞ୍ଚରେ ବିଭିନ୍ନ ସମ୍ପ୍ରଦାୟର କଳା ସଂସ୍କୃତି ଓ ପରମ୍ପରାର ପରିବେଷଣ କରା ଯିବାର କାର୍ଯ୍ୟକ୍ରମ ରହିଛି। ଚଳିତ ବର୍ଷ ମାଲ୍ୟବନ୍ତ ମହୋତ୍ସବ ପାଇଁ ପ୍ରଶାସନ ପକ୍ଷରୁ ବର୍ତ୍ତମାନ ଠାରୁ ପ୍ରସ୍ତୁତି ଆରମ୍ଭ ହୋଇଥିବା ବେଳେ କଲକାତାର ୱେଷ୍ଟର୍ଣ୍ଣ ସୋସାଇଟି ପକ୍ଷରୁ ଆସାମୀ ବିହୁ, ପଶ୍ଚିମବଙ୍ଗ ପାରମ୍ପରିକ ନୃତ୍ୟ, ହରିୟାଣା, ପଞ୍ଜାବ, ଗୁଜୁରାଟ, ଆଦିି ରାଜ୍ୟର କଳାକାର ମାନେ ମାଲ୍ୟବନ୍ତ ମଞ୍ଚରେ କଳା ପରିବେଶଣ କରିବାକୁ ଥିବା ବେଳେ ପଡୋଶୀ ଆନ୍ଧ୍ରପ୍ରଦେଶ, ଛତିଶଗଡ, ତେଲଙ୍ଗାନା ଆଦି ରାଜ୍ୟର କଳାକାରମାନେ ମଧ୍ୟ ମାଲ୍ୟବନ୍ତ ମହୋତ୍ସବରେ ଯୋଗଦାନ ନେଇ ସମ୍ମତି ପ୍ରକାଶ କରିଛନ୍ତି ।
ଆଜି ଅନୁଷ୍ଠିତ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ମନିଷ ଅଗ୍ରୱାଲ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦାଶରଥୀ ପଡିଆମି, ଏବଂ ପ୍ରକଳ୍ପ ନିର୍ଦେଶକ ଲିଙ୍ଗରାଜ ପଣ୍ଡା, ଡି.ଏଫ୍.ଓ. ଦେବଦାଶ ମିରାସେ, ଏସ୍.ପି. ଜଗମୋହନ ମୀନ ପ୍ରମୁଖ ଯୋଗ ଦେଇଥିବା ବେଳେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଗୁଣନିଧି ନାୟକ, ଉପଜିଲ୍ଲାପାଳ କାମେଶ୍ୱର ପ୍ରଧାନ ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।
ମାଓଗଡରୁ ବାଜିଲା ମାଲ୍ୟବନ୍ତର ବିଗୁଲ, ଗୁରୁପ୍ରିୟାରେ କଳସ ଯାତ୍ରା
Popular Categories



