ଓଡ଼ିଶାରେ ସ୍ପୋର୍ଟସ ସେଣ୍ଟର ପ୍ରତିଷ୍ଠା କରିବ ରିଲାଏନ୍ସ
ଭୁବନେଶ୍ୱର: ବିଗତ ଦିନମାନଙ୍କରେ ଓଡ଼ିଶା କ୍ରୀଡ଼ା କ୍ଷେତ୍ରରେ ପ୍ରଭୂତ ଉନ୍ନତି ସାଧନ କରିଛି। ଓଡ଼ିଶାର କ୍ରୀଡ଼ାବିତ୍ମାନେ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ରେକର୍ଡ ସଂଖ୍ୟକ ସ୍ୱର୍ଣ୍ଣପଦକ ଜିତି ରାଜ୍ୟ ଓ ଦେଶ ପାଇଁ ଗୌରବ ଆଣିପାରିଛନ୍ତି। ଓଡ଼ିଶା ସରକାର ଜାତୀୟ ଓ ଅନ୍ତର୍ଜାତୀୟ କ୍ରୀଡ଼ାର ସଫଳ ଆୟୋଜନ କରିପାରିଛନ୍ତି। ଭାରତୀୟ ହକି ଦଳର ଆଗାମୀ ପାଞ୍ଚବର୍ଷ ପାଇଁ ପ୍ରାୟୋଜକ ହୋଇଛନ୍ତି। ଏସବୁକୁ ଦୃଷ୍ଟିରେ ରଖି ରିଲାଏନ୍ସ ଗ୍ରୁପ୍ ପକ୍ଷରୁ ଓଡ଼ିଶାରେ ସ୍ପୋର୍ଟସ ସେଣ୍ଟର ପ୍ରତିଷ୍ଠା କରାଯିବ। ମେକ୍ ଇନ୍ ଓଡ଼ିଶା କନ୍କ୍ଲେଭ୍ ୨୦୧୮ରେ ଦ୍ୱିତୀୟ ଅଧିବେଶନକୁ ସମ୍ବୋଧିତ କରିବା ଅବସରରେ ରିଲାଏନ୍ସ ଗ୍ରୁପ୍ର ଅଧ୍ୟକ୍ଷ ମୁକେଶ ଅମ୍ବାନୀ ଏହା କହିଛନ୍ତି।
ଆଜିର ଅଧିବେଶନରେ ଅଧ୍ୟକ୍ଷତା କରୁଥିବା ଶ୍ରୀ ଅମ୍ବାନି କହିଲେ ଯେ ଜାତୀୟ ଅଭିବୃଦ୍ଧି ହାରଠାରୁ ଓଡ଼ିଶାର ଅଭିବୃଦ୍ଧି ହାର ଅଧିକ। ଡିଜିଟାଲ୍ ଇଣ୍ଡିଆରେ ଡିଜିଟାଲ୍ ଓଡ଼ିଶାର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଡିଜିଟାଇଲ୍ର ଯୁଗରେ ରିଲାଏନ୍ସ ନିଜକୁ ସାମିଲ୍ କରିବା ପାଇଁ ଉଦ୍ୟମ ଆରମ୍ଭ କରିଛି। ଇତିମଧ୍ୟରେ ରିଲାଏନ୍ସ ଜିଓ ପକ୍ଷରୁ ଓଡ଼ିଶା ୪୩ ହଜାର ଗ୍ରାମକୁ ସଂଯୋଗ କରାଯାଇପାରିଛି। ଇଣ୍ଟରନେଟ୍ ଡାଟା ବ୍ୟବହାରରେ ଓଡ଼ିଶା ଦେଶର ସବୁଠାରୁ ଆଗରେ। ଆଗାମୀ ଦିନରେ ଓଡ଼ିଶାର ସମସ୍ତ ଅନୁନ୍ନତ ଅଞ୍ଚଳକୁ ଡିଜିଟାଲ୍୍ ସଂଯୋଗ କରିବା ପାଇଁ ଜିଓ ଯୋଜନା କରିଛି। ନୂତନ ପିଢ଼ିର ବୈଷୟିକ ଜ୍ଞାନକୌଶଳରେ ଏହା ସମ୍ଭବ ହୋଇପାରିବ। ଓଡ଼ିଶାରେ ଡିଜିଟାଲ୍ କ୍ଷେତ୍ରରେ ରିଲାଏନ୍ସ ୬ ହଜାର କୋଟି ଟଙ୍କା ନିବେଶ କରିଥିବା ବେଳେ ଆଗାମୀ ଦିନରେ ଆଉ ୩ ହଜାର କୋଟି ଟଙ୍କା ନିବେଶ କରିବ। ମିଶନ୍ ଶକ୍ତି ସ୍କିମ୍ରେ ଓଡ଼ିଶାକୁ ସାମିଲ୍ କରାଯିବ। ସଂଯୋଗ ଓ ସୁଲଭ ମୂଲ୍ୟରେ ଡିଜିଟାଲ୍ ବୈଷୟିକ ଜ୍ଞାନକୌଶଳ ଉପଲବ୍ଧିକୁ ଗୁରୁତ୍ୱ ଦିଆଯିବ। ଆଗାମୀ ଦିନରେ ବ୍ରଡ୍ବ୍ୟାଣ୍ଡରେ ସମଗ୍ର ଓଡ଼ିଶାକୁ ସଂଯୋଗ କରାଯିବ।
ସେ ଆହୁରି କହିଲେ ଯେ କ୍ଷୁଦ୍ରଶିଳ୍ପ ଓ ଯୁବବର୍ଗଙ୍କ ପାଇଁ ନୂଆ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ। ବିକାଶରେ ଯେପରି ସମସ୍ତେ ସାମିଲ୍ ହୋଇପାରିବେ ସେଥିପ୍ରତି ଦୃଷ୍ଟି ଦିଆଯିବା ଉଚିତ। ଓଡ଼ିଶାର ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କୁ ସ୍ମରଣ କରି ମୁକେଶ କହିଲେ ଯେ ବିଜୁଙ୍କ ସ୍ୱପ୍ନ ଓ ରିଲାଏନ୍ସ ଗ୍ରୁପର ପ୍ରତିଷ୍ଠାତା ଧୀରୁଭାଇ ଅମ୍ବାନୀଙ୍କ ସ୍ୱପ୍ନ ସମାନ ଥିଲା। ସେହି ସ୍ୱପ୍ନ ପୂରଣ ଦିଗରେ ରିଲାଏନ୍ସ ପ୍ରୟାସ କରିବ।