ନାରୀ ସବୁବେଳେ ସୃଷ୍ଟିଶୀଳା, ନିର୍ବାହ କରିଥାଏ ସାମାଜିକ ପ୍ରତିବଦ୍ଧତା
ମୈତ୍ରେୟୀ ଲେଖିକା ସଂଗଠନର ଦ୍ବିତୀୟ ବାର୍ଷିକ ଉତ୍ସବ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ଅଗ୍ରଣୀ ସାହିତ୍ୟାନୁଷ୍ଠାନ ‘ମୈତ୍ରେୟୀ ଲେଖିକା ସଂଗଠନ’ର ଦ୍ବିତୀୟ ବାର୍ଷିକ ବୁଦ୍ଧ ମନ୍ଦିରଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସ ଯୋଗଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ବିଶିଷ୍ଟ ସାହିତ୍ୟିକ ଦାଶ ବେନହୁର ଏବଂ ବିଶିଷ୍ଟ ସାହିତ୍ୟିକା ସରୋଜିନୀ ସାହୁ ପ୍ରମୁଖ ଯୋଗ ଦେଇଥିଲେ ।
ଉତ୍ସବରେ ‘ସର୍ଜନା ଓ ସାମାଜିକ ପ୍ରତିବଦ୍ଧତାରେ ନାରୀ’ ପ୍ରସଙ୍ଗରେ ଅତିଥିମାନେ ଆଲୋଚନା କରିଥିଲେ। ଏହି ଅବସରରେ ସାହିତ୍ୟିକ ତଥା ପ୍ରଶାସକ ଶ୍ରୀ ଦାସ କହିଲେ ଯେ, ଯେ ନାରୀ ସବୁବେଳେ ସୃଷ୍ଟିଶୀଳା । କାରଣ ସେ ମା’ ଟିଏ, ଯିଏ ସନ୍ତାନକୁ ଜନ୍ମ ଦେବା ପରି ଦୁନିଆର ସବୁଠୁ କଠିନ କାମ କରିବା ସହିତ ସାମାଜିକ ପ୍ରତିବଦ୍ଧତାର ସହ ବିଭିନ୍ନ କାର୍ୟ୍ୟ ଦାୟିତ୍ୱର ସହ ନିର୍ବାହ କରିଥାଏ ।
ଉତ୍ସବର ଅନ୍ୟତମ ଅତିଥି ସାହିତ୍ୟିକା ଶ୍ରୀମତୀ ସାହୁ ଯୋଗଦେଇ ନାରୀକୁ ସର୍ବଶକ୍ତିମାନ କହିବା ସହ ଲେଖିକାମାନେ ଲେଖାରେ ଶାଳୀନତା ରଖିବା ପୂର୍ବକ ମନକୁ ଛୁଇଁବା ଭଳି ଲେଖା ଲେଖିବା ଉପରେ ଗୁରୁତ୍ୱାରୋପ କରିଥିଲେ। ଅନ୍ୟତମ ଅତିଥି ଶ୍ରୀ ଦାଶ ବେନହୁର, ମା’କୁ ସର୍ବଶ୍ରେଷ୍ଠ ସ୍ଥାନ ଦେଇ ନାରୀର ସର୍ଜନାତ୍ମକ ପ୍ରତିବଦ୍ଧତା ସମ୍ପର୍କରେ ଆଲୋକପାତ କରିଥିଲେ। କାର୍ଯ୍ୟକ୍ରମରେ ଅନୁଷ୍ଠାନର ମୁଖପତ୍ର ‘ମୈତ୍ରେୟୀ’ ଉନ୍ମୋଚିତ ହୋଇଥିଲା।
ଏଥି ସହିତ ଦିବଂଗତ ଶୁଭ୍ରାଂଶୁ ଭୂଷଣ ପାଟଯୋଷୀଙ୍କ କବିତା ସଙ୍କଳନ ‘ଈଶାନୁରାଗ’ ଏବଂ ଅଶୋକ କୁମାର ମହାନ୍ତିଙ୍କ ଦ୍ବାରା ଇଂରାଜୀରେ ଅନୁଦିତ ସୁଲେଖିକା ସୁଷମା ମିଶ୍ରଙ୍କ ଗଳ୍ପ ପୁସ୍ତକ ‘ଦି ଇଣ୍ଟିମେଟ୍ ଆର୍ଥ’ ଉନ୍ମୋଚିତ ହୋଇଥିଲା।
ମୈତ୍ରେୟୀ ଲେଖିକା ସଙ୍ଗଠନର ସଭାପତି ଶ୍ରୀମତୀ ସୁଷମା ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ୟ୍ୟକ୍ରମରେ ସାଧାରଣ ସମ୍ପାଦକ ଲକ୍ଷ୍ମୀ ଚାନ୍ଦ୍ ବାର୍ଷିକ ବିବରଣୀ ପାଠ କରିଥିଲେ। ଛନ୍ଦା ମିଶ୍ର ପ୍ରାରମ୍ଭିକ ସ୍ୱାଗତ ସଙ୍ଗୀତ ଗାନ କରିଥିବା ବେଳେ ମିତା ପଟ୍ଟନାୟକ ଅତିଥି ପରିଚୟ ପ୍ରଦାନ ଏବଂ ସୁଜାତା ମହାପାତ୍ର କାର୍ୟ୍ୟକ୍ରମକୁ ସଞ୍ଚାଳନ କରିଥିଲେ। ଉତ୍ସବରେ ମୈତ୍ରେୟୀ ପତ୍ରିକାର ପ୍ରଚ୍ଛଦ ଶିଳ୍ପୀ ମାନମୟୀ ରଥ ଏବଂ ସ୍ୱାଗତିକା ସେଠୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।
ରାଜ୍ୟ ତଥା ଦେଶର ବିଭିନ୍ନ ପ୍ରାନ୍ତରୁ ମୈତ୍ରେୟୀମାନେ ଏହି ଉତ୍ସବର ବିଭିନ୍ନ କାର୍ୟ୍ୟକ୍ରମରେ ଉତ୍ସାହର ଯୋଗଦାନ କରି ପରିଚାଳନାରେ ସହଯୋଗ କରିଥିଲେ। ବିଶିଷ୍ଟ ଲେଖିକା ହିରଣ୍ମୟୀ ମିଶ୍ର ଓ ଜୟନ୍ତୀକା ଦାସ ପ୍ରମୁଖ ଯୋଗଦେଇ ମୈତ୍ରେୟୀମାନଙ୍କୁ ଶୁଭକାମନା ଜଣାଇଥିଲେ। ଏହି ଅବସରରେ ମୈତ୍ରେୟୀ ଲେଖିକାମାନଙ୍କର ଏକ ପୁସ୍ତକ ପ୍ରଦର୍ଶନୀ ମଧ୍ୟ ଅନୁଷ୍ଠିତ ହୋଇଥିଲା। ଶେଷରେ ପଦ୍ମଜା ଶରଣ ଧନ୍ୟବାଦ ଅର୍ପଣ କରିଥିଲେ।
Comments are closed.