www.samajalive.in
Sunday, December 7, 2025
26.1 C
Bhubaneswar

ଆଜି ନୀଳାଦ୍ରି ବିଜେ

ପୁରୀ: ରଥଉପରେ ଦାରୁବ୍ରହ୍ମଙ୍କୁ ରବିବାର ଅଧରପଣା ଭୋଗ କରାଯାଇଛି। ଶ୍ରୀଜୀଉଙ୍କୁ ଅର୍ପଣପରେ ପାର୍ଶ୍ବ ଦେବଦେବୀଙ୍କ ଉଦେଶ୍ୟରେ ଭଙ୍ଗାଯାଇଛି ଅଧରପଣା ହାଣ୍ଡି। ଅଧରପଣା ପାଇ ଚଣ୍ଡୀଚାମୁଣ୍ଡା ସନ୍ତୁଷ୍ଟ ହୋଇଛନ୍ତି। ମଧ୍ୟାହ୍ନଧୂପ ପରେ ରଥରେ ପ୍ରଭୁଙ୍କ ଅଧର ଉଚ୍ଚ ପର୍ଯ୍ୟନ୍ତ ତିନିଗୋଟି ଲେଖାଏ ମାଟିହାଣ୍ଡି ରଖାଯାଇଥିଲା। ମହାସୁଆର ସେବକମାନେ ସେଥିରେ କ୍ଷୀର, ସର, ଛାଚି, କଦଳୀ, ଛେନା, ଗୋଲମରିଚଗୁଣ୍ଡ, କର୍ପୂର ଏବଂ ଜାଇଫଳ ପକାଇ ପଣା ପ୍ରସ୍ତୁତ କରିଥିଲେ। ଏଥିପାଇଁ ଛାଉଣିମଠ କୂଅରୁ ପାଣି ଅଣାଯାଇଥିଲା। ପଣା ପ୍ରସ୍ତୁତ ହେବାପରେ ପତ୍ରିବଡୁ, ସୁଆରବଡୁ ଓ ଗରାବଡୁ ସେବକ ପୂଜାଠା କରିଥିଲେ। ପୂଜାପଣ୍ଡାଙ୍କ ଦ୍ୱାରା ପଞ୍ଚୋପଚାରରେ ଦାରୁବ୍ରହ୍ମଙ୍କୁ ଅଧରପଣା ଅର୍ପଣ କରାଯାଇଥିଲା। ପଣାଭୋଗ ସମୟରେ ଠାକୁରଙ୍କ ସମ୍ମୁଖରେ ଟେରା ବନ୍ଧାଯାଇଥିଲା। ଭୋଗପରେ ଅଧରହାଣ୍ଡି ଗୁଡିକୁ ଭଙ୍ଗା ଯାଇଥିଲା। ରଥ ଚତୁଃପାର୍ଶ୍ବରେ ବିଜେ କରିଥିବା ପାର୍ଶ୍ବ ଦେବଦେବୀଙ୍କ ସମେତ ଚଣ୍ଡୀଚାମୁଣ୍ଡାଙ୍କ ଉଦେଶ୍ୟରେ ଅଧରପଣା ହାଣ୍ଡି ଭଙ୍ଗାଯିବା ବିଧିରହିଛି। ଅଧରପଣା ପାଇଁ ଶ୍ରୀମନ୍ଦିର ପ୍ରଶାସନ, ରାଘବଦାସ ମଠ ଓ ବଡଓଡ଼ିଆ ମଠ ଅଧରହାଣ୍ଡି ଯୋଗାଇ ଦେଇଥିଲେ। ଅଧରପଣା ନୀତି ସମ୍ପନ୍ନ ହେବା ପରେ ରଥଉପର ପାଣି ପକାଯାଇ ପରିଷ୍କାର କରାଯାଇଥିଲା। ପାଳିଆ ସେବକ ମହାପ୍ରଭୁଙ୍କୁ ମହାସ୍ନାନ କରାଇଥିଲେ । ଚତୁର୍ଦ୍ଧାମୂର୍ତ୍ତିଙ୍କୁ ବେଶ, ସନ୍ଧ୍ୟାଆଳତି, ସନ୍ଧ୍ୟାଧୂପ, ଚନ୍ଦନଲାଗି, ବଡ଼ସିଂହାର ବେଶ, ବଡ଼ସିଂହାର ଭୋଗ, ରାତ୍ରପହୁଡ କରାଯାଇଥିଲା। ସୋମବାର ପ୍ରଭୁଙ୍କୁ ନୀଳାଦ୍ରି ବିଜେ କରାଯିବ। ରଥଉପରେ ସନ୍ଧ୍ୟାଆଳତି ଓ ସନ୍ଧ୍ୟାଧୂପ ପରେ ଚାରମାଳ ବନ୍ଧାଯିବ। ସିଂହାସନ ମାଜଣା ପରେ ପୁଷ୍ପାଞ୍ଜଳି ଦିଆଯିବ। ଅପରାହ୍ଣ ୪ଟାରେ ଶ୍ରୀଜୀଉଙ୍କ ନୀଳାଦ୍ରି ପହଣ୍ଡି ଆରମ୍ଭ ହେବା କାର୍ଯ୍ୟକ୍ରମ ରହିଛି। ଦଇତାପତି ସେବକ ମହାପ୍ରଭୁ ଶ୍ରୀବଳଭଦ୍ର, ଶ୍ରୀଜଗନ୍ନାଥ, ଦେବୀ ସୁଭଦ୍ରା ଏବଂ ଚକ୍ରରାଜ ଶ୍ରୀସୁଦର୍ଶନଙ୍କୁ ପହଣ୍ଡିବିଜେ କରାଇବେ। ପହଣ୍ଡି ଶେଷହେବା ପରେ ରତ୍ନସିଂହାସନ ଉପରେ ରୁନ୍ଧାନୀତି ସମ୍ପନ୍ନ ହେବ। ପରମ୍ପରା ଅନୁଯାୟୀ ଅନ୍ୟାନ୍ୟ ନୀତି କରାଯିବ ବୋଲି ମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି। ନୀଳାଦ୍ରି ବିଜେ ସମୟରେ କାଳିଆ ଠାକୁର ଶ୍ରୀଜଗନ୍ନାଥ ମହାଲକ୍ଷ୍ମୀଙ୍କୁ ରସଗୋଲା ଖୁଆଇ ମାନଭଞ୍ଜନ କରିବା ବିଧି ରହିଛି। ମଙ୍ଗଳବାରଠାରୁ ଶ୍ରୀଜଗନ୍ନାଥ ମନ୍ଦିରରେ ମହାପ୍ରସାଦ ଉପଲବ୍ଧ ହେବ। ତାହାକୁ ନୀଳାଚଳ ଅବଢା ବୋଲି କୁହାଯାଏ।

Hot this week

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

Related Articles

Popular Categories