ଆଶା ମହାନଦୀ

ଭୁବନେଶ୍ଵର: ମହାନଦୀ ଜଳ ବିବାଦର ଆପୋସ ସମାଧାନ ଶୀଘ୍ର ହେବା ନେଇ ଉଭୟ ଓଡ଼ିଶା ଓ ଛତିଶଗଡ଼ର ମୁଖ୍ୟମନ୍ତ୍ରୀ ଏକମତ ହୋଇଥିବା ଖବର ପ୍ରକାଶ ପାଇଛି। ନିକଟରେ ଓଡ଼ିଶା ଗସ୍ତରେ ଆସିଥିବାବେଳେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାୟ ଏ ନେଇ ରାଜି ହୋଇଥିବା ଆମ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ବିଶ୍ବ ଜଳ ଦିବସ ଅବସରରେ ମୁଖ୍ୟମନ୍ତ୍ରୀଙ୍କ ଏହି ସୂଚନା ଅନେକଙ୍କ ମନରେ ଆଶା ସଂଚାର କରିବା ସ୍ବାଭାବିକ। କାରଣ ସମସ୍ତଙ୍କୁ ଊଣା ଅଧିକେ ଜଣା ଯେ ଜଳ ବିବାଦର ସ୍ଥାୟୀ ସମାଧାନ କେବଳ ରାଜନୀତିକ ଇଚ୍ଛାଶକ୍ତି ଓ ଆପୋସ ବିଚାର ଦ୍ବାରା ସମ୍ଭବ। ଟ୍ରାଇବ୍ୟୁନାଲକୁ ଏଭଳି ମାମଲା ଗଲେ ଏହା ଏକ ପ୍ରକାର ଶୀତଳ ଭଣ୍ଡାରକୁ ଚାଲିଯାଏ ଏ କଥା ଆମ ଅନୁଭୂତି ଓ ରେକର୍ଡରୁ ସ୍ପଷ୍ଟ। ମହାନଦୀ ଜଳବିବାଦ ଅତ୍ୟନ୍ତ ଜଟିଳ ଓ ସ୍ପର୍ଶକାତର। ଉପର ମୁଣ୍ଡରେ ଥିବା ମହାନଦୀ ଅବବାହିକାରେ ଛତିଶଗଡ଼ ଅନେକ ଡ୍ୟାମ ଓ ଆନିକଟ ନିର୍ମାଣ କରି ପାଣି ଅଟକାଇବାରୁ ଓଡ଼ିଶାରେ ନଦୀର ନିମ୍ନ ଅବବାହିକା ବର୍ଷା ଦିନକୁ ଛାଡ଼ିଦେଲେ ଅନ୍ୟ ଆଠମାସ ଶୁଖିଲା ପଡ଼ୁଛି। ରାଜ୍ୟର ପ୍ରମୁଖ ନଦୀ ଏବଂ ଅର୍ଦ୍ଧାଧିକ ଜିଲାର ଜୀବନରେଖାର ପ୍ରବାହକୁ ବେଆଇନ ଭାବେ ଉପରମୁଣ୍ଡରୁ ବନ୍ଦ କରିଦେବା ଏକ ଘୋର ଅନ୍ୟାୟ। ଏହି ସ୍ତମ୍ଭରେ ଆମେ ବାରମ୍ବାର ଦାବି କରି ଆସୁଛୁ ଯେ ଦେଶର ସବୁ ଆନ୍ତଃପ୍ରାଦେଶିକ ନଦୀଗୁଡ଼ିକୁ କେନ୍ଦ୍ର ସରକାର ଜାତୀୟକରଣ କରି ନିମ୍ନ ଅବବାହିକାର ରାଜ୍ୟଙ୍କୁ ଆବଶ୍ୟକ ପରିମାଣର ଜଳ ଛାଡ଼ିବାକୁ ଆଇନ ପ୍ରଣୟନ କରି ତାହାକୁ କାର୍ଯ୍ୟକାରୀ କରନ୍ତୁ। ନଦୀଜଳବଣ୍ଟନ ଏକ ଜାତୀୟ ସମସ୍ୟା ହୋଇଥିଲେ ମଧ୍ୟ କେନ୍ଦ୍ର ସରକାର ଏଥିପ୍ରତି ଏକ ପ୍ରକାର ଉଦାସୀନତା ପ୍ରକାଶ କରୁଛନ୍ତି। ଫଳରେ ବିବାଦ ଟ୍ରାଇବ୍ୟୁନାଲକୁ ଯାଇ ଗଡ଼ିବା ସାର ହେଉଛି।
ମହାନଦୀ ଜଳ ବିବାଦର ସମାଧାନ ଘେନି ଆମ ମୁଖ୍ୟମନ୍ତ୍ରୀଙ୍କ ବିବୃତି ଆଶା ଉଦ୍ରେକାକାରୀ ହେଲେ ମଧ୍ୟ ଏଥିରେ ରାଜନୀତିକ ସ୍ବର ଓ ଅତ୍ୟଧିକ ଆତ୍ମବିଶ୍ବାସ ରହିଛି। ବିବାଦର ରାଜନୀତିକ ସମାଧାନରେ ଟ୍ରିପିଲ ଇଞ୍ଜିନ୍‌ ସରକାରଙ୍କ ଭୂମିକା କଥା ସେ କହିଛନ୍ତି। ହଁ ଏହା ସତ୍ୟ ଯେ ଓଡ଼ିଶା, ଛତିଶଗଡ଼ ଓ କେନ୍ଦ୍ରରେ ବିଜେପି ସରକାର ରହିଛି ଏବଂ ତିନିପକ୍ଷ ଚାହିଁଲେ ଏହି ବିବାଦର ସ୍ଥାୟୀ ସମାଧାନ ଅସମ୍ଭବ ନୁହେଁ। ଆପୋସ ଆଲୋଚନା ମାଧ୍ୟମରେ ବିବାଦର ସମାଧାନ ହୋଇ ଜଳବଣ୍ଟନ ସୂତ୍ର ବାହାରିଲେ ଟ୍ରାଇବ୍ୟୁନାଲ ମାମଲା ଅନାବଶ୍ୟକ ହୋଇଯିବ। ହେଲେ ଏଥିରେ କେନ୍ଦ୍ର ସରକାରଙ୍କ ମଧ୍ୟସ୍ଥତାର ଗ୍ୟାରେଣ୍ଟି ଦେବ କିଏ?
ଏହା ଅବଶ୍ୟ ସତ୍ୟ ଯେ କେନ୍ଦ୍ର ସରକାରଙ୍କ ଚାପ ପଡ଼ିଲେ ଛତିଶଗଡ଼ର ବିଜେପି ସରକାର ଏ କ୍ଷେତ୍ରରେ ନରମ ଆଭିମୁଖ୍ୟ ଗ୍ରହଣ କରିପାରେ। ତେବେ ନଦୀଜଳ ପ୍ରସଙ୍ଗ ଏବେ ସାରା ଦେଶରେ ଏତେ ସ୍ପର୍ଶକାତର ଓ ବିବାଦୀୟ ହୋଇଛି ଯାହାକୁ ନେଇ ହଠାତ୍‌ ଏକ ରାଜନୀତିକ ମତୈକ୍ୟ ଆଣିବା କଷ୍ଟସାଧ୍ୟ। ଛତିଶଗଡ଼ର ବର୍ତ୍ତମାନର ବିରୋଧୀ କଂଗ୍ରେସ ଓ ଅନ୍ୟଦଳମାନେ ଏହି ଆପୋସ ବୁଝାମଣା ପ୍ରସଙ୍ଗକୁ ରାଜନୀତିକ ଦୃଷ୍ଟିରୁ ବିରୋଧ କରିବାର ସମ୍ଭାବନା ଅଧିକ।
ତେଣୁ କଥାରେ କହିଦେବା ଓ କାର୍ଯ୍ୟକାରୀ କରିବାର ବାସ୍ତବତା ମଧ୍ୟରେ ପାର୍ଥକ୍ୟ ଅନେକ । ଆପୋସ ଆଲୋଚନା ଓ ବୁଝାମଣା ପ୍ରୟାସ ଭଲ। ଏହା ସହିତ ସ୍ପଷ୍ଟ ବୈଧାନିକ ବ୍ୟବସ୍ଥା ଅଧିକ ଗ୍ରହଣୀୟ। ଜଳବାୟୁ ପରିବର୍ତ୍ତନର ପ୍ରଭାବରେ ବର୍ଷା କମିଲାଣି। ତେଣେ ନଦୀର ଜଳ ପ୍ରବାହକୁ ଉପର ମୁଣ୍ଡରୁ ରୋକି ପାଣିକୁ ଚାଷବାସ ଆଳରେ ଶିଳ୍ପକୁ ବିକିବା ଏକ ବିପଜ୍ଜନକ ସ୍ଥିତି ନିମ୍ନ ଅବବାହିକାର ଲୋକଙ୍କ ପାଇଁ ସୃଷ୍ଟି କରିବ। ମହାନଦୀରେ ଇତି ମଧ୍ୟରେ ଅନେକ ପାଣି ବହିଗଲାଣି। ଏବେ ଆମ ଆଶା ଯେ ରାଜନୀତିକ ବିବୃତିରେ ପୂରଣ ହେବ ସେ ସମ୍ଭାବନା ଶୁଖିଲା ନଦୀ ଶଯ୍ୟାକୁ ଚାହିଁଲେ ବିଶ୍ବାସ ହେଉନାହିଁ। ତଥାପି ଉଦ୍ୟମ କରିବା ଓ ଆଶାରେ ବଞ୍ଚିବା।

Comments are closed.