ପାଞ୍ଚ ବର୍ଷ ମଧ୍ୟରେ ମହାଲିଙ୍ଗ ଆଞ୍ଚଳିକ ମହାବିଦ୍ୟାଳୟକୁ ମିଳିଥିଲା ପରୀକ୍ଷା କେନ୍ଦ୍ରର ମାନ୍ୟତା

ସୂଚନା ଅଧିକାର ଆଇନ ସହାୟତାରେ ତଥ୍ୟ
ବଲାଙ୍ଗିର: କଳାହାଣ୍ଡି ଜିଲାର ବହୁଚର୍ଚ୍ଚିତ ମହାଲିଙ୍ଗ ଯୁକ୍ତ ଦୁଇ ଆଞ୍ଚଳିକ ମହାବିଦ୍ୟାଳୟ ଅଧ୍ୟକ୍ଷା ମମିତା ମେହେରଙ୍କୁ ବିଭତ୍ସ ଭାବେ ହତ୍ୟା କରିବା ଘଟଣା ସମଗ୍ର ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା । ମମିତାଙ୍କ ଶବକୁ ଖଣ୍ଡ ଖଣ୍ଡ କରି ପୋଡିବା ପରେ କଲେଜ ପରିସରରେ ଥିବା ପଡିଆରେ ପୋତି ଦିଆଯାଇଥିଲା । ଜଘନ୍ୟ ହତ୍ୟାକାଣ୍ଡରେ ଶାସକ ଦଳ ନେତାଙ୍କ ସମ୍ପୃକ୍ତିର ଅଭିଯୋଗ ଉଠିବା ସହ ମହାବିଦ୍ୟାଳୟକୁ ପ୍ରଦାନ କରାଯାଇଥିବା ସରକାରୀ ସହାୟତା ଓ ଅନୁଦାନକୁ ନେଇ ଅନେକ ଆଲୋଚନା ହୋଇଥିଲା ଓ ମହାବିଦ୍ୟାଳୟ ପ୍ରତି ଅହେତୁକ ସରକାରୀ ଅନୁକମ୍ପାର ଅଭିଯୋଗ ମଧ୍ୟ ଉଠିଥିଲା ।
ବଲାଙ୍ଗିରର ବିଶିଷ୍ଟ ସୂଚନା ଅଧିକାର କର୍ମୀ ହେମନ୍ତ ପଣ୍ଡା ସୂଚନା ଅଧିକାର ଆଇନ ସହାୟତାରେ ଏ ସମ୍ପର୍କରେ ତଥ୍ୟ ହାସଲ କରିଥିଲେ। ସୂଚନା ଅଧରକାର ତଥ୍ୟରୁ ଜଣାପଡିଛି ଯେ, ସମଗ୍ର ରାଜ୍ୟରେ ମହାବିଦ୍ୟାଳୟ ପ୍ରତିଷ୍ଠା ହେବା ପାଞ୍ଚ ବର୍ଷ ମଧ୍ୟରେ ପରୀକ୍ଷା କେନ୍ଦ୍ରର ମାନ୍ୟତା କେବଳ ମହାଲିଙ୍ଗ ଆଞ୍ଚଳିକ ମହାବିଦ୍ୟାଳୟକୁ ମିଳିଥିଲା । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଓଡିଶା ପକ୍ଷରୁ ସୂଚନା କର୍ମୀ ଶ୍ରୀ ପଣ୍ଡାଙ୍କୁ ଏହି ତଥ୍ୟ ପ୍ରଦାନ କରାଯାଇଛି। ମହାଲିଙ୍ଗ କଲେଜକୁ ପରିକ୍ଷା କେନ୍ଦ୍ରରେ ପରିଣତ କରିବା ପାଇଁ କିଏ ସୁପାରିଶ କରିଥିଲେ ଏହି ତଥ୍ୟ ପରିଷଦ କାର୍ୟ୍ୟାଳୟରେ ମିଳି ପାରୁ ନାହିଁ ବୋଲି କୁହାଯାଇଛି। ମହାଲିଙ୍ଗ କଲେଜରେ ୨୦୧୩ ମସିହାରେ ପଦାର୍ଥ ବିଜ୍ଞାନ ଓ ରସାୟନ ବିଜ୍ଞାନ ପ୍ରଶ୍ନପତ୍ର ପ୍ରଘଟ ହୋଇଥିଲା। ଏହା ଦ୍ୱାରା ରାଜ୍ୟର ହଜାର ହଜାର ଛାତ୍ରଛାତ୍ରୀ ଘୋର ଅସୁବିଧାର ସମ୍ମୁଖୀନ ହୋଇଥିଲେ । ପ୍ରଶ୍ନପତ୍ର ପ୍ରଘଟକୁ ନେଇ ୮ ମାର୍ଚ୍ଚ ୨୦୧୩ରେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ପରୀକ୍ଷା କମିଟି ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ ମାର୍ଚ୍ଚ ୭ ରେ ହୋଇଥିବା ପଦାର୍ଥ ବିଜ୍ଞାନ ପରୀକ୍ଷାକୁ ବାତିଲ କରାଯାଇଥିବା ବେଳେ ମାର୍ଚ୍ଚ ୯ ରେ ହେବାକୁ ଥିବା ରସାୟନ ବିଜ୍ଞାନ ପରୀକ୍ଷାକୁ ମାର୍ଚ୍ଚ ୩୦କୁ ଘୁଞ୍ଚାଇ ଦିଆଯାଇଥିଲା । କିନ୍ତୁ ପରୀକ୍ଷା କମିଟି ବୈଠକରେ ପାସ୍ କରାଯାଇଥିବା ପ୍ରସ୍ତାବରେ ପରୀକ୍ଷା କେନ୍ଦ୍ର ବିଷୟରେ ଶଦ୍ଦଟିଏ ମଧ୍ୟ ଉଲ୍ଲେଖ ନାହିଁ ।

prayash

ସୂଚନା ଅଧିକାର କର୍ମୀ ଶ୍ରୀ ପଣ୍ଡା ପୁଣି ଉଲ୍ଲେଖ କରିଛନ୍ତି ଯେ, ଗୋଲାମୂଣ୍ଡା ବ୍ଲକରେ ମହାଲିଙ୍ଗ ଅବସ୍ଥିତ । ଗୋଲାମୁଣ୍ଡା ବ୍ଲକ ଅଞ୍ଚଳର ବିଭିନ୍ନ ଅନୁ୍‌ଷ୍ଠାନ ଗୁଡିକୁ ଗତ ପାଞ୍ଚ ବର୍ଷ ମଧ୍ୟରେ ଅର୍ଥାତ୍ ୨୦୧୫-୧୬ ବର୍ଷରୁ ୨୦୨୦-୨୧ ବର୍ଷ ମଧ୍ୟରେ ପଶ୍ଚିମ ଓଡିଶା ବିକାଶ ପରିଷଦ ପକ୍ଷରୁ ସମୂଦାୟ ୨ କୋଟି ୨୯ ଲକ୍ଷ ଟଙ୍କା ଯୋଗାଇ ଦିଆ ଯାଇଥିବା ବେଳେ କେବଳ ମହାଲିଙ୍ଗ ଆଞ୍ଚଳିକ ମହାବିଦ୍ୟାଳୟ ଓ ଡିଗ୍ରି କଲେଜକୁ ୬୫ ଲକ୍ଷ ଟଙ୍କା ଯୋଗାଇ ଦିଆଯାଇଛି । ଏକ ପଛୁଆ ଅଞ୍ଚଳର ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନ ଗୁଡିକ ବିକାଶ ପରିଷଦ ଅନୁଦାନ ପାଇବା ପାଇଁ ଚାତକ ପକ୍ଷୀ ପରିଚାହିଁ ରହିଥିବା ବେଳେ ଏହି ନିର୍ଦ୍ଦିଷ୍ଟ ମହାଲିଙ୍ଗ କଲେଜକୁ ସର୍ବାଧିକ ରାଶି ପ୍ରଦାନ କରାଯିବା ସରକାରୀ ପ୍ରୀୟାପ୍ରିତୀ ତୋଷଣର ନଗ୍ନ ରୂପ ବୋଲି ସେ କହିଛନ୍ତି । ବିକାଶ ପରିଷଦ ଅନୁଦାନ ଟଙ୍କାରେ ନିର୍ମାଣ କରାଯାଇଥିବା ଖେଳ ପଡିଆରେ ମମିତାଙ୍କୁ ପୋଡି ପୋତି ଦିଆଯାଇଥିବା ଭଳି ସମ୍ବେଦନଶୀଳ ଖବର ଲୋକ ଲୋଚନକୁ ଆସିଥିଲା । ସରକାରୀ ବ୍ୟବସ୍ଥା ସହିତ ହତ୍ୟାକାଣ୍ଡ ଅଭିଯୁକ୍ତର ନିବିଡ ସମ୍ପର୍କ ଥିବା ଏହି ସବୁ ତଥ୍ୟରୁ ସ୍ପଷ୍ଟ ହୋଇଛି । ଏହି ମହାବିଦ୍ୟାଳୟକୁ ସରକାରୀ ବ୍ୟବସ୍ଥାର ନିକଟତର କରିବା ପାଇଁ ଯେଉଁମାନଙ୍କର ହାତ ରହିଛି ସେମାନଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଠାରେ ଶ୍ରୀ ପଣ୍ଡା ଦାବି କରିଛନ୍ତି ।

kalyan agarbati

Comments are closed.