ଭୁବନେଶ୍ୱର: ଷ୍ଟିଲ ସିଟି ରାଉରକେଲାର ଇନ୍ଦିରା ଗାନ୍ଧୀ ପାର୍କ ଆଖପାଖ ଅଂଚଳ ଏବେ ଦିନରେ ବି ଶୂନଶାନ। ତେବେ ଶୂନଶାନ ହେବାର କାରଣ ମାଓବାଦୀ କି ଆତଙ୍କବାଦୀ ନୁହନ୍ତି ବରଂ ପାଗଳ କୁକୁରର ଆତଙ୍କ ଯୋଗୁ ଏବେ ଶାନ୍ତିରେ ବାହାରେ ବୁଲି ପାରୁନାହାନ୍ତି ଲୋକେ। ଗତ ୩ ଦିନ ମଧ୍ୟରେ ପାଗଳ କୁକୁର କାମୁଡ଼ାରେ ପ୍ରାୟ ୨୦୦ରୁ ଅଧିକ ଲୋକ ଆହତ ହେବା ସହ ଇଞ୍ଜେକ୍ସନ ନେବାକୁ ଡାକ୍ତରଖାନା ବାହାରେ ଲାଇନ ଦେଉଛନ୍ତି। ଏହି ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଏ ସମ୍ପର୍କରେ ରାଉରକେଲା ସରକାରୀ ଡାକ୍ତରଖାନାର ଜଣେ ଡାକ୍ତର କହିଛନ୍ତି ଯେ ଗତ ୩ ଦିନ ମଧ୍ୟରେ ଇଞ୍ଜେକ୍ସନ ନେବା ପାଇଁ ୨୦୦ରୁ ଅଧିକ କୁକୁର କାମୁଡ଼ା ରୋଗୀ ଆସିଛନ୍ତି। ହସ୍ପିଟାଲ ନିର୍ଦ୍ଦେଶକ ଡାକ୍ତର ଦୀନବନ୍ଧୁ ପଣ୍ଡା କହିଛନ୍ତି, ପ୍ରତ୍ୟେକ ଦିନ ୭୦ରୁ ୮୦ଟି କୁକୁର କାମୁଡ଼ା ମାମଲା ଆସୁଛି।
ଗତ ରବିବାର ଏହି ସଂଖ୍ୟା ୧୪୧ ଟପି ଯାଇଥିଲା। ସଠିକ ଭାବରେ କେତେ ଲୋକ ପାଗଳ କୁକୁର କାମୁଡ଼ା ଶିକାର ହୋଇଛି ତାହା ଏ ଯାଏଁ ସ୍ପଷ୍ଟ ହୋଇନଥିଲେ ମଧ୍ୟ ଅନେକ ଲୋକ ଏହାର ଶିକାର ହୋଇଥିବା ଅନୁମାନ କରାଯାଉଛି। ଡାକ୍ତର ପଣ୍ଡା କହିଛନ୍ତି ଯେ ହସ୍ପିଟାଲରେ ପର୍ଯ୍ୟାପ୍ତ ମାତ୍ରାରେ ଇଞ୍ଜେକ୍ସନ ଉପଲବ୍ଧ ଅଛି। ଇତି ମଧ୍ୟରେ ରାଉରକେଲା ମୁନିସିପାଲ କର୍ପୋରେସନକୁ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଥିବା ଜିଲ୍ଲାପାଳ କହିଛନ୍ତି।
ରାଉରକେଲା ମୁନିସିପାଲ କର୍ପୋରେସନ ଉପାଧ୍ୟକ୍ଷ ସୁଧାଂଶୁ ଭୂଇ କହିଛନ୍ତି, କୁକୁର ଧରିବା ସ୍କ୍ୱାର୍ଡ଼ଙ୍କୁ ଏ କ୍ଷେତ୍ରରେ ନିୟୋଜିତ କରାଯାଇଛି। ପାଗଳ କୁକୁରଗୁଡିକ ଧରି ଅଲଗା ରଖିବା ସହ କୁକୁର ସଂଖ୍ୟା ନିୟନ୍ତ୍ରଣ ପାଇଁ ନସବନ୍ଦୀ କରାଯିବ ବୋଲି ସେ କହିଛନ୍ତି। ବିଜେଡି ନେତା ସାରଦା ନାୟକ ହସ୍ପିଟାଲ ବୁଲି ଚିକିତ୍ସା ସମ୍ପର୍କରେ ଡାକ୍ତରଙ୍କ ଠାରୁ ପଚାରି ବୁଝିଛନ୍ତି।



