ଭୁବନେଶ୍ବର : କାଳବୈଶାଖୀ ପ୍ରଭାବରେ ରାଜ୍ୟର ଅଧିକାଂଶ ଜିଲାରେ ଝଡ଼ବର୍ଷା ଓ ବଜ୍ରପାତ ଲାଗିରହିଛି। ଗତ ୨୪ଘଣ୍ଟା ମଧ୍ୟରେ ବାଲେଶ୍ବର, ଚାନ୍ଦବାଲି, କଟକ, ପାରାଦ୍ବୀପ, ଗୋପାଳପୁର, କେନ୍ଦୁଝର,,ଭବାନିପାଟଣା, ବଲାଙ୍ଗୀର, ରାୟଗଡ଼ାରେ ଘଡ଼ଘଡ଼ି ସହିତ ବର୍ଷା ହୋଇଛି। ମାଳକାନଗିରିରେ ସର୍ବାଧିକ ୪୨ମିମି ବର୍ଷା ରେକର୍ଡ଼ କରାଯାଇଛି। କାଳବୈଶାଖୀର ପ୍ରଭାବ ଆହୁରି ୪୮ଘଣ୍ଟା ଲାଗିରହିବ ବୋଲି ସୂଚନା ମିଳିଛି।
ଅନ୍ୟପକ୍ଷରେ ଆସନ୍ତା ୩୦ ତାରିଖରେ ଦକ୍ଷିଣ ଆଣ୍ଡାମାନ ସାଗର ଏବଂ ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ୪୮ଘଣ୍ଟା ଭିତରେ ଏହା ଘନୀଭୁିତ ହୋଇ ପ୍ରଥମେ ଉତ୍ତର-ଉତ୍ତର ପଶ୍ଚିମରେ ଗତି କରିବ। ୩୦ଏପ୍ରିଲରୁ ୩ ମେ ଭିତରେ ଏହା ଉତ୍ତର-ଉତ୍ତର ପୂର୍ବରେ ଆଣ୍ଡାମାନ ଓ ନିକୋବର ଦ୍ବୀପ ଆଡ଼େ ମୁହଁାଇବ। ଏହାର ପ୍ରଭାବରେ ୩୦ରେ ଆଣ୍ଡମାନ ଏବଂ ୧ରେ ଉଭୟ ଆଣ୍ଡାମାନ ଓ ନିକୋବରରେ ପ୍ରବଳ ବର୍ଷା ହେବ। ୨ରେ ମଧ୍ୟ ଉଭୟ ଅଞ୍ଚଳରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି।
ଏହାର ପ୍ରଭାବରେ ୨ ଓ ୩ରେ ଆଣ୍ଡାମାନ ସାଗର, ପାର୍ଶ୍ବବର୍ତ୍ତୀ ପୂର୍ବ ଓ ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗରରେ ୫୦ରୁ ୬୦କିମି ବେଗରେ ପବନ ବହିବ। ଏହି ସମୟରେ ସମୁଦ୍ର ଅଶାନ୍ତ ରହିବ। ମତ୍ସ୍ୟଜୀବୀ ୩୦ ଏପ୍ରିଲରୁ ୩ ମେ ମଧ୍ୟରେ ଆଣ୍ଡାମାନ ସାଗର, ପାର୍ଶ୍ବବର୍ତ୍ତୀ ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଏବଂ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରକୁ ନଯିବା ପାଇଁ ପାଣିପାଗ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି।
କାଳବୈଶାଖୀ ପ୍ରଭାବରେ ଆସନ୍ତାକାଲି ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ବଲାଙ୍ଗୀର, ଗଜପତି, ଗଞ୍ଜାମ, କୋରାପୁଟ, ରାୟଗଡ଼ା, ବୌଦ୍ଧ, ନୂଆପଡ଼ା, ମୟୂରଭଞ୍ଜ, ବାଲେଶ୍ବର ଓ କେନ୍ଦୁଝର ଆଦି ୧୩ଟି ଜିଲାରେ ୪୦ରୁ ୫୦କିମି ବେଗରେ ପବନ ବହିବା ସହିତ ବଜ୍ରପାତର ସମ୍ଭାବନା ରହିଛି। ଏହି ସମୟରେ ପ୍ରବଳ ବର୍ଷା ହୋଇପାରେ। ଏଥିସହିତ ଦକ୍ଷିଣ ଉପକୂଳ ସମେତ ନୂଆପଡ଼ା, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବୌଦ୍ଧ ଓ ସୋନପୁରରେ ୩୦ରୁ ୪୦କିମି ବେଗରେ ପବନ ବହିବା ସହିତ ବର୍ଷା ହେବ। ଓଡ଼ିଶା ଉପକୂଳରେ ଉତ୍ତରପଶ୍ଚିମ ବଙ୍ଗୋପସାଗରରେ ୫୦ରୁ ୬୦କିମି ବେଗରେ ପବନ ବହିବାର ସମ୍ଭାବନା ଥିବାରୁ ମତ୍ସ୍ୟଜୀବୀ ସମୁଦ୍ରକୁ ନଯିବା ପାଇଁ ସତର୍କ କରିଦିଆଯାଇଛି।
୨୮ତାରିଖରେ ଦକ୍ଷିଣ ଉପକୂଳ ଓଡ଼ିଶା, ମାଳକାନଗିରି, କୋରାପୁଟ, ରାୟଗଡ଼ା, ନବରଙ୍ଗପୁରର କିଛି ଅଞ୍ଚଳରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ। ଏହି ସମୟରେ କେନ୍ଦୁଝର, ମୟୂରଭଞ୍ଜ, ଗଞ୍ଜାମ, ଗଜପତି, ନବରଙ୍ଗପୁର, କୋରାପୁଟ, ମାଲକାନଗିରି, କନ୍ଧମାଳ ଓ କଳାହାଣ୍ଡିରେ ୩୦ରୁ ୪୦କିମି ବେଗରେ ପବନ ବହିବା ସହିତ ଏସବୁ ଜିଲାର ଅଧିକାଂଶ ସ୍ଥାନରେ ବର୍ଷାର ସମ୍ଭାବନା ରହିଛି। ୨୯ରେ ୧୨ଟି ଜିଲାରେ କାଳବୈଶାଖୀର ପ୍ରଭାବ ଅନୁଭୂତ ହେବାର ସମ୍ଭାବନା ଥିବାବେଳେ ୩୦ରେ ଦକ୍ଷିଣ ଓଡ଼ିଶା ଉପକୂଳ ସମେତ ୧୧ଟି ଜିଲାରେ ଘଡ଼ଘଡ଼ି ସହିତ ବର୍ଷା ହେବ। ତେବେ ଗଞ୍ଜାମ, ଗଜପତି, ନବରଙ୍ଗପୁର, କୋରାପୁଟ, ମାଲକାନଗିରି, ରାୟଗଡ଼ା, କନ୍ଧମାଳ, ବାଲେଶ୍ବର, ମୟୂରଭଞ୍ଜ, କଟକ, ଢ଼େଙ୍କାନାଳ, ଭଦ୍ରକ ଓ କେନ୍ଦୁଝରରେ ୩୦ରୁ ୪୦କିମି ବେଗରେ ପବନ ବହିବା ସହିତ ବର୍ଷା ହେବାର ସମ୍ଭାବନା ରହିଛି।
୩୦ରୁ ଲଘୁଚାପ, ସପ୍ତାହେ ବର୍ଷିବ
Popular Categories



