www.samajalive.in
Monday, December 8, 2025
13.1 C
Bhubaneswar

ପ୍ରବଳ ବର୍ଷା: ୧୦ ଜିଲ୍ଲାକୁ ରେଡ଼ ୱାର୍ଣ୍ଣିଂ, ଜିଲ୍ଲାପାଳମାନଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ

ଉତ୍ତରପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଆସନ୍ତାକାଲି ସୁଦ୍ଧା ଅବପାତରେ ପରିଣତ ହେବ। ଏହାର ପ୍ରଭାବରେ ରାଜ୍ୟର ଅଧିକାଂଶ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ୧୦ଟି ଜିଲ୍ଲା ବାଲେଶ୍ୱର, ମୟୁରଭଞ୍ଜ, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, ଢେଙ୍କାନାଳ, ବୌଦ୍ଧ, ଜଗତସିଂହପୁର, କଟକ ଏବଂ ଅନୁଗୁଳରେ ପ୍ରବଳ ବର୍ଷା ହେବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ କହିଛି। ଏହି ସବୁ ଜିଲ୍ଲା ପାଇଁ ରେଡ଼ ୱାର୍ଣ୍ଣିଂ ଜାରି କରାଯାଇଛି। ଏହା ଛଡା କଟକ ଏବଂ ଭୁବନେଶ୍ୱରରେ ଅତି ପ୍ରବଳ ବର୍ଷା ହେବ ବୋଲି ସୂଚନା ମିଳିଛି।

- Advertisement -

ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ରାଜ୍ୟରେ ଲଗାଣ ବର୍ଷା ଯୋଗୁ ସୃଷ୍ଟ ପରିସ୍ଥିତିର ସମୀକ୍ଷା କରିଛନ୍ତି। ଶ୍ରୀ ଜେନା ଏକ ଭିଡିଓ ବାର୍ତ୍ତାରେ କହିଛନ୍ତି ଯେ କେନ୍ଦୁଝର, ଦେବଗଡ଼, ସମ୍ବଲପୁର, କନ୍ଧମାଳ, କଳାହାଣ୍ଡି, ପୁରୀ, ଖୋର୍ଦ୍ଧା, ମାଲକାନଗିରି ଓ କୋରାପୁଟ ଜିଲ୍ଲାର କେତେକ ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏହି ସବୁ ଜିଲ୍ଲାଗୁଡ଼ିକ ପାଇଁ ୱାରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ବର୍ଷା ପରବର୍ତ୍ତୀ ପରିସ୍ଥିତି ନେଇ ସ୍ୱତନ୍ତ୍ର ରିଲିଫ କମିଶନର ଆଜି ସମସ୍ତ ଜିଲ୍ଲାର ଜିଲ୍ଲାପାଳଙ୍କ ସହ ଆଲୋଚନା କରିଛନ୍ତି ଓ ସେମାନଙ୍କୁ ଯେ କୌଣସି ପରିସ୍ଥିତିର ମୁକାବିଲା ପାଇଁ ସତର୍କ ରହିବାକୁ କହିଛନ୍ତି। ବିଡ଼ିଓ ଓ ତହସିଲଦାରମାନଙ୍କୁ ମଧ୍ୟ ସତର୍କ ରହିବାକୁ କୁହାଯାଇଥିବା ଏସଆରସି କହିଛନ୍ତି।

ପ୍ରବଳ ବର୍ଷା ହେଲେ ବନ୍ୟା ଜଳ ବୃଦ୍ଧି ପାଇବା ସମ୍ଭାବନା ଥିବାରୁ ବିଭିନ୍ନ ନଦୀ ବନ୍ଧ, ଜଳ ନିଷ୍କାସନ ବ୍ୟବସ୍ଥା ଓ ଡ୍ରେନ ମାଧ୍ୟମରେ ଜଳ ନିଷ୍କାସନ ପ୍ରକ୍ରିୟା ଯେପରି ବାଧାପ୍ରାପ୍ତ ନ ହୁଏ, ସେ ନେଇ ସତର୍କ ରହିବାକୁ ଜନସ୍ୱାସ୍ଥ୍ୟ, ରୁରାଲ ୱାର୍କ୍ସ ଏବଂ ଡ୍ରେନେଜ ବିଭାଗ ଯନ୍ତ୍ରୀମାନଙ୍କୁ ସଜାଗ ରହିବାକୁ କୁହାଯାଇଛି। ଆବଶ୍ୟକ ସ୍ଥଳେ ଉଦ୍ଧାର ଓ ପୁନରୁଦ୍ଧାର କାର୍ଯ୍ୟ ପାଇଁ ଓଡ୍ରାଫ ଏବଂ ଅଗ୍ନିଶମ ବିଭାଗକୁ ପ୍ରସ୍ତୁତ ରହିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି।

ଆଜି ଦିନ ୩ଟା ସୁଦ୍ଧା ରାଜ୍ୟରେ ହାରାହାରି ୧୫ ମିଲିମିଟର ବର୍ଷା ହୋଇଛି ଏବଂ ସର୍ବାଧିକ କେନ୍ଦ୍ରାପଡା ଜିଲ୍ଲାରେ ୬୩ ମିଲିମିଟର ବର୍ଷା ହୋଇଥିବା ସ୍ୱତନ୍ତ୍ର ରିଲିଫ କମିଶନର କହିଛନ୍ତି। ଜଗତସିଂହପୁରରେ ୬୨.୮ ମିମି, ବାଲେଶ୍ୱରରେ ୪୯ ମିମି, ମୟୂରଭଞ୍ଜରେ ୪୨ ମିମି ଏବଂ ପୁରୀରେ ୩୪ ମିମି ବର୍ଷା ରେକର୍ଡ କରାଯାଇଛି।

Hot this week

ଚିନ୍ତାକଳ୍ପ : ମରଣଜୟୀ

ସାତ ସମୁଦ୍ର ତେର ନଈ ସେପାରିରୁ ଭାରତକୁ ଆସିଥିଲେ ବ୍ୟବସାୟ ଉଦ୍ଦେଶ୍ୟରେ।...

ସମ୍ପାଦକୀୟ : ଭାରତ-ରୁଷିଆ ସମ୍ପର୍କ

କେବଳ ରାଜନୀତିକ ବନ୍ଧୁତ୍ବରେ ସୀମିତ ନ ରହୁ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ...

ଦେଶର ୧୦୦ ଦୁର୍ଘଟଣା ପ୍ରବଣ ଜିଲା ତାଲିକା: ୮୪ ରେ ସୁନ୍ଦରଗଡ଼, ୯୦ ରେ ଗଞ୍ଜାମ

ରାଉରକେଲା: ଜାତୀୟ ରାଜପଥ ମନ୍ତ୍ରଣାଳୟ ସଦ୍ୟ ପ୍ରକାଶିତ ରିପୋର୍ଟ ଅନୁସାରେ ଦେଶର...

ସମ୍ପାଦକୀୟ : ସବୁଜ ଶକ୍ତି

କାମରେ ପ୍ରତିଫଳିତ ହେବା ଉଚିତ ପୁରୀରେ ଆୟୋଜିତ ‘ଗ୍ଲୋବାଲ ଏନର୍ଜି ଲିଡର୍ସ ସମିଟ-୨୦୨୫’ରେ...

ଜାଡ଼ରେ ଥରୁଛି ଓଡ଼ିଶା: ଘୁ.ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା

ଭୁବନେଶ୍ବର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁ ରାଜ୍ୟ ମଧ୍ୟକୁ ପ୍ରବାହ କରୁଛି।...

Related Articles

Popular Categories