ନାସିକ୍(ମହାରାଷ୍ଟ୍ର: କଥାରେ ଅଛି ‘ରଖେ ହରି ମାରେ କିଏ’ ? ବିଶ୍ବର ସବୁଠାରୁ ଦାମୀ ୧୬ କୋଟିର ଇଞ୍ଜେକ୍ସନ ଦିଆଯାଇଥିଲେ ମଧ୍ୟ ଦୁଇ ଦିନ ତଳେ ପୁଣେର ୧୩ ମାସର ଶିଶୁ କନ୍ୟା ବେଦିକାଙ୍କୁ ବଞ୍ଚାଇବା ସମ୍ଭବପର ହୋଇ ପାରି ନଥିଲା। ଅନୁରୂପ ଭାବେ ନାସିକ୍ର ଜଣେ ୨ ବର୍ଷର ଶିଶୁ ପୁତ୍ରକୁ ଏହି ଇଞ୍ଜେକ୍ସନ ଦେଇ ଡାକ୍ତରମାନେ ବଞ୍ଚାଇ ପାରିଛନ୍ତି। ଗୁରୁତ୍ବପୂର୍ଣ୍ଣ କଥା ହେଲା ଲଟେରିରେ ଏତେ ଟଙ୍କାର ଇଞ୍ଜେକ୍ସନ ଉଠିବା ପରେ ଗରିବ ବାପା-ମା’ଙ୍କ ମନରେ ଆଶାର କିରଣ ସୃଷ୍ଟି ହୋଇଥିଲା।
ନାସିକର ଶିବରାଜ ନାମକ ଏହି ଶିଶୁପୁତ୍ର ‘ସ୍ପାଇନାଲ ମସ୍କୁଲାର ଆଟ୍ରୋଫି’ ନାମକ ଗମ୍ଭୀର ରୋଗରେ ପୀଡ଼ିତ ଥିଲେ। ଭାରତରେ ଏହି ରୋଗ କମ୍ ସଂଖ୍ୟକ ପିଲାଙ୍କଠାରେ ଦେଖିବାକୁ ମିଳି ଥାଏ। ତେଣୁ ଏହାର ଉପଚାର ପାଇଁ ଆବଶ୍ୟକ ହେଉଥିବା ଇଞ୍ଜେକ୍ସନ ଆମ ଦେଶରେ ମିଳେ ନାହିଁ। ଶିବରାଜଙ୍କୁ ବଞ୍ଚାଇବାକୁ ହେଲେ ଆମେରିକାରୁ ୧୬ କୋଟି ଟଙ୍କା ମୂଲ୍ୟର ଏହି ଇଞ୍ଜେକ୍ସନ ଆଣିବାକୁ ପଡ଼ିବ ବୋଲି ଡାକ୍ତରମାନେ ତା’ର ପିତା ବିଶାଳ ଡାବରେଙ୍କୁ କହିଥିଲେ। ଏହି ଇଞ୍ଜେକ୍ସନର ମୂଲ୍ୟ ଶୁଣି ଦାରିଦ୍ର୍ୟରେ ଶଢୁଥିବା ବିଶାଳ ଓ ତାଙ୍କ ପତ୍ନୀଙ୍କ ପାଦ ତଳୁ ଯେପରି ମାଟି ଧସି ଯାଇଥିଲା। ନିଜର ଘରବାଡ଼ି ତଥା ଚଳଚଳ ସମ୍ପତ୍ତି ବିକ୍ରି କରି ମଧ୍ୟ ଏତେ ଟଙ୍କା ଯୋଗାଡ଼ କରିପାରିବେ ନାହିଁ ବୋଲି ବିଶାଳ ଜାଣିଥିଲେ। ତେଣୁ ଉଭୟ ପତି-ପତ୍ନୀ ପୁତ୍ରର ବଞ୍ଚିବା ଆଶା ଏକ ପ୍ରକାର ଛାଡ଼ି ଦେଇଥିଲେ। ତେବେ ସେମାନଙ୍କ ଭାଗ୍ୟରେ ଭଗବାନ ଆଉ କିଛି ଲେଖିଥିଲେ।
ଆମେରିକାରେ ଏହି ଇଞ୍ଜେକ୍ସନ ନିର୍ମାଣ କରୁଥିବା କମ୍ପାନୀ ଭାରତରେ ଲକି ଡ୍ର (ଲଟେରି ଉଠାଣ) କରୁଥିବା ସଂକ୍ରାନ୍ତରେ ଶିବରାଜଙ୍କୁ ଚିକିତ୍ସା କରୁଥିବା ଡାକ୍ତର ବିଶାଳଙ୍କୁ କହିଥିଲେ। ଯଦି ଏଥିରେ ଲଟେରି ଉଠେ ତେବେ ସମ୍ପୃକ୍ତ ବିଜେତାଙ୍କୁ ମାଗଣାରେ ଏହି ଇଞ୍ଜେକ୍ସନ ଯୋଗାଇ ଦିଆଯାଇଥାଏ। ଡାକ୍ତରଙ୍କ ପାଖରୁ ଏହା ଶୁଣିବା ପରେ ବିଶାଳ ଓ ତାଙ୍କ ପତ୍ନୀ ଏହି ଲଟେରିରେ ସେମାନଙ୍କ ନାମ ପଞ୍ଜିକୃତ କରିଥିଲେ। ଭାଗ୍ୟ ଶିଶୁପୁତ୍ର ଶିବରାଜଙ୍କ ପାଖେପାଖେ ଚାଲିଥିଲା। ପିତା ବିଶାଳ ଏହି ଲଟେରିରେ ବିଜେତା ଘୋଷିତ ହେବା ପରେ ଶିବରାଜଙ୍କୁ ମାଗଣାରେ ୧୬ କୋଟି ଟଙ୍କାର ଇଞ୍ଜେକ୍ସନ ମିଳି ଯାଇଥିଲା। ଏହି ଇଞ୍ଜେକ୍ସନ ଦେବା ପରେ ଶିବରାଜ ଏବେ ସମ୍ପୂର୍ଣ୍ଣ ସୁସ୍ଥ ଥିବା ଡାକ୍ତର କହିଛନ୍ତି।



