www.samajalive.in
Thursday, December 11, 2025
15.1 C
Bhubaneswar

ଗୁମର ଖୋଲିଲେ ବରିଷ୍ଠ ସେବାୟତ ; ପହଣ୍ଡି ବିଭ୍ରାଟ ପାଇଁ ପ୍ରଶାସନ ଦାୟୀ

ପୁରୀ : ଶ୍ରୀଜୀଉଙ୍କ ଆଡପ ପହଣ୍ଡି ବିଭ୍ରାଟ ପାଇଁ ମନ୍ଦିର ପ୍ରଶାସନ ଅବହେଳାକୁ ଦାୟୀ କରିଛନ୍ତି ବରିଷ୍ଠ ସେବାୟତ। ପହଣ୍ଡିରେ ଅତ୍ୟଧିକ ଏବଂ ଅନଭିଜ୍ଞ ସେବକଙ୍କ ଭିଡ ଯୋଗୁ ବିଶୃଙ୍ଖଳା ହେଉଥିବା ସେ କହିଛନ୍ତି। ଶ୍ରୀମନ୍ଦିର ରେକର୍ଡ ଅଫ୍‍ ରାଇଟ୍ସ ଅନୁଯାୟୀ ରଥଯାତ୍ରାରେ ଠାକୁରଙ୍କୁ ପହଣ୍ଡି କରାଯିବା ପାଇଁ ପରିଚାଳନା କମିଟି ବୈଠକରେ ସ୍ଥିର କରାଯାଇଥିଲା। ଦଇତାପତି ନିଯୋଗ କର୍ମକର୍ତ୍ତାଙ୍କ ସହ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଜିଲାପାଳ ଏବଂ ଆରକ୍ଷୀ ଅଧୀକ୍ଷକ ଏକାଧିକବାର ଆଲୋଚନା କରିଥିଲେ। ଠାକୁରଙ୍କ ରଥଯାତ୍ରା ନୀତି ଶୃଙ୍ଖଳିତ କରିବା ପାଇଁ ପ୍ରଶାସନ ବ୍ୟବସ୍ଥାବଳୀ ପ୍ରସ୍ତୁତ କରାଯାଇଛି। କେବଳ ନୀତି ସମ୍ପୃକ୍ତ ସେବକ ଉପସ୍ଥିତ ରହିବେ ବୋଲି ସେଥିରେ ସ୍ପଷ୍ଟ ଭାବେ ଉଲ୍ଳେଖ କରାଯାଇଛି। ଚଳିତବର୍ଷ ରଥ ଉପରୁ ମହାପ୍ରଭୁ ଶ୍ରୀବଳଭଦ୍ର ଏବଂ ଶ୍ରୀଜଗନ୍ନାଥ ଆଡପ ମଣ୍ଡପକୁ ବିଜେ କରିବା ବେଳେ ବିଶୃଙ୍ଖଳା ଦେଖା ଯାଇଥିଲା। ରଥ ସିଂହାସନରୁ ଓହ୍ଲାଇବା ବେଳେ ମହାପ୍ରଭୁ ଝୁଙ୍କି ପଡିଥିଲେ। ଠାକୁରଙ୍କ ସମ୍ମୁଖରେ ବହୁ ସେବକ ରହିବାରୁ ତଳେ ଅପେକ୍ଷା କରିଥିବା ଭକ୍ତମାନେ ପ୍ରଭୁଙ୍କୁ ଦର୍ଶନ କରିପାରି ନଥିଲେ। ଏଥିଯୋଗୁ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା। ଧୂଳିଆ ଗୁଣ୍ଡିଚା (ଆଡପ ପହଣ୍ଡି)ରେ ଏଭଳି ବିଭ୍ରାଟ ପାଇଁ ଜଣେ ପରିଚାଳନା କମିଟି ସଭ୍ୟ ସୋମବାର ମନ୍ଦିର ପ୍ରଶାସନକୁ ଦାୟୀ କରିଛନ୍ତି। ସେ କହିଲେ ଠାକୁରଙ୍କୁ ପହଣ୍ଡି କରିବା ଦଇତାପତି ସେବକଙ୍କ ଗୋଷ୍ଠୀଗତ ସେବା। ପହଣ୍ଡି ସମୟରେ ଶ୍ରୀଜୀଉଙ୍କ କାଖ ପାଖରେ ଦୁଇଜଣ, ଦୁଇ ଭୂଜରେ ଚାରିଜଣ ଏବଂ ଥୁଣ୍ଟିରେ ଦୁଇଜଣ ଲେଖାଏଁ ଦଇତାପତି ରହିଥାନ୍ତି। ପହଣ୍ଡିରେ ବିଜେ ଡୋର ଧରିବା ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ। ଅଭିଜ୍ଞ ଏବଂ ବରିଷ୍ଠ ଦଇତାପତିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଶ୍ରୀଜୀଉଙ୍କୁ ପହଣ୍ଡି କରାଯାଇଥାଏ। ସ୍ୱତ୍ତ୍ୱଲିପି ଅନୁଯାୟୀ ପୂଜାପଣ୍ଡା, ପ୍ରତିହାରୀ, ପୁଷ୍କାଳକ ଓ ସୁଆର ପହଣ୍ଡିରେ ସହଯୋଗ କରନ୍ତି। ଚଳିତ ବର୍ଷ ଆଡପ ପହଣ୍ଡି ବେଳେ ରେକର୍ଡ ଅଫ୍‍ ରାଇଟ୍ସରେ ଥିବା ବ୍ୟବସ୍ଥା ଆଦୌ କାର୍ଯ୍ୟକାରୀ ହୋଇ ନଥିଲା। ତେଣୁ ପ୍ରତି ରଥରେ ବିଭିନ୍ନ ବର୍ଗର ଶତାଧିକ ସେବକ ଠାକୁରଙ୍କ ପହଣ୍ଡି ବେଳେ ଉପସ୍ଥିତ ଥିଲେ। ମନ୍ଦିର ପ୍ରଶାସନ ପକ୍ଷରୁ କୌଣସି କଟକଣା ଜାରି କରାଯାଇ ନଥିଲା। ବରିଷ୍ଠ ପ୍ରଶାସନିକ ଓ ପୁଲିସ ଅଧିକାରୀ ରଥତଳେ ନିରବ ହୋଇ ଛିଡା ହୋଇଥିଲେ। ସ୍ୱତ୍ତ୍ୱଲିପି ବାହାରେ ବହୁ ଯୁବକ ଠାକୁରଙ୍କ ପହଣ୍ଡିରେ ସାମିଲ ହୋଇଥିଲେ। ଏଭଳି ଅବସ୍ଥା ହୋଇଥିଲା ଯେ କେତେଜଣ ବରିଷ୍ଠ ଏବଂ ଅଭିଜ୍ଞ ଦଇତାପତି ରଥ ଉପରକୁ ନଯାଇ ତଳେ ଛିଡା ହୋଇଥିଲେ; ତେଣୁ ଆଡପ ପହଣ୍ଡି ବେଳେ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଥିଲା। ଶ୍ରୀଜୀଉଙ୍କ ଶ୍ରୀଅଙ୍ଗର ସୁରକ୍ଷା ଦଇତାପତିଙ୍କ ଉପରେ ନ୍ୟସ୍ତ ଥିଲେ ମଧ୍ୟ ଆଡପ ପହଣ୍ଡି ବେଳେ ବହୁ ଅନଧିକୃତ, ଅନଭିଜ୍ଞ ଏବଂ ଅତ୍ୟଧିକ ଲୋକ ରଥ ଉପରେ ଚଢିଥିଲେ। ଆଡପ ପହଣ୍ଡିରେ ଦେଖା ଯାଇଥିବା ବିଶୃଙ୍ଖଳାରୁ ଶ୍ରୀମନ୍ଦିର ପ୍ରଶାସନ ଶିଖିବା ଉଚିତ୍‍ ବୋଲି ସେ ମତ ଦେଇଛନ୍ତି। ରଥଯାତ୍ରା ପରେ ଏହାର ସମୀକ୍ଷା କରାଯିବା ସହ ଶ୍ରୀଜୀଉଙ୍କ ପହଣ୍ଡି ବେଳେ କେଉଁ ରଥରେ କେଉଁ ବର୍ଗର କେତେ ସେବକ ଉପସ୍ଥିତ ରହିବେ ସେ ସମ୍ପର୍କରେ ନିର୍ଦ୍ଧାରଣ କରାଯିବାର ଜରୁରୀ ଆବଶ୍ୟକତା ରହିଥିବା ସେ ମତ ଦେଇଛନ୍ତି। ପ୍ରଶାସନ ଅବହେଳା ବିରୋଧରେ ମୁହଁ ଖୋଲିଥିବା ସେବକ ଜଣକ ଶ୍ରୀମନ୍ଦିର ପରିଚାଳନା କମିଟି ସଭ୍ୟ ଥିବାରୁ ନିଜ ନାମ ପ୍ରକାଶ ପାଇଁ ଅନିଛା ପ୍ରକାଶ କରିଛନ୍ତି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories