ନୂଆଦିଲ୍ଲୀ: ୨୦୨୫-୨୭ ବର୍ଷ ପାଇଁ ଅନୁଷ୍ଠିତ ଲୋକସେବକ ମଣ୍ଡଳ ରାଷ୍ଟ୍ରୀୟ ସଭାପତି ପଦ ନିର୍ବାଚନରେ କ୍ରମାଗତ ଭାବେ ତୃତୀୟ ଥର ନିମନ୍ତେ ସର୍ବସମ୍ମତି କ୍ରମେ ଶ୍ରୀ ରାଜକୁମାର ନିର୍ବାଚିତ ହୋଇଛନ୍ତି। ଦିଲ୍ଲୀର ଲଜପତ ଭବନ ଠାରେ ଅନୁଷ୍ଠିତ ଲୋକସେବକ ମଣ୍ଡଳ ରାଷ୍ଟ୍ରୀୟ ସଭାପତି ପଦ ନିର୍ବାଚନରେ ଏକମାତ୍ର ପ୍ରାର୍ଥୀ ଭାବେ ଶ୍ରୀ ରାଜକୁମାର ନାମାଙ୍କନ ପତ୍ର ଦାଖଲ କରିଥିଲେ। ସଭାପତି ପଦରେ ତାଙ୍କର ବିଜୟ ନେଇ ନିର୍ବାଚନ ଅଧିକାରୀ ଅଶୋକ କୁମାର ଜୈନ ଘୋଷଣା କରିଛନ୍ତି।
ସେହିପରି ଲୋକସେବକ ମଣ୍ଡଳ କାର୍ଯ୍ୟନିର୍ବାହୀ ପରିଷଦକୁ ବରିଷ୍ଠ ଆଜୀବନ ସଦସ୍ୟ ଦୀପକ ମାଲବ୍ୟ, ନିରଞ୍ଜନ ରଥ, ରାଜେନ୍ଦ୍ର ଜେନା, ଅନୀତା ଗୋଏଲ, ନିମିଷା ଅମିନ ଓ ନୈନା ଭେକାରିଆ ନିର୍ବାଚିତ ହୋଇଛନ୍ତି। ଅନୁଷ୍ଠାନର ସମ୍ବିଧାନ ଅନୁଯାୟୀ କାର୍ଯ୍ୟନିର୍ବାହୀ ପରିଷଦକୁ ନିର୍ବାଚିତ ସଦସ୍ୟଙ୍କ ମଧ୍ୟରୁ ଲୋକସେବକ ମଣ୍ଡଳ ରାଷ୍ଟ୍ରୀୟ ସଭାପତି ପଦାଧିକାରୀ ମନୋନୀତ କରିବେ।
ସମାଜସେବା କ୍ଷେତ୍ରରେ ସମର୍ପିତ ଶ୍ରୀ ରାଜକୁମାର ଡେରାଡୁନ ଠାରେ ୧୯୫୧ ମସିହା ଅପ୍ରେଲ ୨୮ରେ ଜନ୍ମଗ୍ରହଣ କରିଥିଲେ। ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଶ୍ୟାମଲାଲ କଲେଜରୁ ସେ ସ୍ମାତକ ଡିଗ୍ରୀ ହାସଲ କରିଛନ୍ତି। ଛାତ୍ରବସ୍ଥାରୁ ତାଙ୍କର ସମାଜସେବା ପ୍ରତି ବିଶେଷ ଆଗ୍ରହ ରହିଥିଲା। ତାଙ୍କ ସାଂଗଠନିକ ଦକ୍ଷତାକୁ ଅନୁଭବ କରି ବିଭିନ୍ନ ରାଜନୈତିକ ଦଳ ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରିବା ନିମନ୍ତେ ପ୍ରସ୍ତାବ ଦେଇଥିଲେ। କିନ୍ତୁ ରାଜନୈତିକ ଦଳ ଗୁଡ଼ିକର ପ୍ରସ୍ତାବକୁ ପ୍ରତ୍ୟାଖାନ କରି ନିଜକୁ ସମାଜସେବା କ୍ଷେତ୍ରରେ ନିୟୋଜିତ ରଖିଥିଲେ। ଗାନ୍ଧୀ ବିଚାରର ପ୍ରଚାର, ପ୍ରସାର ପାଇଁ ଦିଲ୍ଲୀର ରାଜଘାଟ ଅହିଂସା ବିଦ୍ୟାଳୟରେ ଯୁବବର୍ଗଙ୍କୁ ତାଲିମ ପ୍ରଦାନ କରିଥିଲେ। ଜରୁରୀକାଳୀନ ପରିସ୍ଥିତି ସମୟରେ ଜୟପ୍ରକାଶ ନାରାୟଣଙ୍କ ଆହ୍ୱାନରେ ଦେଶବ୍ୟାପୀ ଅନୁଷ୍ଠିତ ଆନ୍ଦୋଳନରେ ସେ ସକ୍ରିୟ ଭାବେ ଅଂଶଗ୍ରହଣ କରିଥିଲେ।
୧୯୮୨ ଅକ୍ଟୋବର ମାସରେ ଶ୍ରୀ ରାଜକୁମାର ଆନୁଷ୍ଠାନିକ ଭାବେ ଲୋକସେବକ ମଣ୍ଡଳରେ ଯୋଗଦାନ କରିଥିଲେ। ୧୯୮୫ରୁ ଲୋକସେବକ ମଣ୍ଡଳ ପ୍ରୟାଗରାଜ ଶାଖା ଦାୟିତ୍ୱରେ ରହି ସ୍ଥାନୀୟ ଲୋକଙ୍କ ସାମାଜିକ ଓ ଆର୍ଥିକ ଉନ୍ନତିରେ ପ୍ରୟାସରତ ଅଛନ୍ତି। ୨୦୧୨ରୁ ଦିଲ୍ଲୀ ଶାଖା ଦାୟିତ୍ୱରେ ରହି ବୟସ୍କ, ମହିଳା ଓ ଶିଶୁଙ୍କ କଲ୍ୟାଣ ସହ ବସ୍ତି ଅଞ୍ଚଳର ବ୍ୟାପକ ଉନ୍ନତି କରାଇଛନ୍ତି। ୨୦୨୧ ମାର୍ଚ୍ଚରେ ଲୋକସେବକ ମଣ୍ଡଳ ସଭାପତି ପଦକୁ ପ୍ରଥମ ଥର ନିର୍ବାଚିତ ହୋଇଥିଲେ। ୨୦୨୪ ଫ୍ରେବୃଆରୀରୁ ଓଡ଼ିଆ ଦୈନିକ ଖବରକାଗଜ ‘ସମାଜ’ର ପ୍ରତ୍ୟକ୍ଷ ପରିଚାଳନା ଦାୟିତ୍ୱରେ ଅଛନ୍ତି। ସାଂପ୍ରତିକ ସାମଜରେ ଲାଲା ଲଜପତ ରାୟ, ପଣ୍ଡିତ ଉତ୍କଳମଣି ଗୋପବନ୍ଧୁ ଦାସ, ରାଜର୍ଷି ପୁରୁଷୋତ୍ତମ ଦାସ ଟଣ୍ଡନ, ଲାଲ ବାହାଦୁର ଶାସ୍ତ୍ରୀ, ବଲବନ୍ତ ରାୟ ମେହେଟ୍ଟାଙ୍କ ଭଳି ମନିଷୀଙ୍କ ବିଚାରଧାରର ପ୍ରଚାର ଓ ପ୍ରସାର ଦିଗରେ ସେ ନିରନ୍ତର ପ୍ରୟାସ ଜାରି ରଖିଛନ୍ତି। ସଭାପତି ପଦକୁ କ୍ରମାଗତ ଭାବେ ତୃତୀୟ ଥର ନିର୍ବାଚିତ ହେବା ପରେ ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି।
ପ୍ରକାଶ ଯେ, ସମାଜରେ ଶିକ୍ଷା, ସ୍ୱାସ୍ଥ୍ୟ, ସାମାଜିକ ତଥା ସାଂସ୍କୃତିକ ବିକାଶ ପାଇଁ ଲୋକସେବକ ମଣ୍ଡଳ କାର୍ଯ୍ୟରତ। ସମଗ୍ର ଦେଶରେ କାର୍ଯ୍ୟ କରୁଥିବା ୧୬ଟି ଶାଖା ମଧ୍ୟରୁ ଓଡ଼ିଶା ଶାଖା ଅନ୍ୟତମ। ଜନତାଙ୍କୁ ବିପଦ ସମୟରେ ସହାୟତା ପାଇଁ ସମାଜ ରିଲିଫ କମିଟି, ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଗୋପବନ୍ଧୁ ଇନ୍ଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସ ଆଣ୍ଡ ରିସର୍ଚ୍ଚ ଏବଂ ଶିକ୍ଷା କ୍ଷେତ୍ରରେ ବିଦ୍ୟାଳୟ ଆଦି ଅନୁଷ୍ଠାନର ଓଡ଼ିଶା ଶାଖା ଅଧିନରେ କାର୍ଯ୍ୟ କରୁଛି।



