ପ୍ରକାଶ ପାଇଲା ‘ଲୋକାୟୁକ୍ତ ଗେଜେଟ’

0

ଭୁବନେଶ୍ୱର : ଲୋକାୟୁକ୍ତ ନିଯୁକ୍ତି ପ୍ରକ୍ରିୟାକୁ ନେଇ ଚାଲିଥିବା କଳ୍ପନା ଜଳ୍ପନା ଇତିମଧ୍ୟରେ ଗୋଟିଏ ପାଦ ଆଗେଇଛି। ଦୀର୍ଘଦିନର ଟଣାଓଟରା ପରେ ରାଜ୍ୟ ସରକାରଙ୍କ ପକ୍ଷରୁ ଓଡ଼ିଶା ଲୋକାୟୁକ୍ତ ଆଇନର ଗେଜେଟ୍‍ ପ୍ରକାଶ ପାଇଛି। ଏନେଇ ଆଇନ ବିଭାଗ ପ୍ରମୁଖ ଶାସନ ସଚିବ ବିଭୁପ୍ରସାଦ ରାଉତରାୟ ଲୋକାୟୁକ୍ତ ନିଯୁକ୍ତି ନେଇ ଗେଜେଟ୍‍ ନଂ-୧୦୧୧ ଏବଂ ଆଇନ ବିଭାଗର ବିଜ୍ଞପ୍ତି ନଂ-୬୫୨୩ରେ ପ୍ରକାଶ କରିଛନ୍ତି । ସେଥିରେ କେଉଁ ଆଧାର ବଳରେ ଆଗାମୀ ଦିନରେ ଲୋକାୟୁକ୍ତ ନିଯୁକ୍ତ ହେବେ ତା’ର ସମ୍ପୂର୍ଣ୍ଣ ବିବରଣୀ ଉଲ୍ଲେଖ ରହିଛି। ଏହାପରେ ଏବେ ଲୋକାୟୁକ୍ତ ନିୟମ କିଭଳି ପ୍ରକାଶ ପାଇବ ଏବଂ ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ ହେବ ସେନେଇ ପ୍ରକ୍ରିୟାକୁ ଜୋର୍‍ଦାର୍‍ କରାଯାଉଥିବା ସରକାରଙ୍କ ପକ୍ଷରୁ ଜଣାଯାଇଛି।
ସୂଚନାଯୋଗ୍ୟ ଯେ ଲୋକାୟୁକ୍ତ ନିଯୁକ୍ତି ପ୍ରସଙ୍ଗରେ ସରକାର ପଛଘୁଞ୍ଚା ଦେଉଥିବା ନେଇ ବିରୋଧୀ କଡ଼ା ସମାଲୋଚନା କରୁଥିଲେ। ସରକାରଙ୍କ ଆନ୍ତରିକତା ଅଭାବରୁ ଏହା ଏବେ ଅସ୍ପଷ୍ଟ ରହିଛି ବୋଲି ବିରୋଧୀ ଦଳ ପକ୍ଷରୁ କୁହାଯାଉଥିଲା। ତେବେ ସରକାରଙ୍କ ପକ୍ଷରୁ ଏପ୍ରିଲରେ ସୁପ୍ରିମକୋର୍ଟରେ ଏକ ସତ୍ୟପାଠ ଦାଖଲ ହୋଇଥିଲା। ସେଥିରେ ଯେଉଁ ତଥ୍ୟ ଦିଆଯାଇଥିଲା ତାହା ଆଧାରରେ ଲୋକାୟୁକ୍ତ ନିଯୁକ୍ତି ପ୍ରକ୍ରିୟା ଜୁଲାଇ ୧୦ ତାରିଖ ସୁଦ୍ଧା ଅବଗତ କରାଇବାକୁ ସୁପ୍ରିମକୋର୍ଟଙ୍କ ପକ୍ଷରୁ ଏକ ନିର୍ଦେଶନାମା ଜାରି ହୋଇଥିଲା। ସେଥିରେ ୨୦୧୫ ଜାନୁଆରୀ ୧୬ରେ ରାଜ୍ୟ ସରକାର ଆଇନ କାର୍ଯ୍ୟକାରୀ କରିଛନ୍ତି ବୋଲି ଉଲ୍ଲେଖ ରହିଥିଲା। ଯାହାକୁ ସରକାରଙ୍କ ମିଥ୍ୟା ତଥ୍ୟ ଦର୍ଶାଇ ଏପ୍ରିଲରେ ତିନିଦିନ ଧରି ବିରୋଧୀମାନେ ବିଧାନସଭା ଗୃହ ଅଚଳ କରିଥିଲେ। ପରେ ସରକାରଙ୍କ ପକ୍ଷରୁ ଏନେଇ ସ୍ପଷ୍ଟ ଉତ୍ତର ରଖାଯାଇଥିଲା। ସୁପ୍ରିମକୋର୍ଟ ଯେଉଁ ନିର୍ଦେଶ ଦେଇଛନ୍ତି ତାକୁ ସରକାର ଅନୁପାଳନ କରିବେ ବୋଲି ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଦର୍ଶାଇଥିଲେ। ଏହି ପ୍ରସଙ୍ଗ ଏବେ ଅଢ଼େଇମାସ ବିତିବାକୁ ବସିଲାଣି। ସରକାରଙ୍କ ପକ୍ଷରୁ ସଂଶୋଧନ ପିଟିସନ ସୁପ୍ରିମକୋର୍ଟରେ କରାଯାଇ ନାହିଁ। ଗେଜେଟ୍‍ ପ୍ରକାଶନ ପରେ ସରକାରଙ୍କ ପକ୍ଷରୁ ରୁଲ୍‍ ବା ନିୟମ ପ୍ରକାଶ ପାଇବ। ଏହାକୁ କାର୍ଯ୍ୟକାରୀ କରିବାପାଇଁ ପୁନଶ୍ଚ ଏନ୍‍ଫୋର୍ସମେଣ୍ଟ ବିଜ୍ଞପ୍ତି ପ୍ରକାଶ ପାଇବ। ଏସବୁ ପରେ ସରକାରଙ୍କ ପକ୍ଷରୁ କାହାକୁ ଲୋକାୟୁକ୍ତ ପଦରେ ଅବସ୍ଥାପିତ କରାଯିବ ସେନେଇ ଏକ ‘ସର୍ଚ୍ଚ କମିଟି’ ଗଠନ ହେବ। ଉକ୍ତ କମିଟି ସୁପାରିସକ୍ରମେ କେଉଁମାନେ ଏହି ପଦରେ ଅବସ୍ଥାପିତ ହେବେ ତାହା ସ୍ପଷ୍ଟ ହେବ। ଲୋକାୟୁକ୍ତ ନିଯୁକ୍ତି ନେଇ ଲମ୍ବା ପ୍ରକ୍ରିୟା ରହିଥିବାବେଳେ କିଭଳି ଏତେ କମ୍‍ ସମୟ ମଧ୍ୟରେ ସରକାର ତାକୁ ଅନୁପାଳନ କରିବେ ସେନେଇ ବିଭିନ୍ନ ମହଲରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

Leave A Reply