ଭାରତର ପଞ୍ଚସ୍ତରିତମ ସ୍ୱାଧୀନତା ଦିବସ ବା ଅମୃତ ମହୋତ୍ସବ ପାଳନ ହେବାର ମାତ୍ର ଏକ ସପ୍ତାହ ପୂର୍ବରୁ ଅଗଷ୍ଟ ୭ ତାରିଖ ୨୦୨୧ ଦିନ ଟୋକିଓ ଅଲମ୍ପିକ ୨୦୨୦ରେ ଜାଭେଲିନ୍ ଥ୍ରୋ ବା ବର୍ଚ୍ଛା ନିକ୍ଷେପ ପ୍ରତିଯୋଗିତାରେ ହିଆନ ପାନିପଥର ନୀରଜ ଚୋପ୍ରା ଭାରତ ପାଇଁ ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ। ଏହା ଭାରତର ପ୍ରତିଟି ନାଗରିକ କ୍ରୀଡ଼ାବିତ୍ଙ୍କ ମନରେ ଆଶାର ସଞ୍ଚାର କରିଛି। ସେନାବାହିନୀରେ ନାଏବ ସୁବେଦାର ପଦରେ କାର୍ଯ୍ୟରତ ନୀରଜ ପୂର୍ବରୁ ବିଶ୍ୱ ଚମ୍ପିଆନ୍ ଏସିଆନ୍ କ୍ରୀଡ଼ା, ରାଜ୍ୟ ଗୋଷ୍ଠୀ ସମୂହ କ୍ରୀଡା, ଦକ୍ଷିଣ ଏସୀୟ କ୍ରୀଡ଼ାରେ ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ। ଟୋକିଓଠାରେ ସେ ୮୭.୫୮ ମିଟର ଦୂରତାକୁ ଜାଭେଲିନ୍ ନିକ୍ଷେପ କରିଥିଲେ। ତାଙ୍କର ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରଦର୍ଶନ ହେଉଛି ୮୮.୦୬ ମିଟର। ଆଜି ପର୍ଯ୍ୟନ୍ତ ଜାଭେଲିନ୍ ନିକ୍ଷେପଣର ଶ୍ରେଷ୍ଠ ଦୂରତ୍ୱ ହେଉଛି ୧୦୪ ମିଟର। ଜର୍ମାନୀର ଉୱେ ହନ ୧୯୮୪ ମସିହାରେ ଏକ ପ୍ରତିଯୋଗିତାରେ ଏହି କୀର୍ତ୍ତିମାନ ସ୍ଥାପନ କରିଥିଲେ। ସେ ବର୍ତ୍ତମାନ ନୀରଜ ଚୋପ୍ରାଙ୍କର ପ୍ରଶିକ୍ଷକ ଭାବରେ କାର୍ଯ୍ୟ କରୁଛନ୍ତି। ହନଙ୍କ ପୂର୍ବବର୍ତ୍ତୀ ବିଶ୍ୱ ରେକର୍ଡ ଥିଲା ୯୯ ମିଟର। ଏକାଥରକରେ କୀର୍ତ୍ତି ରେଖା ପାଞ୍ଚ ମିଟର ଅଧିକ ବୃଦ୍ଧି ପାଇବା କ୍ରୀଡା ସଂଗଠକମାନଙ୍କୁ ମାନସ ମନ୍ଥନ କରିବାକୁ ବାଧ୍ୟ କରିଥିଲା। ଉତ୍କ୍ଷେପଣର ଉଡାଣ ଦୂରତ୍ୱ କଳ୍ପନାଠାରୁ ଅଧିକ ବୃଦ୍ଧି ପାଇଲେ ନିର୍ମିତ ଷ୍ଟାଡିଅମ୍ଗୁଡ଼ିକରେ ପ୍ରତିଯୋଗିତା କରାଇବା କଠିଣ କାର୍ଯ୍ୟ ହେବ ଓ ପ୍ରତିଯୋଗିତା ପରିଚାଳନା ଦାୟିତ୍ୱରେ ଥିବା ଅଧିକାରୀ ଆଘାତପ୍ରାପ୍ତ ହେବାର ଆଶଙ୍କା କରାଯାଇଥିଲା। ସମସ୍ତ କ୍ରୀଡା ପ୍ରତିଯୋଗିତା କ୍ଷେତ୍ରରେ ନୂତନ ବିଧି ପ୍ରଣୟନ କରାଗଲା। ପରିଣାମରେ ବର୍ତ୍ତମାନ ୯୦ ମିଟରରୁ ଅଧିକ ଦୂର ନିକ୍ଷେପ କରିବା ଦୁଷ୍କର ହୋଇଗଲା। ପୁରାତନ କୀର୍ତ୍ତି ସବୁ ଅତୀତ ହୋଇଗଲା। ନୂତନ ରେକର୍ଡକୁ ପରିସଂଖ୍ୟାନକୁ ନିଆଗଲା।
ବ୍ୟାବହାରିକ ଜୀବନରେ ଜାଭେଲିନ୍ ମଣିଷର ସଭ୍ୟତା ଆରମ୍ଭରୁ ବିବର୍ତ୍ତନର ଅଂଶ ହୋଇ ଆସିଛି। ପ୍ରଥମ ଆୟୁଧ ଭାବରେ ଏହାକୁ ବିଚାର କରାଯାଏ। ଅଧିକାର ସାବ୍ୟସ୍ତ ପାଇଁ ରଣକ୍ଷେତ୍ରରେ, କ୍ଷୁଧା ନିବାରଣ ପାଇଁ ଶିକାରରେ ବ୍ୟବହୃତ ହୋଇଥାଏ। ଭାରତୀୟ ଭାଷାରେ ବର୍ଚ୍ଛା, ତେଣ୍ଟା, ଶୂଳ, ବଲମ, ଭାଲା ଆଦି କୁହାଯାଇଥାଏ। ପୁରାଣରେ ଜ୍ୟେଷ୍ଠ ପାଣ୍ଡବ ଯୁଧିଷ୍ଠିର, ଇତିହାସରେ ରାଣାପ୍ରତାପ, ଆଲେକଜାଣ୍ଡାର ପ୍ରମୁଖ ଭାଲାର ନିପୁଣ ପ୍ରୟୋଗକାରୀ ଥିଲେ ବୋଲି ଉଲ୍ଲେଖ ଅଛି। ମିଶର ଓ ଗ୍ରୀକ୍ ସଭ୍ୟତାରେ ଯୁଦ୍ଧ କ୍ଷେତ୍ରରେ ଏହାର ବ୍ୟବହାର ଦେଖିବାକୁ ମିଳିଥାଏ। ଆଧୁନିକ ସମରରେ ତାହା ବନ୍ଧୁକ ଅଗ୍ରରେ ବାଓନେଟ ରୂପରେ ସ୍ଥାନ ପାଇଲା। ଖ୍ରୀଷ୍ଟପୂର୍ବ ୭୦୮ରେ ପ୍ରାଚୀନ ଅଲିମ୍ପିକ ଖେଳରେ ଜାଭେଲିନ୍ ସ୍ଥାନ ପାଇଥିଲା। ଆଧୁନିକ ଅଲିମ୍ପିକ ଆରମ୍ଭ ବେଳକୁ ଏହା ଅନେକ ଦେଶରେ ଜନପ୍ରିୟ ଖେଳ ଥିଲା। ସେତେବେଳେ ଏହାର ପ୍ରତିଯୋଗିତା ଦୁଇଟି ପର୍ଯ୍ୟାୟରେ କରାଯାଉଥିଲା। ପ୍ରଥମଟିର ଆଧାର ଥିଲା ନିକ୍ଷେପଣର ଦୂରତା। ଦ୍ୱିତୀୟଟି ଥିଲା ଲକ୍ଷ୍ୟଭେଦ କେନ୍ଦ୍ର ନିକଟତା ନିର୍ଣ୍ଣୟ। ୧୮୭୦ ବେଳକୁ ଜର୍ମାନ ଓ ସ୍ୱିଡେନ୍ରେ ଏହା ପୁରପଲ୍ଲୀରେ ଖେଳାଗଲା। କେବଳ ନିକ୍ଷେପର ଦୂରତା ବିଜୟର ପରିମାପ ହୋଇଯାଇଥିଲା। ଲକ୍ଷ୍ୟେଭଦ ମାନଦଣ୍ଡ କ୍ରମେ ବାଦ ପଡିଯାଇଥିଲା। ୧୮୮୦ଠାରୁ ଫିନଲ୍ୟାଣ୍ଡ ନୂତନ ଆକୃତିର ଜାଭେଲିନ୍ର ବ୍ୟବହାର ଆରମ୍ଭ କରିଥିଲା। ତାହା ବିଶ୍ୱବ୍ୟାପୀ ମନୋନୀତ ହୋଇଗଲା। ପ୍ରଥମ ବର୍ଷଗୁଡିକରେ ଖେଳାଳି ଗୋଟିଏ ସ୍ଥାନରେ ଦଣ୍ଡାୟମାନ ରହି ବଲମର ଯେ େକୗଣସି ଅଂଶକୁ ଧରି ନିକ୍ଷେପ କରୁଥିଲେ; କିନ୍ତୁ ପଦାର୍ଥ ବିଜ୍ଞାନରେ ଅଗ୍ରଗତି ସହିତ ଖେଳରେ ବିଜ୍ଞାନର ଅଧିକ ପ୍ରବେଶ ଘଟିଲା। ଖେଳାଳି ପ୍ରାକ୍ ଉତ୍କ୍ଷେପଣ ଦୌଡ ସହିତ ଆୟୁଧର ଭାରକେନ୍ଦ୍ରକୁ ଧରି ଫେପାଡିଲେ ତାହା ସର୍ବାଧିକ ଦୂରତା ଅତିକ୍ରମ କରିବ ପ୍ରମାଣ ହେଲା ଓ ତା’ର ପ୍ରୟୋଗ କରାଗଲା। ୧୮୯୬ ଅଲିମ୍ପିକରେ ଡେକାଥେଲନରେ ଜାଭେଲିନ ସ୍ଥାନିତ ହେଲା। ପରେ ୧୯୦୬ରେ ସ୍ୱତନ୍ତ୍ର ପ୍ରତିଯୋଗିତାର ସ୍ୱୀକୃତି ପାଇଥିଲା। ୧୯୦୮, ୧୯୧୨ ଅଲିମ୍ପିକରେ ପ୍ରତିଯୋଗୀକୁ ଥରେ ଡାହାଣ ହାତରେ, ଥରେ ବାମ ହାତରେ ଫୋପାଡିବାକୁ ପଡୁଥିଲା। ଏହାର ଫଳାଫଳକୁ ମିଶାଇ ଶ୍ରେଷ୍ଠ ସଂଖ୍ୟା ଅନୁସାରେ ବିଜୟୀ ଘୋଷିତ କରାଯାଇଥିଲା। ଏହି ଦୁଇଟି କ୍ଷେତ୍ରରେ ସ୍ୱୀଡେନର ଏରିକ ଲେମିଂ ସ୍ୱର୍ଣ୍ଣ ପଦକ ପାଇଥିଲେ। ୧୯୨୦ ପରେ ପ୍ରତିଯୋଗିତାର ନିର୍ଣ୍ଣୟ ଗୋଟିଏ ହାତର ଦକ୍ଷତା ଆଧାରରେ ହୋଇଥିଲା।
ପ୍ରାଚୀନ କାଳରେ ଅଲିଭ ଗଛରୁ ତିଆରି କରାଯାଇଥିବା ସଳଖ ମସୃଣ ଦଣ୍ଡରେ ଏହି ଆୟୁଧ ନିର୍ମାଣ କରାଯାଇଥିଲା। ୧୮୯୬ଠାରୁ ଏହାର ଅଗ୍ରଭାଗରେ ଧାତବ ମୁନ ସଂଯୋଗ କରାଗଲା। ପରବର୍ତ୍ତୀ ଅବସ୍ଥାରେ ସ୍କାଣ୍ଡିନେଭିଆର ସ୍ୱତନ୍ତ୍ର ବାଉଁଶର ବ୍ୟବହାର କରାଗଲା। ଏହାର ଓଜନ ୮୦୦ ଗ୍ରାମ ଓ ଲମ୍ବ ୭.୬ ମିଟର ସ୍ଥିର କରାଗଲା। ୧୯୫୦ ବେଳକୁ ଆମେରିକାରେ ବାୟୁମଣ୍ଡଳରେ ଦୂରଗାମୀ ଭିତର ଫମ୍ପା ହାଲୁକା ନମୁନା ତିଆରି ହୋଇ ବ୍ୟବହାର କରାଗଲା। ସେଇ ଆମେରିକାର ହେଲଡ ନାମକ ଜଣେ ସ୍ଥପତି ତା’ର ଧାତବ ରୂପ ପ୍ରଦାନ କରିଥିଲେ। ଆଲୁମିନିୟମରେ ନିର୍ମିତ କ୍ରୀଡ଼ନକଟିର କାୟାର ଆକାର ୨୭ ପ୍ରତିଶତ ବୃଦ୍ଧି ପାଇଲା। ପରିଣାମରେ ଅଧିକ ଦୂରଯାଏ ଉଡିପାରିଲା। ନୂତନ ଆବିଷ୍କାର ଅଧିକ ବାଟ ଅତ୍ରିକମ କରିଲେ ମଧ୍ୟ ଅବତରଣ ବେଳେ ଭୂମିକୁ ବିଦ୍ଧ କରିବାରେ ଅଧିକାଂଶ ବେଳେ ଅସଫଳ ହେଲା। ଦର୍ଶକ ଓ ପରିଚାଳନା ଅଧିକାରୀ ଆହତ ହେଲେ। ଏଣୁ ୧୯୮୦ ଠାରୁ ଅନେକ ଗବେଷଣା କରି ନିୟମର ଆଧୁନିକ ସଂସ୍କରଣ ତିଆରି କରାଯାଇଥିଲା।
ଜାଭେଲିନ୍ରେ ନୀରଜ ଚୋପ୍ରାଙ୍କର ସ୍ୱର୍ଣ୍ଣ ବିଜୟ ଭାରତର ଯୁବକମାନଙ୍କ ମନୋବଳ ବୃଦ୍ଧି କରିଛି। ଏହାକୁ ୧୯୨୮ ମସିହାର ହକି ସ୍ୱର୍ଣ୍ଣ ପଦକ ଜିତିବା ସହିତ ତୁଳନା କରାଯାଇପାରେ। ସାମ୍ରାଜ୍ୟବାଦୀ ପାରସ୍ୟ ସମ୍ରାଟ ଜେରକସସଙ୍କ ଉପରକୁ ଅଢେଇ ହଜାର ବର୍ଷ ପୂର୍ବରୁ ଜାଭେଲିନ୍ ସ୍ପାର୍ଟାର ଯୁଦ୍ଧ ମୁଖ୍ୟ ଲିଓନିଡାସ ନିକ୍ଷେପ କରିଥିଲେ। ସମ୍ରାଟ ଅଳ୍ପକରେ ବଞ୍ଚିଯାଇଥିଲେ। ତାହା ଗ୍ରୀକ ଯୁବକମାନଙ୍କୁ ସ୍ୱାଧୀନଚେତା କରିପାରିଥିଲା। ଅଲିମ୍ପିକ ସଫଳତା ଭାରତର ଜନତାଙ୍କୁ ମାର୍ଗଦର୍ଶନ କରିବ ବୋଲି ଆଶା।
ମିହିର ପ୍ରତାପ ଦାସ
ଦୂରଭାଷ : ୯୯୩୭୮୬୩୫୨୮



