www.samajalive.in
Monday, December 8, 2025
16.1 C
Bhubaneswar

ଜୀବନ ଏକ ନାଟକ: ଅଭିନୟ ଓ ପଦବୀ ମଧ୍ୟରେ ସମାନ୍ତରାଳ ସଂପର୍କ

ବଲାଙ୍ଗିର: ନେତାଙ୍କ ସଜ୍ଞା କ’ଣ? ଅନେକଙ୍କ ମତ, ନେତାଏ ଜନତାଙ୍କ ଆଗରେ ମିଛ ପ୍ରତିଶ୍ରୁତି ଦିଅନ୍ତି। ଲୁହ ଗଡାଇ ଭଲ ଅଭିନୟ କରନ୍ତି। ସେମାନେ ବି ଜଣେ ଜଣେ ପୋଖତ କଳାକାର ବୋଲି ସମାଲୋଚନା ହୁଏ ସାଧାରଣରେ। ହେଲେ ବଲାଙ୍ଗିର ଜିଲାରେ ଏମିତି କ୍ୱଚିତ ନେତା ଅଛନ୍ତି, ଯେଉଁମାନେ ଗାଁ ମଞ୍ଚରେ ଅଭିନୟ ସହ ଯୋଡି ହେଇଛନ୍ତି ପିଲାଟି ଦିନରୁ। ଆଉ ପରବର୍ତ୍ତୀ ସମୟରେ ଗାଁ ଲୋକଙ୍କ ପ୍ରତିନିଧିତ୍ୱ କରିବାର ସୁଯୋଗ ପାଇଛନ୍ତି। ପଦ ପଦବୀ ପାଇବା ପରେ ଗାଁ ରାମଲୀଳା କି ପ୍ରହରୀ ମଣ୍ଡପକୁ ଛାଡି ନାହାନ୍ତି। ଏହିକ୍ରମରେ ଜୀବନ ଏକ ନାଟକ ଶୀର୍ଷକରେ ବଲାଙ୍ଗିର ସଦର ବ୍ଲକ ଅଧ୍ୟକ୍ଷ ଗୋଲାପ ବାଗଙ୍କ ସଂପର୍କରେ କିଛି ନୂଆ କଥା।

ସଦର ବ୍ଲକ ବିଡିଘାଟର ମୂଳ ବାସିନ୍ଦା ଗୋଲାପ ବାଗ(୫୦)। ବଲାଙ୍ଗିର ବିଡିଘାଟ ପଞ୍ଚାୟତର ସରପଞ୍ଚ ଭାବେ ୨ଥର ନିର୍ବାଚିତ ହୋଇଥିଲେ। ତାଙ୍କ ପତ୍ନୀ ମଧ୍ୟ ସମିତି ସଭ୍ୟା ଥିଲେ। ବାରପୁଡୁଗିଆ ପଞ୍ଚାୟତରୁ ସମିତି ସଭ୍ୟ ଭାବେ ବିଜୟୀ ହେବା ସହ ନାଟକୀୟ ଢଙ୍ଗରେ ବଲାଙ୍ଗିର ବ୍ଲକ ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଥିଲେ। ଗୋଲାପଙ୍କୁ ଅନେକେ ବ୍ଲକ ଅଧ୍ୟକ୍ଷ ଓ ରାଜନୀତି ସହ ଜଡ଼ିତ ଥିବା ଜଣେ ବ୍ୟକ୍ତି ବୋଲି ଭାବି ପାରନ୍ତି। ଏତିକିରେ ସୀମିତ ନୁହନ୍ତି ସେ। ତାଙ୍କ ନାଁ ସହ ଜଣେ କଳାକାରର ପରିଚୟ ରହିଛି। ଏକଥା ଅନେକେ ଜାଣନ୍ତି ନାହିଁ। ଗଲା ୨୦ ବର୍ଷ ହେଲା ସେ ଗାଁ କୀର୍ତ୍ତନରେ ଗାହକ ଭାବେ ଦାୟିତ୍ୱ ନିର୍ବାହ କରି ଆସୁଛନ୍ତି। କେବଳ ବିଡିଘାଟ ନୁହେଁ, ଜନକପୁର, ବରଗାଁ, ପ୍ରତାପରୁଦ୍ରପୁର କୀର୍ତ୍ତନ ଦଳ ପାଇଁ ସେ ଗାହାକ ସାଜିଛନ୍ତି। ଗାଁ ରାମଲୀଳାରେ ସୀତା ଭାବେ ସେ ପୂର୍ବରୁ ଅଭିନୟ କରୁଥିଲେ। ଗାଁରୁ ଯେଉଁ ଶିକ୍ଷା ମିଳିଛି ତାହା ମୂଳଦୂଆ। ଗାଁ ପରମ୍ପରା ସହ କୀର୍ତ୍ତନ, ରାମଲୀଳା, ଲକ୍ଷ୍ମୀ ସୁଆଙ୍ଗ ଭଳି ବିଭିନ୍ନ ସାମାଜିକ ଓ ସଂସ୍କୃତିକ କାର୍ଯ୍ୟକ୍ରମ ଯୋଡି ହୋଇ ରହିଛି। ଏଇଠୁ ହିଁ ସଂପର୍କ ତିଆରି ହୁଏ ଲୋକଙ୍କ ସହ ବୋଲି କହନ୍ତି ଶ୍ରୀ ବାଗ।

- Advertisement -

କରୋନା ସମୟରେ ସଚେତନତା ଧର୍ମୀ ସଙ୍ଗୀତ ଗାଇ ଚର୍ଚ୍ଚାରେ ରହିଥିବା ଶ୍ରୀ ବାଗ ଲକ୍ଷ୍ମୀ ପୁରାଣ ସୁଆଙ୍ଗରେ ଦୀର୍ଘ ବର୍ଷ ତଳେ ଅଭିନୟ କରିଥିଲେ। ସୀତା ଭଳି ଲକ୍ଷ୍ମୀ ଭୂମିକାରେ ସେ ଦର୍ଶକଙ୍କ ସମ୍ମୁଖକୁ ଆସୁଥିଲେ। ଲଗାତାର ୭ ବର୍ଷ ଅଭିନୟ କରିବା ପରେ ସେ ବ୍ୟସ୍ତତା ଯୋଗୁଁ ଅଭିନୟରୁ ଦୂରରେ ରହିଥିଲେ। ତେବେ ୨୦ ବର୍ଷ ପରେ ପୁଣି ସେ ଏଇ ନିକଟରେ ଗାଁ ମଞ୍ଚରେ ହୋଇଥିବା ଲକ୍ଷ୍ମୀ ସୁଆଙ୍ଗରେ ଲକ୍ଷ୍ମୀ ଭୂମିକାରେ ଅଭିନୟ କରିଛନ୍ତି। ବ୍ଲକ ଅଧ୍ୟକ୍ଷ ହୋଇ କୀର୍ତ୍ତନ ଗାହକ, ସୀତା, ଲକ୍ଷ୍ମୀ ଭୂମିକାରେ ଅଭିନୟ କରିବା ଖରାପ ଲାଗେନି? ଏହାର ଉତ୍ତରରେ ସେ କହିଥିଲେ ଯେ, ଯେଉଁ ମାଧ୍ୟମରେ ଲୋକଙ୍କ ସହ ଯୋଡି ହୋଇଥିଲି ତାକୁ କେମିତି ଛାଡିବି। ପ୍ରଥମେ ମୁଁ ଗାଁ ମଞ୍ଚର ଅଭିନେତା ଓ ଗାହକ। ତା’ପରେ ପଦ ପଦବୀ।

କରୋନା ସମୟରେ ଅନେକ କାର୍ଯ୍ୟକ୍ରମ ବାଧାପ୍ରାପ୍ତ ହୋଇଛି। ଗାଁ କଳାକାରମାନେ ବି ଅଭିନୟ କରିବାର ସୁଯୋଗ ପାଉ ନାହାନ୍ତି। ପେଶାଦାର ନହୋଇଥିଲେ ବି ସେମାନେ ମନୋରଞ୍ଜନ ଧର୍ମୀ। ଯାହାକି ଗାଁ ଲୋକଙ୍କୁ ବାନ୍ଧି ରଖେ। ସେଇଥି ପାଇଁ ଏଥର ଗାଁ ପିଲାଙ୍କୁ ଏକଜୁଟ କରି ପୁଣିଥରେ ଲକ୍ଷ୍ମୀ ସୁଆଙ୍ଗ ଆୟୋଜନ କରାଯାଇଥିଲା କହନ୍ତି ଶ୍ରୀ ବାଗ। ମୁଁ ଅଭିନୟ କଲେ ଗାଁ ଲୋକେ ଓ ଯୁବ ଗୋଷ୍ଠୀ ଉତ୍ସାହିତ ହେବେ। ଭୁଲି ଯାଇଥିଲେ ବି ଲକ୍ଷ୍ମୀ ଭୂମିକାରେ ଯତିପାଦ ସହ ସରଂଚନା ଭାରି କଡ଼ା। ତାକୁ ନିଭାଇବା କଷ୍ଟ ହୋଇଥିଲେ ବି କରିଥିଲି। କରୋନା ପାଇଁ କଳାକାର ମରି ନଯାଆନ୍ତୁ। ଗାଁରେ ଥିବା ସଂସ୍କୃତି, ପରମ୍ପରା ଅବକ୍ଷୟ ନହେଉ କହନ୍ତି ଶ୍ରୀ ବାଗ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories