ଲକ୍ଷ୍ମୀପୁର: କରୋନା କଟକଣା ଯୋଗୁଁ ଗଡି ପାରିଲା ଲାନି ରଥ। କିନ୍ତୁ ଗଡିଲା କୁନି କୁନି ରଥ। କୋରାପୁଟ ଜିଲାର ଲକ୍ଷ୍ମୀପୁର ବ୍ଲକ ସଦର ମହକୁମାରେ କରୋନା ମହାମାରୀ କାରଣରୁ ପବିତ୍ର ରଥଯାତ୍ରା ଗତ ବର୍ଷ ଭଳି ଏବର୍ଷ ମଧ୍ୟ ହୋଇ ପାରିଲା ନାହିଁ। କିନ୍ତୁ ବଡ ରଥ ସିନା ଗଡି ପାରିଲା ନାହିଁ, ହେଲେ ଛୋଟ ଛୋଟ କୁନି ଭକ୍ତ ଙ୍କୁ କେହି ରୋକି ପାରିଲେନି। ଲକ୍ଷ୍ମୀପୁର ଜଗନ୍ନାଥ ମନ୍ଦିର ଠାରୁ ବସଷ୍ଟାଣ୍ଡ ପର୍ଯ୍ୟନ୍ତ ଏକ କୁନି ରଥ ଗଡିଥିଲା। ପାରମ୍ପରିକ ରିତିନୀତି ଅନୁଯାୟୀ ଯେପରି ରଥଯାତ୍ରା ହୋଇଥାଏ ସେହିପରି ହିଁ କୁନି କୁନି ପିଲାମାନେ ରଥଯାତ୍ରା ପାଳନ କରିଛନ୍ତି। ଛୋଟ ଛୋଟ ପିଲାମାନେ ଘରେ କରିଥିବା ତିନି ଠାକୁରକୁ ଘଣ୍ଟ ହୁଳୁହୁଳି ମଧ୍ୟରେ ପହଣ୍ଡି କରାଇ ରଥାରୂଢ କରାଇଥିଲେ।
ରଥ ଅନୁକୁଳ କରି ରଥାରୁଢ ତିନି ଠାକୁରଙ୍କୁ ପୁଜା କରାଯିବା ପରେ ଜଣେ କୁନି ପିଲାଙ୍କୁ ପାଛୋଟି ଅଣାଇ ରଥରେ ଛେରା ପହଁରା କରାଯାଇଥିଲା। ଜୟଜଗନ୍ନାଥ ଧ୍ବନିରେ ଜଗନ୍ନାଥ ମନ୍ଦିର ସମ୍ମୁଖରେ ପହଞ୍ଚିବା ପରେ ସେଠାରେ ଜଗନ୍ନାଥ ମନ୍ଦିରର ପୂଜକ ଏ ନେଇ ଖୁସି ହୋଇ ବଡ ରଥ ସିନା ହେଲା ନାହିଁ, ଯା ହେଉ ଏପରି କୁନି ରଥ ଗଡ଼ିଲା। ଭକ୍ତ ପାଇଁ ସବୁ ରଥ ସମାନ ବୋଲି କହିବା ସହ ରଥ ଉପରେ ଥିବା ତିନି ଠାକୁରଙ୍କୁ ପୁଜା କରି ଥିଲେ। ଛୋଟ ଛୋଟ କୁନି ପିଲାମାନେ ନାନା ରକମ ବେଶ ହୋଇ ରଥ ଟାଣୁଥିବା ସମୟରେ ବାଟରେ ଯାଉଥିବା ଲୋକ ଟିକେ ଅଟକି ଯାଇ ହାତ ଟେକି ଦେଉଥିବା ଦେଖିବାକୁ ମିଳିଥିଲା। କୋରାପୁଟ ଭଳି ଉପାନ୍ତ ଜିଲା ଲକ୍ଷ୍ମୀପୁର ବ୍ଲକ ସଦରର କୁନି କୁନି ପିଲାଙ୍କ ଏପରି ଭକ୍ତି ଭାବକୁ ସମସ୍ତେ ଉଚ୍ଚ ପ୍ରଶଂସା କରୁଥିଲେ।



