ଗଞ୍ଜାମରେ ଗଡ଼ିଲା ଲକ୍ଷ୍ମୀ ବସ୍
ଛତ୍ରପୁର: ପ୍ରତି ପଞ୍ଚାୟତରୁ ନିଜ ନିଜ ବ୍ଲକ ଆସିବାକୁ ଆଉ ଅସୁବିଧା ହେବନାହିଁ। ଲକ୍ଷ୍ମୀ ବସ୍ ମାଧ୍ୟମରେ ଗ୍ରାମଞ୍ଚଳର ଲୋକମାନଙ୍କୁ ଉତ୍ତମ ପରିବହନ ସେବା ମିଳିବ। ଏନେଇ ବୁଧବାର ପୂର୍ବାହ୍ନରେ ଗଞ୍ଜାମ ଜିଲ୍ଲା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଭାସୀ ମାଧ୍ୟମରେ ଲକ୍ଷ୍ମୀ ବସ୍ର ଶୁଭାରମ୍ଭ କରିଛନ୍ତି। ଜିଲ୍ଲାର ସଦରମହକୁମା ଛତ୍ରପୁର ସ୍ଥିତ ଅନସ୍ଲୋ ମିନି ଷ୍ଟାଡିଅମଠାରେ ଉଦଘାଟନ ଓ ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହୋଇଛି। ଏଥିରେ ମହିଳା ଓ ଛାତ୍ରଛାତ୍ରୀଙ୍କ ପାଇଁ ଭଡା ୫ ଟଙ୍କା ରହିଛି। ରାଜ୍ୟରେ ସାର୍ଵଜନୀନ ପରିବହନ ବ୍ୟବସ୍ଥାରେ ପରିବର୍ତ୍ତନ ଆଣିବା ଏହି ଯୋଜନାର ଲକ୍ଷ୍ୟ। ମୁଖ୍ୟମନ୍ତ୍ରୀଙ୍କ କରକମଳରେ ଆଜି ଲକ୍ଷ୍ମୀ ବସର ଲୋକାର୍ପଣ ହୋଇଥିବାରୁ ଜିଲ୍ଲାବାସୀଙ୍କ ତରଫରୁ ମୁଖ୍ୟମନ୍ତ୍ରୀ ଓ ୫-ଟି ଅଧ୍ୟକ୍ଷଙ୍କୁ ଜିଲ୍ଲା ଯୋଜନା କମିଟିର ଅଧ୍ୟକ୍ଷ ତଥା ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା ଓ କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ ତାଙ୍କ ଅଭିଭାଷଣରେ କୃତଜ୍ଞତା ଜଣାଇଛନ୍ତି। ଶିକ୍ଷା, ସ୍ୱାସ୍ଥ୍ୟ, କୃଷି, ଶିଳ୍ପ, ପର୍ଯ୍ୟଟନ, ଆଧ୍ୟାତ୍ମିକ ଓ ସଂସ୍କୃତିକୁ ଶୀର୍ଷରେ ପହଞ୍ଚାଇଛନ୍ତି ମୁଖ୍ୟମନ୍ତ୍ରୀ, ଏହି ସମସ୍ତ ସଂଯୋଗ କରିବ ପରିବହନ,ଏହା ମୁଖ୍ୟମନ୍ତ୍ରୀଙ୍କ ଦୂର ଦୃଷ୍ଟି ବୋଲି ଆଜିର ଉଦଘାଟନୀ ଉତ୍ସବରେ ଯୋଗଦେଇଥିବା ଜନପ୍ରତିନିଧି, ପ୍ରଶାସନିକ ଅଧିକାରୀ, ମିଶନ ଶକ୍ତି ମାଆ ଏବଂ ସ୍ଥାନୀୟ ଜନସାଧାରଣମାନେ କହିଛନ୍ତି।
ପ୍ରଥମେ ଗଞ୍ଜାମ ଜିଲ୍ଲାରେ ୪୭ ଗୋଟି ଲକ୍ଷ୍ମୀ ବସ୍ ଚାଲିବ ପରେ ପର୍ଯ୍ୟାୟକ୍ରମେ ଅନ୍ୟ ସବୁ ପଂଚାୟତରେ ଗଡ଼ିବ। ଜିଲ୍ଲାର ୧୨୪ଟି ରୁଟରେ ୧୨୪ଟି ବସ୍ ସେବା ଯୋଗାଇ ଦିଆଯିବ। ଏଥି ନିମନ୍ତେ ମୋଟ ୧୩୦ ବସ୍ ଜିଲାକୁ ଆସିବ। ବିଭିନ୍ନ ପଚାଂୟତରେ ଏବେ ଲକ୍ଷ୍ମୀ ବସ୍ ଷ୍ଟପ୍ ସ୍ଥଳ କରାଯାଇଥିବା ବେଳେ କିଛି ସ୍ଥାନରେ ଏହାର ନିର୍ମାଣ ଜାରି ରହିଛି। ଆଜି ଲକ୍ଷ୍ମୀ ବସରେ ଗଞ୍ଜାମ ଜିଲ୍ଲାପାଳ, ଓଏସଆରଟିସିର ଅଧ୍ୟକ୍ଷ ତଥା ଏମଡି, ସାଂସଦ, ବିଧାୟକ ଓ ଜିଲ୍ଲା ପ୍ରଶାସନର ବିଭିନ୍ନ ଅଧିକାରୀ ଓ ମହିଳାମାନେ ଟିକେଟ ଦେଇ ଯାତ୍ରା କରିଥିଲେ।
ଏହି କାର୍ଯ୍ୟକ୍ରମରେ ଆସିକା ସାଂସଦ ପ୍ରମିଳା ବିଷୋୟୀ, ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ,ଛତ୍ରପୁର ବିଧାୟକ ସୁବାଷ ଚନ୍ଦ୍ର ବେହେରା,ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ, ସୋରଡ଼ା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ, ଆସିକା ବିଧାୟିକା ମଞ୍ଜୁଳା ସ୍ୱାଇଁ, ଖଲିକୋଟ ବିଧାୟିକା ସୂର୍ଯ୍ୟମଣି ବୈଦ୍ୟ, ଜିଲ୍ଲାପରିଷଦ ସଭାପତି ଅଞ୍ଜଳି ସ୍ୱାଇଁ, ରାଜ୍ୟ ଯୋଜନା ବୋର୍ଡର ସଦସ୍ୟ ଡା. ରମେଶ ଚନ୍ଦ୍ର ଚ୍ୟାଉ ପଟନାୟକ, ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା ପ୍ରମୁଖ ମଞ୍ଚାସୀନ ଥିଲେ। ଅନ୍ୟମାନଙ୍କ ମଧ୍ୟରେ ଓଏସଆରଟିସିର ଅଧ୍ୟକ୍ଷ ତଥା ଏମଡି ଦୀପତେଶ ପଟନାୟକ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ମଧୁମିତା, ବ୍ରହ୍ମପୁର ଉପଜିଲ୍ଲାପାଳ ଧୀନା ଦସ୍ତାଗିରୀ, ଅତିରିକ୍ତ ଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି, ଦେବବ୍ରତ ସାହୁ ଓ ପ୍ରମୋଦ କୁମାର ପୃଷ୍ଟି, ଜିଏମ ଡିଆସି ପ୍ରସନ୍ନ କୁମାର ପାତ୍ର, ଛତ୍ରପୁର ଉପ ଜ଼ିଲ୍ଲାପାଳ ଦେବଦତ୍ତ ମହାନ୍ତ, ଓଏସଆରଟିସି ଗଞ୍ଜାମ ଜିଲ୍ଲା ଅରୁଣ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ।
Comments are closed.