ବଢ଼ୁଛି ଜଙ୍ଗଲୀ ହାତୀଙ୍କ ଉପଦ୍ରବ; ଭାଙ୍ଗିଲେ ୪ ଘର, ହାତୀ ଆକ୍ରମଣରେ ଜଣେ ଗୁରୁତର

ଲାଞ୍ଜିଗଡ଼: ଦିର୍ଘଦିନ ହେଲା ଲାଞ୍ଜିଗଡ ବ୍ଲକର ଦୁର୍ଗମ ଅଞ୍ଚଳରେ ଜଙ୍ଗଲୀ ହାତୀଙ୍କ ଉପଦ୍ରବ ବୃଦ୍ଧି ପାଉଛି । ହେଲେ ଏଥିପ୍ରତି ବନବିଭାଗ ଦୃଷ୍ଟି ଦେଉନାହିଁ । ଫଳରେ ଦୁର୍ଗମ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି । ଆଜି ଗୋଟିଏ ଜଙ୍ଗଲୀ ହାତୀ ଜଣେ ଯୁବକଙ୍କୁ କଚାଡି ଦେଇଥିବା ବେଳେ ଯୁବକ ଜଣକ ଗୁରୁତର ଅବସ୍ଥାରେ ଭବାନୀପାଟଣା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି । ଏହି ଖବର ଚର୍ଚ୍ଚାର ପରିସରକୁ ଆସିଥିବା ବେଳେ ବନବିଭାଗ ନିରବଦ୍ରଷ୍ଟା ସାଜିଛି ।

ସୂଚନା ଅନୁସାରେ ବିଶ୍ୱନାଥପୁର ରେଞ୍ଜ ଅଧିନରେ ଥିବା କୁମଖାଲ ପଞ୍ଚାୟତର ପିଡେଲବାଜୁ ଗାଁରେ ଏପରି ଏକ ଅଘଟଣ ଘଟିଛି । ଗତକାଲି ବିଳମ୍ବିତ ରାତିରେ ୨୦ରୁ ଅଧିକ ଜଙ୍ଗଲୀ ହାତୀ ଗାଁକୁ ପଶିଆସିଥିଲେ ଏବଂ ଖୁବ ଗର୍ଜନ ଛାଡିଥିଲେ । ଜଙ୍ଗଲୀ ହାତୀ ଆସିବା ଭୟରେ ଲୋକମାନେ ଘରୁ ବାହାରକୁ ପଳାଇଆସିଥିଲେ । ହେଲେ ଗାଁର ମୋହନ ନାଗ ତାଙ୍କ ପରିବାରକୁ ନେଇ ବାହାରକୁ ଆସିପାରିନଥିଲେ । ଗୋଟିଏ ହାତୀ ସେହି ସମୟରେ ତାଙ୍କ ଘରକୁ ଭାଙ୍ଗି ଭିତରକୁ ପଶିଥିଲା । ଘରର ପ୍ରତ୍ୟେକ ଆସବପତ୍ର ନଷ୍ଟ କରିବା ପରେ ମୋହନ ନାଗକୁ ଶୁଣ୍ଢରେ ଟେକି କଚାଡି ଦେଇଥିଲା । ତାଙ୍କ ଘରେ ଥିବା ଖାଦ୍ୟଶସ୍ୟକୁ ନଷ୍ଟ କରି ଗାଁରେ ଥିବା ମନହର ନାଗ, ଜୟରାମ ନାଗ, ମୋନଜ କୁମାର ନାଗ, ଗମ୍ଭିର ହରିଜନ ଓ କାଦମ ହରିଜନଙ୍କ ଘରକୁ ସମ୍ପୂର୍ଣ୍ଣ ଭାଙ୍ଗି ଦେଇଥିଲେ ଜଙ୍ଗଲୀ ହାତୀପଲ । ଗୁରୁତର ଥିବା ମୋହନ ନାଗକୁ ତତକ୍ଷଣାତ୍ ସ୍ଥାନୀୟ ଲୋକଙ୍କ ସହଯୋଗରେ ବିଶ୍ୱନାଥପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ।

ହେଲେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଅତ୍ୟନ୍ତ ଗୁରୁତର ଥିବାରୁ ମୋହନ ନାଗକୁ ଭବାନୀପାଟଣା ମୁଖ୍ୟ ଡାକ୍ତରଖାନକୁ ସ୍ଥାନାନ୍ତର କରାଯାଇଥିଲା । ଜଙ୍ଗଲୀ ହାତୀପଲ ପିଲେଲବାଜୁ ଗାଁକୁ ପଶି ଅନେକ ଘର ଭାଙ୍ଗିଥିବା ବେଳେ ଅନେକ ଫସଲ ନଷ୍ଟ କରିଛନ୍ତି । ଗୁରୁତର ଥିବା ମୋହନ ନାଗଙ୍କ ଅବସ୍ଥା ଏବେ ବି ମଧ୍ୟ ଗୁରୁତର ରହିଛି । ଏହି ଖବର ପାଇ ବନବିଭାଗ ତଦନ୍ତ ଜାରି ରଖିଥିବା ବେଳେ କ୍ଷୟକ୍ଷତି ମଧ୍ୟ ଆକଳନ କରିଛନ୍ତି ।

ସୂଚନା ଥାଉ କି ଦିର୍ଘଦିନ ହେଲା ଜଙ୍ଗଲୀ ହାତୀପଲ ଏଠାରେ ଉପଦ୍ରବ ଜାରି ରଖିଛନ୍ତି । ବନବିଭାଗ ଓ ରାଜସ୍ୱ ବିଭାଗ ପକ୍ଷରୁ ନାମକୁ ମାତ୍ର ତଦନ୍ତ କରି କ୍ଷୟକ୍ଷତି ଆକଳନ କରୁଛନ୍ତି । କାରଣ ବର୍ତ୍ତମାନ ମଧ୍ୟ ଅନେକ ପରିବାର ହାତୀ ଆକ୍ରମଣର ଶିକାର ହୋଇ କ୍ଷତିପୂରଣ ପାଇନାହାନ୍ତି । ଏ ସଂପର୍କରେ ବିଶ୍ୱନାଥପୁର ରେଞ୍ଜର ନରୋତ୍ତମ ମାଝୀଙ୍କୁ ପଚାରିବାରୁ ଆମ କାମ କରୁଛୁ । ରାଜସ୍ୱ ବିଭାଗକୁ ଜଣେଇ ଦେଉଛୁ । ରାଜସ୍ୱ ବିଭାଗ କ୍ଷେତ୍ର ପରିଦର୍ଶନ କରି କ୍ଷୟକ୍ଷତି ଆକଳନ କରୁଛନ୍ତି । ଆମେ ଆମ ଉପରିସ୍ଥ ଅଧିକାରୀଙ୍କୁ ମଧ୍ୟ ଏ ସମ୍ପର୍କରେ ଜଣାଉଛୁ । ଆଜି ଯେଉଁ ହାତୀ ଆକ୍ରମଣରେ ଜଣେ ଗୁରୁତର ଅଛନ୍ତି ଓ ୪ଜଣଙ୍କ ଘର ଭାଙ୍ଗିଛି ତାହା ମଧ୍ୟ ଆମ ଆପରେ ଲୋଡ କରିଛୁ । ଏହି ଘଟଣା ସମ୍ପର୍କରେ ଖବର ପାଇ ଲାଞ୍ଜିଗଡ ବିଧାୟକଙ୍କ ପ୍ରତିନିଧି ପ୍ରଦୀପ ଘଡେଇ ଘଟଣାସ୍ଥଳକୁ ଯାଇ କ୍ଷୟକ୍ଷତି ହୋଇଥିବା ପରିବାର ଲୋକଙ୍କ ସହ ଅଲୋଚନା କରିଛନ୍ତି । ତାହାସହ ଉପରିସ୍ଥ ଅଧିକାରୀଙ୍କ ସହ ଆଲୋଚନା କରାଯାଇ ଯଥାଶୀଘ୍ର କ୍ଷତିପୂରଣ ଦିଆଯିବା ପାଇଁ ଚେଷ୍ଟା କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।

 

Comments are closed.