ନୂତନ ବସଷ୍ଟାଣ୍ଡ ନିର୍ମାଣରେ ମନ୍ଥରତା, ବଢୁଛି ଜନ ଅସନ୍ତୋଷ

ଲଡ଼ୁଗାଁ : ସଂପ୍ରତି କୋକସରା ବ୍ଲକ ପ୍ରତିଟି କ୍ଷେତ୍ରରେ ଅବହେଳା ହେଉଥିବାରୁ ଦିନକୁ ଦିନ ଜନ ଅସନ୍ତୋଷ ବୃଦ୍ଧି ପାଉଛି । ମିନି ଷ୍ଟାଡିୟମ୍ ନିର୍ମାଣରେ ହେଉ କି ଟ୍ରେଜେରୀ ଅଫିସ୍, ଗାଁ ପରିମଳ କଥା ହେଉ ଅବା ଯାତ୍ରୀ ସୁବିଧା ପାଇଁ ବସଷ୍ଟାଣ୍ଡ ସବୁଥିରେ ଅବହେଳା । ୨୬ ନମ୍ବର ଜାତୀୟ ରାଜପଥ କଡ଼ରେ ରହିଛି କୋକସରା। ବରଗଡରୁ କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଦେଇ ଆନ୍ଧ୍ରପ୍ରଦେଶର ବିଶାଖାପାଟଣା ଯାଆନ୍ତି ଶହ ଶହ ଲୋକ । ଏହି ଗାଁରେ ତସହିଲ, ବ୍ଲକ ଅଫିସ ରହିଛି ଅଥଚ ବିକାଶ ବାଟବଣା। ଯାତ୍ରୀ ଅନେକଗୁଡ଼ିଏ ଅସୁବିଧା ସମ୍ମୁଖୀନ ହେଉଥିବା କଥା ମଧ୍ୟ କୁହନ୍ତି । କୋକସରା ନୂତନ ବସଷ୍ଟାଣ୍ଡ ଓ ଡିପୋ ନିର୍ମାଣ ପାଇଁ ଜାଗା ଚିହ୍ନଟ ହୋଇ ସାରିଥିବା ବେଳେ ନିର୍ମାଣ କାର୍ଯ୍ୟ ଆରମ୍ଭରେ ମନ୍ଥରତା ଦେଖାଦେଇଛି । ଏ ନେଇ ସ୍ଥାନୀୟ ଜନସାଧାରଣଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।

prayash

ସୂଚନା ମତେ, ପୂର୍ବତନ ରାଜ୍ୟ ସରକାର ପ୍ରତି ବ୍ଲକ ସଦରରେ ବସଷ୍ଟାଣ୍ଡ ନିର୍ମାଣ ପାଇଁ ଅନୁଦାନ ମଞ୍ଜୁର କରିଥିଲେ । ସେହି ଅନୁସାରେ କୋକସରା ବ୍ଲକ ସଦର ମହକୁମାଠାରେ ନୂତନ ବସଷ୍ଟାଣ୍ଡ ନିର୍ମାଣ ପାଇଁ ଅନୁଦାନ ମଞ୍ଜୁର ହୋଇଛି । ତେବେ କୋକସରାରେ ହେବାକୁ ଥିବା ନୂତନ ବସଷ୍ଟାଣ୍ଡ ନିର୍ମାଣ ପାଇଁ ଗ୍ରାମପଞ୍ଚାୟତ ଅଧୀନରେ ଥିବା ପୁରୁଣା ବଜାର ପଡ଼ିଆକୁ ବ୍ଲକ ପ୍ରଶାସନ ପକ୍ଷରୁ ବସଷ୍ଟାଣ୍ଡ ନିର୍ମାଣ ପାଇଁ ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ କଳାହାଣ୍ଡିକୁ ହସ୍ତାନ୍ତର କରାଯାଇଛି । ଦୀର୍ଘ ବର୍ଷ ଧରି ସେହି ଜାଗା କିଛି ବ୍ୟବସାୟୀ ଓ ସ୍ଥାନୀୟ ଲୋକମାନଙ୍କ ଜବରଦଖଲରେ ରହିଛି । ଗାଁ ଉନ୍ନତିକରଣକୁ ଆଖି ଆଗରେ ରଖି କୋକସରା ତହସିଲ କାର୍ଯ୍ୟାଳୟ ପକ୍ଷରୁ ଜାଗା ଖାଲି କରିବାକୁ ନୋଟିସ୍ କରାଯାଇଥିଲା । କିନ୍ତୁ କୌଣସି କାରଣବଶତଃ କିଛି ଲୋକ ଘର ଖାଲି କରି ନ ଥିବା ଜଣାପଡିଛି । ଯେଉଁମାନେ ଦୀର୍ଘଦିନ ଧରି ଘର କରି ରହିଆସିଛନ୍ତି ସେମାନଙ୍କୁ ପ୍ରଶାସନ ପକ୍ଷରୁ ଘରଡିହ ଯୋଗାଇ ଦିଆଯାଇଛି । ଏନେଇ କୋକସରା ତହସିଲଦାର ନବୀନ କିଶୋର ପାଢ଼ୀଙ୍କ ପ୍ରତିକ୍ରିୟା ନେବାରୁ ଆମେ ନୋଟିସ୍ ବହୁ ଦିନରୁ ଦେଇଛୁ। ବସଷ୍ଟାଣ୍ଡ ନିର୍ମାଣ ପାଇଁ ଜବର ଦଖଲ କରିଥିବା ୬ ଜଣଙ୍କ ମଧ୍ୟରୁ ୫ ଜଣ ଜାଗା ଛାଡ଼ିବା ପାଇଁ ଲେଖି ଦେଇ ସାରିଛନ୍ତି । ଜଣକର ଘର ଥଇଥାନ ବ୍ୟବସ୍ଥାରେ ବିଳମ୍ବ ଓ ଝଡ଼ିବର୍ଷା ଯୋଗୁଁ ୧୫ ଦିନ ସମୟ ଦେଇଥିଲୁ । କୌଣସି ପ୍ରକାର ଜବର ଦଖଲ ଆଇନ୍ ଅବମାନନା କଲେ କିଛିଦିନ ମଧ୍ୟରେ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ କରାଯିବ ବୋଲି କହିଛନ୍ତି । ବ୍ଲକ ପରିସର ତଥା ବ୍ଲକ ସମ୍ମୁଖ ରାସ୍ତା କଡ଼ରେ ମୁଖ୍ୟମନ୍ତ୍ରୀ ବସ୍‌ଗୁଡ଼ିକ ରହିଥିବା କାରଣରୁ ଲୋକେ ନାନାଦି ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଏହାସହ ସବୁବେଳେ ବ୍ଲକ ପରିସରରେ ବସ୍‌ ରହିବା ଓ ଏହାର ସୁବ୍ୟବସ୍ଥା କରାଯାଉ ନଥିବାରୁ ଏହା ବ୍ଲକ ନୁହେଁ ତ ବରମୁଣ୍ଡା ବସଷ୍ଟାଣ୍ଡ ବୋଲି ବୁଦ୍ଧିଜୀବୀ କୁହନ୍ତି । ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ କଳାହାଣ୍ଡି ଜିଲ୍ଲା ମୁଖ୍ୟ ପରିଚାଳକ ବିଶ୍ୱ ରଞ୍ଜନ ମହାନ୍ତିଙ୍କ କହିବା କଥା ଆମେ ଆମ କାମ ସାରି ଦେଇଛୁ । ତହସିଲ କାମ ସରିଲା ପରେ ପ୍ରଥମେ ବସଷ୍ଟାଣ୍ଡ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ ପରେ ପରିବହନ ଆଇନ୍ ଅନୁଯାୟୀ ଡିପୋ ବ୍ୟବସ୍ଥା କରାଯିବ । ଜାଗା ପାଇଁ ତହସିଲ୍ ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ଏବଂ ପୋଲିସ୍ ହାଉସିଂ କର୍ପୋରେସନ ତାର ନିର୍ମାଣ ଦାୟିତ୍ଵ ନେଉଛି । ଏହାସହ କୋକସରା ବ୍ଲକ ପରିସରରେ ବସ୍ ରହିବା କଥାକୁ ନେଇ ଦୁଃଖ ପ୍ରକାଶ କରିବା ସହ ବସଷ୍ଟାଣ୍ଡ ନିର୍ମାଣ ପରେ ସବୁ ସମସ୍ୟାର ସମାଧାନ ହେବ ବୋଲି କହିଛନ୍ତି ମୁଖ୍ୟ ପରିଚାଳକ ଶ୍ରୀ ମହାନ୍ତି । ପୋଲିସ୍ ହାଉସିଂ ଆଣ୍ଡ ଓ୍ବେଲଫେୟର କର୍ପୋରେସନ କଳାହାଣ୍ଡି ଦାୟିତ୍ୱରେ ଥିବା ସବଡିଭିଜନାଲ ମୁଖ୍ୟ ପରିଚାଳକ ସ୍ୱରୂପ ପଟ୍ଟନାୟକଙ୍କଠାରୁ ଜାଣିବାକୁ ପାଇଲୁ ଯେ କୌଣସି କାରଣବଶତଃ କାର୍ଯ୍ୟାଦେଶ ଏଯାଏଁ ଆସିପାରିନାହିଁ । କାର୍ଯ୍ୟାଦେଶ ଆସିବା କ୍ଷଣି କାମ ଆରମ୍ଭ ହୋଇଯିବ ବୋଲି କହିଛନ୍ତି ।

Comments are closed.