ରାଠୀ ଉଦ୍ୟୋଗ ବର୍ତ୍ତମାନ ବିଆର ଷ୍ଟିଲ : ପୁରାତନ ୧୫୭ ଶ୍ରମିକଙ୍କୁ ରଖିବା ପାଇଁ ଟାଳଟୁଳ ନୀତି

ଉଦ୍ୟୋଗର ଶ୍ରମିକ ସଂଙ୍ଗଠନ ମଧ୍ୟରେ ଅସନ୍ତୋଷ ଜାରି ଆନ୍ଦୋଳନ ପାଇଁ ସଜବାଜ

ବୁର୍ଲା : ବୁର୍ଲା ଥାନା ଅନ୍ତର୍ଗତ ଆମ୍ବସଢ଼ା କଣ୍ଟାପାଲି ପୋତାପାଲି ଠାରେ ରାଠୀ ଉଦ୍ୟୋଗ ଗତ ୨୦୧୩ ମସିହାରେ ହଠାତ ବନ୍ଦ ହୋଇ ଯିବା ଫଳରେ ୪୦୦ ଶ୍ରମିକ ନିଜ ନିଜ ରୋଜଗାର ହରାଇଥିଲେ। ତାଲାମାରି କମ୍ପାନୀ ଚାଲିଯାଇଥିଲା। ରାଠୀ ଷ୍ଟିଲ ତାଲା ପଡ଼ିଥିବା ସତ୍ୱେ ଏହା ସମ୍ମୁଖରେ ଶ୍ରମିକ ମାନେ ଧାରଣାରେ ବସି ରହିଥିଲେ। ଶ୍ରମିକ ମାନଙ୍କୁ ବର୍ଷାଧିକ ସମୟର ବକେୟା ଦରମା ଏବଂ ଭତ୍ତାରୁ ଶ୍ରମିକ ବଞ୍ଚିତ ହୋଇ ଭୋକ ଉପାସରେ ଦିନ କାଟୁଥିଲେ। ପରେ ଗତ ଫେବ୍ରୁଆରୀ ମାସରୁ କମ୍ପାନି ନୂତନ ମାଲିକାନାରେ ଆରମ୍ଭ ହୋଇଥିଲା। ଉକ୍ତ ପୁରାତନ ୧୫୭ ଜଣ ରାଠୀର ଶ୍ରମିକଙ୍କୁ ପୁନଃନିଯୁକ୍ତି ଦେବା ପାଇଁ ବୁର୍ଲା ଏସଡ଼ିପିଓ ଏବଂ ଥାନାଧିକାରୀଙ୍କ ଉପସ୍ଥିତିରେ ତ୍ରିପାକ୍ଷିକ ଆଲୋଚନା କ୍ରମେ କର୍ମଚାରୀ ସଂଘ ସହିତ ଏକ ରାଜିନାମା ସ୍ୱାକ୍ଷରିତ କରିଥିଲା। ମାତ୍ର ପୁଣି କମ୍ପାନୀ ବିଆର ଷ୍ଟିଲ ହେବା ଏବଂ ବାହାରୁ ଶ୍ରମିକ ମାନଙ୍କୁ ରଖିବା ନେଇ ପୁରାତନ ଶ୍ରମିକ ମାନଙ୍କ ମଧ୍ୟରେ ଅଶାନ୍ତି ଦେଖାଦେଲାଣି। ପୁଣି ପୁରାତନ ଶ୍ରମିକ ମାନେ କମ୍ପାନୀ ପକ୍ଷରୁ ପ୍ଲାଣ୍ଟ ଚାଲୁ ନ ଥିବା ଦର୍ଶାଯାଇ ବାହାରୁ ଲୁଚାଛପାରେ ଶ୍ରମିକ ଆଣି କାମଚଳାଉଥିବା ଅଭିଯୋଗ ଆଣିବା ସହିତ ତାଙ୍କ ମଧ୍ୟରେ ଅଶାନ୍ତି ବୃଦ୍ଧି ପାଇଛି। ଏପରିକି ସେମାନେ ଆନ୍ଦୋଳନ କରିବା ପାଇଁ ସଜବାଜ ହେଉଥିବା ପ୍ରକାଶ ପାଇଛି। ଏହା ସହିତ ଜିଲ୍ଲା ପ୍ରଶାସନର ଦ୍ୱାରସ୍ଥ ହେବା ପରେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବେ ବୋଲି ଦୃଢ଼ୋକ୍ତି ବ୍ୟକ୍ତ କରିଛନ୍ତି।
ଚଳିତ ବର୍ଷ ଗତ ଜୁନ ମାସ ୧ ତାରିଖ ଠାରୁ ଉଦ୍ୟୋଗର ଉତ୍ପାଦନ ଆରମ୍ଭ ହେବା ମାତ୍ରେ ସମସ୍ତ ପୁରାତନ ଶ୍ରମିକ ମାନଙ୍କୁ ନିଯୁକ୍ତି ଦେବା ପାଇଁ ଉଦ୍ୟୋଗ ତରଫରୁ ପ୍ରତିଶୃତି ଦିଆ ଯାଇଥିଲା। ମାତ୍ର ଉଦ୍ୟୋଗ କର୍ତ୍ତୃପକ୍ଷଙ୍କ ତରଫରୁ ବିଭିନ୍ନ ମାଧ୍ୟମରେ ସମୟ ଗଡ଼ାଯିବ ସହିତ ବାହାନା ଦେଖାଇ ପୁରାତନ ଶ୍ରମିକ ମାନଙ୍କୁ ନିଯୁକ୍ତି ଦେବା ପାଇଁ ଟାଳଟୁଳ ନିତି ଅବଲମ୍ବନ କରାଚାଲିଛି। ସେପଟେ ବାହାର ରାଜ୍ୟ ଛତିଶଗଡ଼ ତଥା ଅନ୍ୟାନ୍ୟ ରାଜ୍ୟରୁ ଶ୍ରମିକ ମାନଙ୍କୁ ଲୁଚାଛପାରେ ଆଣି ଉଦ୍ୟୋଗରେ ଅବସ୍ଥାପିତ କରାଯାଉଥିବା ନେଇ ପୁରାତନ ଶ୍ରମିକ ମାନଙ୍କ ମଧ୍ୟରେ ଏହାକୁ ନେଇ ପ୍ରବଳ ଅସନ୍ତୋଷ ଦାନା ବାନ୍ଧିଚାଲିଛି। ପ୍ରତିଶୃତିର ଦିବାସ୍ୱପ୍ନରେ ଘାଣ୍ଟିଚକଟି ହେଉଥିବା ପୁରାତନ ଶ୍ରମିକ ମାନେ ପୁଣି ରୋଜଗାର ହରାଇବା ନେଇ ଆଶଙ୍କା ଜାହିର କରିଛନ୍ତି ରାଠୀ ଉଦ୍ୟୋଗ ଶ୍ରମିକ ସଂଘ। ପୁଣି ବିଆର ଷ୍ଟିଲ କମ୍ପାନି ଉଦ୍ୟୋଗରେ ଉତ୍ପାଦନ ହୋଇ ନ ଥିବା ଏବଂ ଯଦିବା ହୁଏ ତାହା ହେଲେ ରଖିବ କି ନାହିଁ ତାକୁ ସ୍ପଷ୍ଟ କରି ନ ଥିବା ଫଳରେ ପୁରାତନ ଶ୍ରମିକଙ୍କ ମଧ୍ୟରେ ବେରୋଜଗାର ହେବାକୁ ନେଇ ସନ୍ଦେହ ଘନିଭୁତ ହୋଇଛି। ଏହାକୁ ନେଇ ସେମାନେ ଜିଲ୍ଲା ପ୍ରଶାସନର ଦ୍ୱାରସ୍ତ ହୋଇ ଆନ୍ଦୋଳନ ମୁହାଁ ହେବା ପାଇଁ ସଜବାଜ ହେବାକୁ ଯାଉଛନ୍ତି । ସୂଚନାଯୋଗ୍ୟ ଅନେକ ଥର ଶ୍ରମିକ ଅଶାନ୍ତି, ଛଟେଇ ତଥା ଅନ୍ୟାନ୍ୟ କାରଣ ଯୋଗୁଁ ଶ୍ରମିକ ଅଶାନ୍ତି ପ୍ଲାଣ୍ଟରେ ତାଲା ପକାଇବା ସ୍ତିତି ମଧ୍ୟ ଉତ୍ପର୍ଣ୍ଣ କରିଥିବା ଦୃଷ୍ଟାନ୍ତ ରହିଛି। ବର୍ତ୍ତମାନ ବିଡ଼ମ୍ବନାର ବିଷୟ ହେଲା ରାଠୀ ଉଦ୍ୟୋଗ ନାମରେ ଆରମ୍ଭ ହୋଇଥିବା ଉଦ୍ୟୋଗର ମାଲିକାନା ବିଆର ଷ୍ଟିଲ ଏଣ୍ଡ ପାୱାର ନାମରେ ହୋଇ ସାରିଲାଣି। ସେପଟେ ଏହାକୁ ନେଇ ଶ୍ରମ ବିଭାଗର ଭୁମିକା ମଧ୍ୟ ସନ୍ଦେହ ମଧ୍ୟକୁ ଚାଲିଯାଉଛି। ସେପଟର ଶ୍ରମବିଭାଗ ପାଖରେ ଉଦ୍ୟୋଗରେ ରଖାଯାଉଥିବା ସମସ୍ତ ଶ୍ରମିକ ମାନଙ୍କ ତାଲିକା ମଧ୍ୟ ରହିଛି କି ନାହିଁ ତାକୁ ପ୍ରଶ୍ନ ଉଠୁଛି। ଗତ ଅଗଷ୍ଟ ମାସରେ ରାଠୀ ଉଦ୍ୟୋଗ ପୁର୍ଣ୍ଣ ମାତ୍ରାରେ କାର୍ଯ୍ୟକ୍ଷମ ହୋଇ ନ ଥିବା ଗଣମାଧ୍ୟମକୁ ସୂଚିତ କରାଯାଇଥିଲା ମାତ୍ର ଇତିମଧ୍ୟରେ ଚାରିମାସ ବିତି ସାରିଲାଣି ମାତ୍ର ତଥାପି ଶ୍ରମିକ ଥଇଥାନକୁ ନେଇ ଟାଳଟୁଳ ନିତି ଅବଲମ୍ବନ ହେଉଥିବା ଅଭିଯୋଗ ହେଉଛି। ସୁଚନା ଥାଉକି, ଗତ ୨୦୦୭ ମସିହାରୁ ରାଠୀ ଉଦ୍ୟୋଗ ଆରମ୍ଭ ହୋଇଥିବା ବେଳେ ଗତ ୨୦୧୨ ମସିହାରେ ଶ୍ରମିକ ମାନଙ୍କ ବର୍ଷାଧିକ କାଳର ପ୍ରାପ୍ୟ ନ ଦେଇ ଗତ ୨୦୧୩ ମସିହାରେ ଉଦ୍ୟୋଗ ବନ୍ଦ ଫେରାର ମାରିଥିଲା। ତେବେ ଯଦିବା ଜିଲ୍ଲା ପ୍ରଶାସନ ଏହି ପ୍ରସଙ୍ଗକୁ ଗୁରୁତର ସହିତ ନ ନିଏ ଏବଂ କୌଣସି ସମାଧାନର ବାଟ ନ ବାହାରେ ତା ହେଲେ ଆଗକୁ ପୁରାତନ ଶ୍ରମିକଙ୍କ ନିଯୁକ୍ତି ଦାବବିରେ ରାଠୀ ଶ୍ରମିକ ସଙ୍ଗଠନ ଆନ୍ଦୋଳନ ଆରମ୍ଭ କରିବା ନେଇ ଦୃଢ଼ୋକ୍ତି ପ୍ରକାଶ ପାଉଛି।

Comments are closed.