bjd  ek lkhya koti banner

ଜୀବିକା ଆଗରେ ଦକ୍ଷତା ବାଡ଼ ; ଅଣକୁଶଳୀଙ୍କୁ ମନରେଗା ଆଶ୍ୱସ୍ତି, ଚିନ୍ତାରେ କୁଶଳୀ

mission shakti banner

କୋରାପୁଟ : କରୋନା କଟକଣା ଭିତରେ ଜୀବନ ଯୁଦ୍ଧରେ ଅଣ୍ଟା ସଳଖିବା ପାଇଁ ସମାଜର ସବୁବର୍ଗ ଚେଷ୍ଟିତ; ଅଥଚ ଜୀବିକା ଆଗରେ ପଡିଛି ଦକ୍ଷତାର ବାଡ଼। ସୃଷ୍ଟି କରିଛି କିଛି ନୂଆ ସମସ୍ୟା। ଅଣକୁଶଳୀଙ୍କୁ ମନରେଗାରେ କର୍ମନିଯୁକ୍ତି କିଛିଟା ଆଶ୍ବସ୍ତି ଦେଇଛି; ହେଲେ ଦକ୍ଷତାଧାରୀ କୁଶଳୀ ଶ୍ରମଜୀବୀଙ୍କ ହାତକୁ ମିଳୁନି କାମ। ଫଳରେ ସେମାନଙ୍କ ସ୍ଥିତି ଏବେ ଦୁର୍ବିସହ। କର୍ମନିଯୁକ୍ତି ଅଭାବରୁ ଅନେକ ପୁଣି ଏବେ ରାଜ୍ୟ ଛାଡିବାକୁ ବିଚାର କରୁଛନ୍ତି।
କୋରାପୁଟ ସମେତ ପଡ଼ୋଶୀ ମାଲକାନଗିରି, ନବରଙ୍ଗପୁର ଓ ରାୟଗଡ଼ା ଜିଲାକୁ ଦୈନିକ ଶହଶହ ପ୍ରବାସୀ ଆସୁଛନ୍ତି। ସେଥିମଧ୍ୟରୁ କିଏ କୁଶଳୀ ଓ କେତେ ଅଣକୁଶଳୀ; ତାହା ଚିହ୍ନଟ କରିବା ପ୍ରକ୍ରିୟା ଆରମ୍ଭ ହୋଇଛି। ତେବେ ସେମାନଙ୍କୁ କର୍ମସଂସ୍ଥାନ ଯୋଗାଇବା ପ୍ରଶାସନ ପାଇଁ ବଡ଼ ଆହ୍ୱାନ ସୃଷ୍ଟି କରିଛି। କରୋନା କାଳରେ କେନ୍ଦ୍ର ସରକାର ମନରେଗା ମଜୁରି ବୃଦ୍ଧି ସହ ଏଥିପାଇଁ ପାଣ୍ଠି ଯୋଗାଇ ଦେଇଛନ୍ତି। ଅଣକୁଶଳୀଙ୍କୁ ଅନେକାଂଶରେ କାମ ମିଳିବାରୁ ସେମାନେ ଆଶ୍ୱସ୍ତ; କିନ୍ତୁ ଅପେକ୍ଷାକୃତ କମ୍‌ ପାରିଶ୍ରମିକ ଯୋଗୁଁ କୁଶଳୀ ଶ୍ରମିକଙ୍କୁ ମାଟିଖୋଳା କାମରେ ନିୟୋଜିତ କରାଯାଇପାରୁନି। ଯଦି ରାଜ୍ୟ ସରକାର ଦକ୍ଷତା ମ୍ୟାପିଂ ଜରିଆରେ ସେମାନଙ୍କ ଲାଗି ଆବଶ୍ୟକ କର୍ମନିଯୁକ୍ତି ନ ଯୋଗାଇ ଦିଅନ୍ତି; ତେବେ ଆଦିବାସୀ ମାଟିରେ ବେକାରୀ ସମସ୍ୟା ଉତ୍କଟ ସ୍ଥିତି ଉପୁଜାଇବା ଆଶଙ୍କା ବଢାଇଛି। ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଦୀନଦୟାଲ ଉପାଧ୍ୟାୟ ଗ୍ରାମୀଣ କୌଶଳ ବିକାଶ ଯୋଜନାରେ ଅନେକ ଯୁବକ ଯୁବତୀଙ୍କୁ ତାଲିମ ନେଇ ରାଜ୍ୟ ବାହାରେ କୁଶଳୀ ଶ୍ରମିକର ପରିଚୟ ନେଇ ବଞ୍ଚୁଥିଲେ। କରୋନା ସଙ୍କଟ ଯୋଗୁଁ ଅନେକ ପୁଣିଥରେ ଭିଟାମାଟି ମୁହାଁ ହୋଇଛନ୍ତି। କିଏ ନି ଇଚ୍ଛାରେ ଫେରିଛନ୍ତି, କିଏ ଅନିଚ୍ଛା ସତ୍ତ୍ବେ କର୍ମସଂସ୍ଥାନ ହରାଇବା ଭୟରେ ଫେରି ଆସୁଛନ୍ତି। ଆଜି ସୁଦ୍ଧା କୋରାପୁଟ ଜିଲାକୁ ପ୍ରାୟ ୧୫ହଜାର ପ୍ରବାସୀ ଶ୍ରମିକ ଫେରି ଆସିଥିବା ସରକାରୀ ରେକର୍ଡ କହୁଛି। କିନ୍ତୁ ଏହି ପରିସଂଖ୍ୟାନଠାରୁ ବାସ୍ତବତା ଭିନ୍ନ। ଅନେକ ଶ୍ରମିକ ଲୁଚାଛପାରେ ଗଳାବାଟ ଦେଇ ଜିଲାକୁ ପ୍ରବେଶ କରିଛନ୍ତି। ୧୪ଟି ବ୍ଲକ ଓ ୪ଟି ଏନସି ମଧ୍ୟରୁ ଆଜିପର୍ଯ୍ୟନ୍ତ ପ୍ରାୟ ୩ ହଜାର ୭୦୦ ଫେରନ୍ତା କୁଶଳୀ ଶ୍ରମିକଙ୍କୁ ଚିହ୍ନଟ କରାଯାଇଛି। ଏମାନେ କେରଳ, ତାମିଲନାଡ଼ୁ ଓ କର୍ଣ୍ଣାଟକରୁ ଆସିଛନ୍ତି। ଅଧିକାଂଶ ନିର୍ମାଣ ଓ ପାଇପ କାମରେ ନିୟୋଜିତ ଥିଲେ। ତେବେ ଅଦ୍ୟାବଧି ଚିହ୍ନଟ ପ୍ରକ୍ରିୟା ଚାଲିଥିବା ଯୋଗୁଁ ଏହି ସଂଖ୍ୟା ବଢ଼ୁଛି। ସେହିଭଳି ଦୀନଦୟାଲ ଉପାଧ୍ୟାୟ ଗ୍ରାମୀଣ କୁଶଳ ଯୋଜନାରେ ତାଲିମପ୍ରାପ୍ତ ଯୁବକ ଯୁବତୀଙ୍କ ମଧ୍ୟରୁ ଚଳିତବର୍ଷ ତାଲା ବନ୍ଦ ପୂର୍ବରୁ ଅର୍ଥାତ୍‍ ମାର୍ଚ୍ଚ ସୁଦ୍ଧା ବିଭିନ୍ନ ବ୍ଲକରୁ ୧୨୬ ଜଣ ତାଲିମପ୍ରାପ୍ତ ଯୁବକଯୁବତୀ ବେଙ୍ଗାଲୁରୁ, ଚେନ୍ନଇ ଓ ହାଇଦରାବାଦକୁ ଚାଲିଯାଇଛନ୍ତି। ସେଠାରେ ସେମାନେ ହୋଟେଲ ମ୍ୟାନେଜମେଣ୍ଟ ଓ ଇଲେକ୍ଟ୍ରିକାଲ କମ୍ପାନୀ ଗୁଡ଼ିକରେ କାମ ପାରିଛନ୍ତି। ଏହି ଯୋଜନାରେ ଜୟପୁର ବ୍ଲକରୁ ସର୍ବାଧିକ ୩୪ ଜଣ ଯାଇଥିବାବେଳେ ବୈପାରିଗୁଡ଼ା ବ୍ଲକରୁ ୨୩, ବୋରିଗୁମ୍ମା ବ୍ଲକରୁ ୧୯, ବନ୍ଧୁଗାଁରୁ ୨, ଦଶମନ୍ତପୁରରୁ ୧୦, କୋରାପୁଟରୁ ୮, କୁନ୍ଦୁରାରୁ ୨୧, ଲକ୍ଷ୍ମୀପୁର ବ୍ଲକରୁ ୩, ସେମିଳିଗୁଡ଼ା ବ୍ଲକରୁ ୫ ଓ ନନ୍ଦପୁର ବ୍ଲକରୁ ଜଣେ ରାଜ୍ୟ ବାହାରକୁ ଯାଇଥିବା ଜଣାପଡିଛି। ଏମାନଙ୍କ ବ୍ୟତୀତ ଗତବର୍ଷ ଶତାଧିକ ଯୁବକ ବାହାର ରାଜ୍ୟକୁ ଜୀବିକା ସନ୍ଧାନରେ ଯାଇଛନ୍ତି। ସେହିଭଳି ନବରଙ୍ଗପୁର, ମାଲକାନଗିରି ଓ ରାୟଗଡ଼ା ଜିଲାରୁ ମଧ୍ୟ ଅନେକ ରାଜ୍ୟ ବାହାରେ ନିୟୋଜିତ ଅଛନ୍ତି। ସେହିଭଳି ମାଲକାନଗିରି ଜିଲାରେ ଆଜି ସୁଦ୍ଧା ୬ ହଜାର ୮୦୦ ଫେରନ୍ତା କୁଶଳୀ ଶ୍ରମିକଙ୍କୁ ଚିହ୍ନଟ କରାଯାଇଥିବା ସରକାରୀ ରେକର୍ଡ କହୁଛି। ମାତ୍ର ବେସରକାରୀ ଭାବେ ଏହି ସଂଖ୍ୟା ୧୦ ହଜାରରୁ ଅଧିକ। ଏହି ଜିଲାରେ କୌଣସି ଶିଳ୍ପ ନଥିବାରୁ କୁଶଳୀଙ୍କୁ କିଭଳି କର୍ମସଂସ୍ଥାନ ଦିଆଯିବ ତାହା ଚିନ୍ତା ବଢାଇଛି। ସେହିଭଳି ନବରଙ୍ଗପୁର ଜିଲାରେ ଏବେ ବି ଚିହ୍ନଟ ପ୍ରକ୍ରିୟା ଚାଲିଛି। ରାୟଗଡ଼ାରେ ଆଜି ସୁଦ୍ଧା ୧୦ ହଜାର ୨୫ ଜଣ ପ୍ରବାସୀ ଶ୍ରମିକ ଆସିଥିବାବେଳେ ସେମାନଙ୍କ ମଧ୍ୟରୁ କୁଶଳୀ ଶ୍ରମିକଙ୍କୁ ଚିହ୍ନଟକରଣ ପ୍ରକ୍ରିୟା ଆରମ୍ଭ ହୋଇନି। ଅନେକ ସ୍ଥାନରେ ଦାଦନ ଶ୍ରମିକଙ୍କ ମୁହଁରେ ମନରେଗା ପୁଣି ହସ ଫୁଟାଇ ପାରିଥିବାବେଳେ କୁଶଳୀ ଶ୍ରମିକ କିନ୍ତୁ ହାତ ବାନ୍ଧି ବସିଛନ୍ତି। ଜିଲା ପ୍ରଶାସନ ସେମାନଙ୍କୁ ଚିହ୍ନଟ କରି ତୁରନ୍ତ ଯୋଗ୍ୟତା ଓ ଦକ୍ଷତା ଅନୁଯାୟୀ କାମ ଦେବାକୁ ଯୋଜନା ପ୍ରସ୍ତୁତ କରୁଥିବା ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦେଶକ ପ୍ରବୀର କୁମାର ନାୟକ ସୂଚନା ଦେଇଛନ୍ତି। ପ୍ରଶାସନ ଶୀଘ୍ର ସେମାନଙ୍କ ଲାଗି ନିଜ ରାଜ୍ୟରେ ନିଯୁକ୍ତି ସୁଯୋଗ ଦେଇପାରିଲେ ପ୍ରବାସୀ ପଳାୟନକୁ ରୋକାଯାଇପାରିବ ବୋଲି ବୁଦ୍ଧିଜୀବୀ ମହଲରେ ମତପ୍ରକାଶ ପାଇଛି।

Comments are closed.