କୋରାପୁଟ : କୋରାପୁଟ ଭଳି ଆଦିବାସୀ ବହୁଳ ଅଞ୍ଚଳରେ ଶିକ୍ଷା ଓ ସଚେତନତା ଅଭାବରୁ ବାଲ୍ୟ ବିବାହ ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ରୋକିବା ପାଇଁ ସରକାରୀ ଓ ବେସରକାରୀ ସ୍ତରରେ ଅନେକ ପଦକ୍ଷେପ ନିଆ ଯାଉଥିଲେ ମଧ୍ୟ ସେପରି କୌଣସି ଆଖିଦୃଶିଆ ପରିବର୍ତ୍ତନ ପରିଲକ୍ଷିତ ହେଉନାହିଁ। ଏହି କ୍ଷେତ୍ରରେ ପାଦେ ଆଗକୁ ଯାଇ କୋରାପୁଟ ଜିଲା ପ୍ରଶାସନ ଗୁରୁବାର ଏକ ଅଭିଯାନର ଶୁଭାରମ୍ଭ କରିଛନ୍ତି। ତାହାର ନାଁ ରହିଛି ‘ଅପରାଜିତା’। କୋରାପୁଟ ସ୍ଥିତ ସଦଭାବନା ସଭାଗୃହରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଜିଲାପାଳ ମଧୁସୂଦନ ମିଶ୍ର ବାଲ୍ୟ ବିବାହ ବିରୋଧୀ ସଚେତନତା ଅଭିଯାନ ‘ଅପରାଜିତା’ର ଶୁଭାରମ୍ଭ କରିଛନ୍ତି। ତାଙ୍କ ସମେତ ରାଜ୍ୟ ବିହନ ନିଗମ ଅଧ୍ୟକ୍ଷ ଈଶ୍ୱର ଚନ୍ଦ୍ର ପାଣିଗ୍ରାହୀ, ଜିଲା ପରିଷଦ ଅଧ୍ୟକ୍ଷା ମାଳତୀ କ୍ରୀଷାନୀ ମଧ୍ୟ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ଏମାନଙ୍କ ବ୍ୟତୀତ ସମସ୍ତ ସ୍ୱୟଂ ସହାୟକ ଗୋଷ୍ଠୀ, ଅଙ୍ଗନବାଡ଼ି ଏବଂ ଜିଲା ସ୍ତରୀୟ ଅଧିକାରୀମାନେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।

ଏହି ଅଭିଯାନ ମାଧ୍ୟମରେ ବାଲ୍ୟ ବିବାହକୁ ନେଇ ଅଭିଭାବକଙ୍କ ମଧ୍ୟରେ ସଚେତନତା, ବାଳିକା ଶିକ୍ଷାକୁ ତ୍ୱରାନ୍ୱିତ କରିବା ଏବଂ ଲୋକେ କିପରି ନିଜେ ଏହାକୁ ରୋକିବାକୁ ଚେଷ୍ଟା କରିବେ ସେଥିପ୍ରତି ପଦକ୍ଷେପ ନିଆଯିବ ବୋଲି ଉକ୍ତ ଉଦ୍ଘାଟନୀ ସଭାରେ ଉପସ୍ଥିତ ଅତିଥିମାନେ କହିଛନ୍ତି।



