କେରଳରେ ୫୨ ଦିନ ପାଇଁ ମାଛଧରା ନିଷେଧାଦେଶ
ତିରୁଅନନ୍ତପୁରମ୍ : କେରଳ ସମୁଦ୍ରତଟରେ ଶନିବାର ମଧ୍ୟରାତିରୁ ୫୨ ଦିନ ପାଇଁ ମାଛଧରା ଉପରେ ନିଷେଧାଦେଶ ଜାରୀ କରାଯାଇଛି। ବିଶେଷ କରି ବର୍ଷା କାଳରେ ଟ୍ରଲର୍ ଯୋଗେ ମାଛଧରାକୁ ନିଷେଧ କରାଯାଇଛି। ଏହି ସମୟରେ କେରଳର ସମଗ୍ର ସମୁଦ୍ର ତଟରେ ମାଛ ଧରାପାଇଁ ଯନ୍ତ୍ରଚାଳିତ ଡଙ୍ଗା ଓ ଟ୍ରଲର୍ଗୁଡ଼ିକୁ ସମୁଦ୍ର ମଧ୍ୟକୁ ଛଡ଼ାଯିବ ନାହିଁ। ଏହି ନିଷେଧାଦେଶକୁ କଡ଼ାକଡ଼ି ଭାବେ ପାଳନ କରିବାପାଇଁ ସାମୁଦ୍ରିକ ଥାନା ଓ ତଟରକ୍ଷୀ ବାହିନୀକୁ ନିର୍ଦ୍ଦେଶ ଦିଆଯାଇଛି।
ମାଛ ମାନଙ୍କ ପାଇଁ ଏହା ପ୍ରଜନନ ୠତୁ ହୋଇଥିବାରୁ ସାମୁଦ୍ରିକ ସମ୍ପଦର ପୁନଃଭରଣା ତଥା ବଂଶ ବିସ୍ତାର ପାଇଁ ସୁଯୋଗ ପ୍ରଦାନ ଉଦ୍ଦେଶ୍ୟରେ ଟ୍ରଲର୍ ଯୋଗେ ମାଛଧରାକୁ ନିଷେଧ କରାଯାଇଥାଏ। ନିଷେଦ୍ଧାଦେଶ ବଳବତ୍ତର ରହିବା ସମୟରେ ମତ୍ସ୍ୟଜୀବୀମାନଙ୍କୁ ସରକାର ମାଗଣାରେ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଦେବେ। ତେବେ ଏହି ସମୟରେ ପାରମ୍ପରିକ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ରରେ ପ୍ରବେଶ ପାଇଁ ବାରଣ କରାଯାଇ ନାହିଁ।