ବଲାଣି : କେନ୍ଦୁଝର ଜିଲ୍ଲା ଯୋଡ଼ା ଖଣି ମଣ୍ଡଳରେ ପରିବହନ ଦର ଦିନକୁ ଦିନ ହ୍ରାସ ପାଉଥିବା ଯୋଗୁଁ ଟ୍ରକ ମାଲିକମାନଙ୍କ ମଧ୍ୟରେ ଅଶୋନ୍ତୋଷ ବୃଦ୍ଧି ପାଇଛି । ଆଜି ବଲାଣି ରେଳ ସାଇଡିଂରୁ କୋଇଲା ପରିବହନରେ ଦର ହ୍ରାସ ପାଇଥିବାରୁ ଟ୍ରକ୍ ମାଲିକମାନେ ଏହାକୁ ବିରୋଧ କରି ଆନ୍ଦୋଳନକୁ ଓହ୍ଲାଇବା ସହିତ ପରିବହନ ବନ୍ଦ କରିଛନ୍ତି ।
ସୂଚନା ଅନୁସାରେ, ବଲାଣି ରେଳ ସାଇଡିଂରୁ ରୁଙ୍ଗଟା କମ୍ପାନୀର ଦୁଇଟି କାରଖାନା କମାଣ୍ଡୋ ଓ କାରାକୋଲହା ନିମନ୍ତେ କୋଇଲା ପରିବହନ ହୋଇଥାଏ । ତେବେ ପୂର୍ବରୁ ଏହି ପରିବହନ ନିମନ୍ତେ ଟ୍ରକ୍ ମାଲିକମାନେ ପରିବହନ ସଂସ୍ଥାଠାରୁ ଟନ୍ ପ୍ରତି ୫୦୦ଟଙ୍କା ପାଉଥିବା ବେଳେ ଧୀରେ ଧୀରେ ହ୍ରାସ ପାଇ ବର୍ତ୍ତମାନ ୩୯୦ ଟଙ୍କା ହୋଇଛି । ତେବେ ସଂପ୍ରତି ଡିଜେଲ, ଗାଡି ମରାମତି, ଡ୍ରାଇଭର ଆଦି ଖର୍ଚ୍ଚ ବୃଦ୍ଧି ପାଉଥିବାବେଳେ ପରିବହନ ସଂସ୍ଥା ପକ୍ଷରୁ ପରିବହନ ବାବଦକୁ ଦର ହ୍ରାସ ପାଉଥିବା ଯୋଗୁଁ ଟ୍ରକ୍ ମାଲିକମାନେ କ୍ଷତି ସହୁଛନ୍ତି । ଏ ନେଇ ବାଲାଗୋଡା ନିକଟସ୍ଥ ଓଜନ କଣ୍ଟାଠାରେ ବଲାଣି ପୁଲିସ୍ ଉପସ୍ଥିତିରେ ଟ୍ରକ ମାଲିକ ଓ ପରିବହନ ସଂସ୍ଥା ମଧ୍ୟରେ ବୈଠକ ଅନୁଷ୍ଠିତ ହୋଇଥିଲା । ଟ୍ରକ୍ ମାଲିକମାନେ ପୂର୍ବ ଦର ଦେବାକୁ ପରିବହନ ସଂସ୍ଥା ନିକଟରେ ଦାବି କରିଥିଲେ ସୁଦ୍ଧା କମ୍ପାନୀ ପକ୍ଷରୁ ଦିଆଯାଇଥିବା ପରିବହନ ବାବଦ ମୂଲ୍ୟ କମ୍ ଥିବାରୁ ସେତିକି ମାତ୍ରାରେ ପରିବହନ ମୂଲ୍ୟ ବୃଦ୍ଧି କରିବା ଅସମ୍ଭବ ବୋଲି ପରିବହନ ସଂସ୍ଥା ପକ୍ଷରୁ ଟ୍ରକ୍ ମାଲିକଙ୍କୁ କୁହାଯାଇଥିଲା । ତେବେ ପରିବହନ ସଂସ୍ଥା ପକ୍ଷରୁ ଟନ୍ ପ୍ରତି ୪୧୦ ଟଙ୍କା ବୃଦ୍ଧି କରାଯିବାକୁ ଟ୍ରକ୍ ମାଲିକ ନିକଟରେ ପରିବହନ ସଂସ୍ଥା ପ୍ରତିଶ୍ରୁତି ଦେଇଥିଲେ ସୁଦ୍ଧା ଟ୍ରକ ମାଲିକମାନେ ନିଜ ଜିଦରେ ଅଟଳ ରହିବାରୁ କୌଣସି ଫଳ ବାହାରି ପାରିନାହିଁ । ତେବେ ଦର ବୃଦ୍ଧି ନହେବା ପର୍ଯ୍ୟନ୍ତ ପରିବହନକୁ ଠପ୍ କରାଯିବ ବୋଲି ଟ୍ରକ ମାଲିକମାନେ ଚେତାବନୀ ଦେଇଛନ୍ତି।



