ଭୋଟର ତାଲିକାରେ ସାମିଲ ଦାବିରେ ସମବାୟ ସମିତି ନିବନ୍ଧକଙ୍କ ଦ୍ୱାରସ୍ଥ
କେନ୍ଦୁଝରଗଡ଼: ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସି ଆଣ୍ଡ ଟ୍ରାନ୍ସପୋର୍ଟିଂ କୋଅପରେଟିଭ ସୋସାଇଟି ଲିମିଟେଡ୍ ଶୁଆକାଟିର ପରିଚାଳନା ସମିତି ନିର୍ବାଚନ ନିମନ୍ତେ ଚଳିତମାସ ୬ ତାରିଖ ବିଜ୍ଞପ୍ତି ପ୍ରକାଶ ସହ ନିର୍ବାଚନ ଆଚରଣବିଧି ଲାଗୁ ହୋଇଥିବା ନିର୍ବାଚନ ଅଧିକାରୀ ତଥା ସହକାରୀ ସମବାୟ ନିବନ୍ଧକ ପ୍ରଭାକର ନାଏକ କହିଛନ୍ତି। ବିଜ୍ଞପ୍ତି ଅନୁଯାୟୀ, ଆସନ୍ତାବର୍ଷ ଫେବୃୟାରୀ ୨୩ ତାରିଖରେ ନିର୍ବାଚନ ଧାର୍ଯ୍ୟ ହୋଇଥିବାବେଳେ ଜାନୁଆରୀ ୧୦ ତାରିଖ ସୁଦ୍ଧା ସମବାୟ ସମିତି ଅଧିନ ୧୫ଟି ନିର୍ବାଚନମଣ୍ଡଳୀର ଭୋଟର ତାଲିକା ପ୍ରଦାନ ନିମନ୍ତେ ସମିତିର ସମ୍ପାଦକଙ୍କୁ ନିର୍ଦ୍ଦେଶ ହୋଇଛି। ଏହି ସମବାୟ ସମିତି ଅଧିନରେ ଗତ ନିର୍ବାଚନରେ ୨୫୯୧ଜଣ ସଦସ୍ୟ ଥିବାବେଳେ ସେଥିମଧ୍ୟରୁ ମାତ୍ର ୧୦୭ଜଣ ସଦସ୍ୟଙ୍କୁ ଭୋଟର ତାଲିକାରେ ସାମିଲ କରାଯାଇଥିଲା। ଚଳିତବର୍ଷ ନୂତନ ଭାବେ ୮୬୪ଜଣ ସଦସ୍ୟଙ୍କୁ ସାମିଲ କରାଯାଇଥିବାବେଳେ ନୂତନ ସଦସ୍ୟଙ୍କ ମଧ୍ୟରୁ ୨୧୧ଜଣଙ୍କୁ ଭୋଟର ତାଲିକାରେ ସାମିଲ କରାଯାଇଥିବା ଜଣାପଡ଼ିଛି। ତେବେ ଦୀର୍ଘବର୍ଷ ଧରି ସମବାୟ ସମିତିରେ ସଦସ୍ୟ ଥାଇ ବିଭିନ୍ନ ସୁବିଧା ସୁଯୋଗ ହାତେଇ ଆସୁଥିଲେ ମଧ୍ୟ ଶୁଆକାଟି, ତଳକଇଁସାରୀ ଓ କୁମୁଣ୍ଡି ଆଦି ୩ ପଞ୍ଚାୟତର ୨ହଜାରରୁ ଊର୍ଦ୍ଧ୍ବ ସଦସ୍ୟଙ୍କୁ ଭୋଟର ତାଲିକାରେ ସାମିଲ କରାଯାଉ ନ ଥିବାରୁ ସଦସ୍ୟଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଆସୁଛି। ପୂର୍ବରୁ ସଦସ୍ୟତା ଥାଇ ସୁଦ୍ଧା ଭୋଟର ତାଲିକାରେ ସାମିଲ କରାନଯାଇ କିଭଳି ଭାବେ ନୂତନ ସଦସ୍ୟତା ହାତେଇଥିବା ୮୬୪ଜଣଙ୍କ ମଧ୍ୟରୁ ୨୧୧ଜଣଙ୍କୁ ଭୋଟର ତାଲିକାରେ ସାମିଲ କରାଗଲା ସେ ନେଇ ସଦସ୍ୟ ଦଲୁରାମ ଦେହୁରୀ ପ୍ରଶ୍ନ ଉଠାଇଛନ୍ତି। ଏପରିକି ପୂର୍ବରୁ ସଦସ୍ୟ ଥିବା ୨୦୦୦ରୁ ଊର୍ଦ୍ଧ୍ବ ସଦସ୍ୟ ସେମାନଙ୍କୁ ନିର୍ବାଚନ ସୂଚୀ ପ୍ରକାଶ ପାଇବା ପୂର୍ବରୁ ଭୋଟର ତାଲିକାରେ ସାମିଲ କରିବାକୁ ସୋମବାର ସହସ୍ରାଧିକ ସଦସ୍ୟ ସଦସ୍ୟା ସମବାୟ ସମିତି ସମୂହ ନିବନ୍ଧକ କେନ୍ଦୁଝରଙ୍କ କାର୍ଯ୍ୟାଳୟରେ ପହଞ୍ଚି ଦାବିପତ୍ର ପ୍ରଦାନ କରିଛନ୍ତି। ତେବେ ସମବାୟ ସମିତି ସମ୍ପାଦକଙ୍କ ଦ୍ୱାରା ଧାର୍ଯ୍ୟ ସମୟ ମଧ୍ୟରେ ଭୋଟର ତାଲିକା ପ୍ରଦାନ ପରେ ପ୍ରାଥମିକ ଭୋଟର ତାଲିକା ସମ୍ପର୍କରେ ଅଭିଯୋଗ ଗ୍ରହଣ ସହ ଏହାର ଶୁଣାଣି କରାଯାଇ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶନ ସହ ନିର୍ବାଚନ ସୂଚୀ ପ୍ରକାଶ ପାଇବ ବୋଲି ସହକାରୀ ସମବାୟ ନିବନ୍ଧକ ତଥା ନିର୍ବାଚନ ଅଧିକାରୀ ଶ୍ରୀ ନାଏକ ଏହା କହିଛନ୍ତି।
Comments are closed.