ଅବଧି ସରିବାର ୪ବର୍ଷ ପରେବି ହେଉନି ଜିଲା କ୍ରୀଡ଼ା ସଂସ୍ଥା ନିର୍ବାଚନ

୧୫ମାସ ଧରି ଜିଲାପାଳଙ୍କ ଅନୁମୋଦନ ଅପେକ୍ଷାରେ କାଉନସିଲ ବୈଠକ ଆବେଦନ

କେନ୍ଦୁଝରଗଡ଼: ମର୍ଯ୍ୟାଦାଜନକ ଜିଲା କ୍ରୀଡ଼ା ସଂସ୍ଥା କର୍ମକର୍ତ୍ତା ନିର୍ବାଚନ ଶେଷଥର ପାଇଁ ୨୪ ଅପ୍ରେଲ ୨୦୧୬ରେ ହୋଇଥିବା ବେଳେ ନିୟମ ଅନୁଯାୟୀ ନିର୍ବାଚିତ କର୍ମକର୍ତ୍ତାଙ୍କ କାର୍ଯ୍ୟକାଳ ଅବଧି ୪ବର୍ଷ । ଇତିମଧ୍ୟରେ ନିର୍ବାଚିତ କର୍ମକର୍ତ୍ତାଙ୍କ ଅବଧି ୮ବର୍ଷ ବିତିିବାକୁ ବସିଥିବାବେଳେ ସଂସ୍ଥାର ନିର୍ବାଚନ ପ୍ରକ୍ରିୟା ଆରମ୍ଭ ନହେବାକୁ ନେଇ ସଂସ୍ଥା ସଦସ୍ୟଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଜିଲାପାଳ ଏହି ସଂସ୍ଥାର ସଭାପତି ହୋଇଥିବାରୁ ତୁରନ୍ତ ସଂସ୍ଥାର ନିର୍ବାଚନ ପ୍ରକ୍ରିୟା ଆରମ୍ଭ କରିବାକୁ ସଦସ୍ୟ ସନ୍ଦୀପ ପଟ୍ଟନାୟକଙ୍କ ନେତୃତ୍ୱରେ ଜିଲାପାଳଙ୍କୁ ଭେଟି ନିବେଦନ କରାଯାଇଛି।

ଅଧପନ୍ତରିଆ ହୋଇ ପଡ଼ି ରହିଥିବା ଜିଲାର ସର୍ବପୁରାତନ କେନ୍ଦୁଝର ଷ୍ଟାଡ଼ିୟମର ଆଧୁନିକୀକରଣ ସହ କ୍ରୀଡ଼ାର ବିକାଶ, କୃତୀ କ୍ରୀଡ଼ାବିତ୍‌‌ଙ୍କୁ ପ୍ରୋତ୍ସାହନ, କ୍ରୀଡ଼ା ସଂସ୍ଥା ସହ ଜିଲାର ସମସ୍ତ ଅଞ୍ଚଳକୁ ଯୋଡ଼ିବା ଏବଂ ନୂତନ କ୍ରୀଡ଼ା କ୍ଲବ ଓ କ୍ରୀଡ଼ାବିତ୍‌‌ଙ୍କୁ ଜିଲା କ୍ରୀଡା ସଂସ୍ଥା ସହ ସାମିଲ ଦିଗରେ ପ୍ରାଥମିକତା ଦେବେ ବୋଲି ୨୫ ଅପ୍ରେଲ ୨୦୧୬ ନିର୍ବାଚନରେ ବିଜୟୀ ହେବାପରେ ସଂସ୍ଥାର ସାଧାରଣ ସମ୍ପାଦକ ଡା.ଜନାର୍ଦ୍ଦନ ଦାଶ ତାଙ୍କ ପ୍ରତିକ୍ରିୟାରେ ଏହା କହିଥିଲେ। ମାତ୍ର ବିଡମ୍ବନାର ବିଷୟ, ଜିଲାରେ କ୍ରୀଡା ଓ କ୍ରୀଡାବିତ୍‌‌ଙ୍କ ବିକାଶ ତ ଦୂରର କଥା ବର୍ତ୍ତମାନର କର୍ମକର୍ତ୍ତାଙ୍କ ସମୟରେ ଥରୁଟିଏ ସଂସ୍ଥାର ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ନହେବା ସଂସ୍ଥାରେ ମେରୀ ରାୟ ଚାଲିଥିବା ନେଇ ବହୁ କର୍ମକର୍ତ୍ତା ଓ ସଦସ୍ୟ ଖୋଲାଖୋଲି ଅଭିଯୋଗ କରିଆସୁଛନ୍ତି। ଜିଲା କ୍ରୀଡା ସଂସ୍ଥାରେ ସ୍ୱଛତା ନରହିବା ଏବଂ ସଂସ୍ଥା ଅଧିନରେ ପରିଚାଳତ ବହୁ ପୁରାତନ କେନ୍ଦୁଝର ଷ୍ଟାଡିୟମ ରକ୍ଷଣାବେକ୍ଷଣ ଅଭାବରୁ ପଡ଼ିଆ ନଷ୍ଟ ହେବାସହ ପାଚେରୀ ଭାଙ୍ଗି ରୁଜି ପଡ଼ିଥିବା ବେଳେ ଏହା ଗତ କିଛିବର୍ଷ ଧରି ଅସାମାଜିକଙ୍କ ଆଡାସ୍ଥଳିରେ ପରିଣତ ହୋଇଛି। ଏହି ଷ୍ଟାଡିୟମ ପଡ଼ିଆରେ ବହୁ ସମୟରେ ଜିଲା ପ୍ରଶାସନର ବିଭିନ୍ନ କାର୍ଯ୍ୟକ୍ରମ ସମେତ ଜିଲାସ୍ତରୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ପାଳନ କରାଯାଇ ଆସୁଥିଲେ ମଧ୍ୟ ପ୍ରଶାସନ ନାଲି ଆଖି ଭୟରେ ଭଗ୍ନ ପ୍ରାୟ ଷ୍ଟାଡିୟମର ମରାମତି ନେଇ କୌଣସି ସଦସ୍ୟ ମୁହଁ ଖୋଲିବାକୁ ସାହସ କରିପାରୁନଥିବା ଜନୈକ ସଦସ୍ୟ ନିଜ ନାମ ଗୋପନ ରଖି ଏହା କହିଛନ୍ତି। ଏଭଳି ସ୍ଥିତିରେ ସଂସ୍ଥାର ଯୁଗ୍ମ ସମ୍ପାଦକ ରମାକାନ୍ତ ମହାନ୍ତି ନିକଟରେ କର୍ମକର୍ତ୍ତା ପଦ ସମେତ ସଂସ୍ଥାର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିବା ବେଳେ ଏହାପୂର୍ବରୁ ସଂସ୍ଥାର ଉପସଭାପତି ଧିରେନ୍ଦ୍ର ରାଇତ ଓ କାଉନସିଲ ସଦସ୍ୟ ଉମେଶ ଚନ୍ଦ୍ର ଦାସଙ୍କ ସମେତ ୨୮ରୁ ଊର୍ଦ୍ଧ୍ବ ସଦସ୍ୟଙ୍କ ଅକାଳ ବିୟୋଗ ଘଟିଥିଲେ ମଧ୍ୟ ଖାଲି ପଡ଼ିଥିବା ସଭ୍ୟ ପଦ ପୂରଣ ନିମନ୍ତେ ଆଦୌ ପଦକ୍ଷେପ ଗ୍ରହଣ କରାନଯିବା ଜିଲାରେ କ୍ରୀଡା ଓ କ୍ରୀଡାବିତ୍‌‌ଙ୍କ ବକାଶ ପରିପନ୍ଥୀ ବୋଲି ବହୁ ସଦସ୍ୟ କ୍ଷୋଭ ପ୍ରକାଶ କରି ଏହା କହିଛନ୍ତି।

୧୯୮୦ ମସିହା ପରଠାରୁ ଜିଲା କ୍ରୀଡା ସଂସ୍ଥାରେ ନୂତନ ସଦସ୍ୟ ଗ୍ରହଣ କରାଯାଇ ନଥିବାବେଳେ ସଂସ୍ଥାର ସମ୍ବିଧାନ ଅନୁଯାୟୀ କାଉନସିଲ ବୈଠକ ମଧ୍ୟ ଅନୁଷ୍ଠିତ ହେଉନାହିଁ ବୋଲି ଉପସଭାପତି ସୁରେଶ ପଟ୍ଟନାୟକ ଖୋଲାଖୋଲି ସମାଲୋଚନା କରିଛନ୍ତି। କେବଳ ସେତିକି ନୁହେଁ, ସଂସ୍ଥା କର୍ମକର୍ତ୍ତାଙ୍କ ଅବଧି ମେ ୨୦୨୦ରୁ ଶେଷ ହୋଇଥିଲେ ମଧ୍ୟ ବିଭିନ୍ନ ଆଳ ଦେଖାଇ ନିର୍ବାଚନକୁ ଜାଣିଶୁଣି ଏଡାଇଯିବା, ଖୋଦ୍‌‌ ଜିଲାପାଳ ସଂସ୍ଥାର ସଭାପତି ଥିବାସତ୍ତ୍ବେ ଆଜକୁ ଦୀର୍ଘ ୮ବର୍ଷ ଧରି ସଂସ୍ଥାର କାଉନସିଲ ବୈଠକ ଅନୁଷ୍ଠିତ ନହେବା କାରଣରୁ ସମ୍ପାଦକ ନିଜ ଇଛା ମୁତାବକ ସମସ୍ତ କାର୍ଯ୍ୟ ତୁଲାଉଥିବା ଉପସଭାପତି ଶ୍ରୀ ପଟ୍ଟନାୟକ ବାରମ୍ବାର ଅଭିଯୋଗ କରିଆସିଛନ୍ତି। ଏଭଳି ସ୍ଥିତିରେ ଜିଲାରେ କ୍ରୀଡ଼ା ଭିତ୍ତିଭୂମିକୁ ଅଧିକ ସୁଦୃଢ଼ କରିବା ସହ ବିଭିନ୍ନ ପ୍ରତିଯୋଗିତା ଆୟୋଜନ ଦ୍ୱାରା ଲୁକ୍କାୟିତ କ୍ରୀଡା ପ୍ରତିଭାକୁ ଚିହ୍ନଟ କରିବାକୁ ହେଲେ ଅବଧି ଶେଷ ହୋଇଥିବା ସଂସ୍ଥା କାଉନସିଲକୁ ଭଙ୍ଗ କରି ତୁରନ୍ତ ନିର୍ବାଚନ ପାଇଁ ଜିଲାପାଳ ତଥା ସଂସ୍ଥାର ସଭାପତି ତ୍ୱରିତ ପଦକ୍ଷେପ ଗ୍ରହଣ କରିବାକୁ ଶ୍ରୀ ପଟ୍ଟନାୟକ ଦାବି କରିଛନ୍ତି।

ସୂଚନାଯୋଗ୍ୟ ଯେ, ସଂସ୍ଥାର ୨୦୧୬ ନିର୍ବାଚନରେ ମୋଟ ୧୮୧ଜଣ ବୈଧ ସଦସ୍ୟ ଥିବାବେଳେ ବର୍ତ୍ତମାନ ଏହା ହ୍ରାସ ପାଇ ୨୦ଜଣ ଆଜୀବନ ସଦସ୍ୟ, ୧୧୩ଜଣ ସାଧାରଣ ସଦସ୍ୟ, ୭ଜଣ ଏକ୍ସଅଫିସିଓ ଏବଂ ଜିଲା କ୍ରୀଡା ସଂସ୍ଥା ସହ ଅନୁବନ୍ଧିତ ଜିଲାର ବିଭିନ୍ନ କ୍ଲବ ଓ ଅନୁଷ୍ଠାନରୁ ପ୍ରତିନିଧିତ୍ୱ କରୁଥିବା ୨୬ଜଣ ସଦସ୍ୟଙ୍କୁ ମିଶାଇ ମୋଟ ୧୫୯ଜଣ ଥିବାବେଳେ ସେଥିମଧ୍ୟରୁ ୨୮ଜଣ ସଦସ୍ୟଙ୍କ ଇତିମଧ୍ୟରେ ମୃତ୍ୟୁ ଘଟିବା ଏବଂ ନିକଟରେ ଜଣେ ସଦସ୍ୟ ଇସ୍ତଫା ଦେବା କାରଣରୁ ସଂସ୍ଥାର ସଦସ୍ୟ ସଂଖ୍ୟା ୧୩୦କୁ ହ୍ରାସ ପାଇଛି। ତତ୍‌‌କାଳୀନ ଜିଲାପାଳ ଡା.ଏନ୍‌‌.ତିରୁମାଲା ନାଏକଙ୍କ ଅଧ୍ୟକ୍ଷତାରେ ଶେଷଥର ପାଇଁ ୭ ମେ ୨୦୧୬ରେ କାଉନସିଲ ବୈଠକ ଅନୁଷ୍ଠିତ ହୋଇଥିବା ବେଳେ ଜିଲା କ୍ରୀଡା ସଂସ୍ଥା ସଭାପତି ତଥା ଜିଲାପାଳଙ୍କ ଅଧ୍ୟକ୍ଷତାରେ ଏହା ପରଠାରୁ ଥରୁଟିଏ ମଧ୍ୟ କାଉନସିଲ ବୈଠକ ଅନୁଷ୍ଠିତ ନହେବା ସଂସ୍ଥାରେ ସବୁକିଛି ଠିକ୍‌‌ ଠାକ୍‌‌ ଚାଲିନାହିଁ ବୋଲି ଉପସଭାପତି ଶ୍ରୀ ପଟ୍ଟନାୟକ କ୍ଷୋଭର ସହ ଏହା କହିଛନ୍ତି। ତେବେ କାଉନସିଲ ବୈଠକ ପାଇଁ ୩୦ ନଭେମ୍ବର ୨୦୨୨ରେ ସଂସ୍ଥା ସଭାପତି ତଥା ଜିଲାପାଳଙ୍କ ଅନୁମୋଦନ ପାଇଁ ସଂସ୍ଥା ପକ୍ଷରୁ ଆବେଦନ କରାଯାଇଥିଲେ ମଧ୍ୟ ଦୀର୍ଘ ୧୫ମାସ ପରେ ମଧ୍ୟ କୌଣସି ଅନୁମୋଦନ ମିଳିନାହିଁ ବୋଲି ସାଧାରଣ ସମ୍ପାଦକ ଶ୍ରୀ ଦାଶ ଏହା କହିଛନ୍ତି। କାଉନସିଲ ବୈଠକ ସହ ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ କରି ନିର୍ବାଚନ ପ୍ରକ୍ରିୟା ଆରମ୍ଭ ନିମନ୍ତେ ସମ୍ପାଦକ ଶ୍ରୀ ଦାଶ ଜିଲାପାଳଙ୍କୁ ଭେଟି ନିବେଦନ କରିଥିବା କହିଛନ୍ତି।

Comments are closed.