କଣ୍ଟାବାଞ୍ଜି: କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀର ତୁରେକେଲା ବ୍ଲକ, ମହିଳାଙ୍କ ପାଇଁ ସଂରକ୍ଷିତ ଥିବା ଅଧ୍ୟକ୍ଷା ପଦବୀ ପାଇଁ ଅନୁଷ୍ଠିତ ନିର୍ବାଚନରେ କଂଗ୍ରେସ ସମର୍ଥିତ ପ୍ରାର୍ଥୀନୀ ପୂଜା ବେହେରା ତାଙ୍କ ପ୍ରତିଦ୍ବନ୍ଦୀ ପ୍ରାର୍ଥୀନୀ ବିଜେଡ଼ି ସମର୍ଥିତ କୁମାରୀ ମହାନନ୍ଦଙ୍କୁ ୩ଟି ଭୋଟ ବ୍ୟବଧାନରେ ପରାସ୍ତ କରି ବିଜୟୀ ଘୋଷିତ ହେଇ ଥିବା ସୂଚନା ଦେଇଛନ୍ତି ନିର୍ବାଚନ ଅଧିକାରୀ ଭିକ୍ଟର ସୋରେଙ୍ଗ।ଚଳିତ ପଞ୍ଚାୟତ ନିର୍ବାଚନରେ ୧୯ ଗୋଟି ଗ୍ରାମପଞ୍ଚାୟତର ନିର୍ବାଚିତ ସମିତି ସଭ୍ୟ/ସଭ୍ୟାଙ୍କ ମଧ୍ୟରୁ କଂଗ୍ରେସ କ୍ୟାମ୍ପରେ ୯ ଜଣ, ବିଜେଡ଼ି କ୍ୟାମ୍ପରେ ୮ ଜଣ ଓ ବିଜେପି କ୍ୟାମ୍ପରେ ୨ ଜଣ ଥିବା କଳ୍ପନା ଜଳ୍ପନା ଚାଲିଥିଲା।
ଅଧ୍ୟକ୍ଷା ନିର୍ବାଚନ ପରେ, ଏହାର ଅବସାନ ଘଟିଛି। ଗତକାଲି ପୂର୍ବାହ୍ନରେ କଡା ସୁରକ୍ଷା ମଧ୍ୟରେ ଅଜ୍ଞାତ ବାସରୁ ଫେରିଥିବା ସମିତି ସଭ୍ୟ, ସଭ୍ୟା ବ୍ଲକ ନିର୍ବାଚନ କକ୍ଷରେ ପ୍ରବେଶ କରିବା ପରେ, କଂଗ୍ରେସ ଦଳର ସମର୍ଥିତ ପ୍ରାର୍ଥୀନୀ ପୂଜା ବେହେରା ଓ ବିଜେଡ଼ି ସମର୍ଥିତ ପ୍ରାର୍ଥୀନୀ କୁମାରୀ ମହାନନ୍ଦ ନିଜ ନିଜର ନାମାଙ୍କନ ପତ୍ର ନିର୍ବାଚନ ଅଧିକାରୀ ଭିକ୍ଟର ସୋରେଙ୍ଗ ଠାରେ ଦାଖଲ କରିବା ପରେ, ନିର୍ଦ୍ଧାରିତ ସମୟରେ ନିର୍ବାଚନ ଅନୁଷ୍ଠିତ ହୋଇ ଭୋଟ ଦାନରେ ସମସ୍ତ ୧୯ ଜଣ ସଭ୍ୟସଭ୍ୟା ଅଂଶ ଗ୍ରହଣ କରିଥିଲେ। ମତଗଣନାରେ ପୂଜା ବେହେରାଙ୍କ ସପକ୍ଷରେ ୧୧ ଖଣ୍ଡ ଭୋଟ ଏବଂ କୁମାରୀ ବେହେରାଙ୍କୁ ୮ଟି ଭୋଟ ମିଳିବା ପରେ ପୂଜା ବେହେରାଙ୍କୁ ନିର୍ବାଚିତ ଘୋଷିତ କରିଥିଲେ ନିର୍ବାଚନ ଅଧିକାରୀ।



