କାମାକ୍ଷାନଗର: କାମାକ୍ଷାନଗର ବ୍ଲକ ଅନ୍ତର୍ଗତ ବାଲିଗୋରଡ଼ ପଞ୍ଚାୟତ ଖଟଖୁରା ଗ୍ରାମର ଭଣ୍ଡାରିଆରେ ଚକଡା ରୋଗ ଲାଗି ଏକର ଏକର ଜମି କ୍ଷତି ଯୋଗୁଁ ଚାଷୀ ଏବେ ମୁଣ୍ଡରେ ହାତ ଦେଇ ବସିଛନ୍ତି। ବାଲିଗୋରଡ଼ ପଞ୍ଚାୟତର ଖଟଖୁରା ଗ୍ରାମ ଭଣ୍ଡାରିଆରେ ଚକଡା ରୋଗ ଲାଗି ପ୍ରାୟ ସାତ ଏକରରୁ ଊର୍ଦ୍ଧ୍ବ ଜମି ନଷ୍ଟ ହୋଇଥିବା ବେଳେ ସଂପୃକ୍ତ ଚାଷୀ ଏବେ ମୁଣ୍ଡରେ ହାତ ଦେଇ ବସିଛନ୍ତି। ସଂପୃକ୍ତ ଚାଷୀ ବାହାରୁ ଧାନ ଆଣି ତଳି ପକାଇଥିବା ବେଳେ ତାକୁ କୃଷି ଶ୍ରମିକଙ୍କୁ ମଜୁରୀ ଦେଇ ଧାନ ରୁଆ କାର୍ଯ୍ୟ ସମ୍ପନ୍ନ କରିଥିଲେ। ପୁଣି କଳାବଜାରରେ ସାର ମଧ୍ୟ ପକାଇଥିଲେ। ଭଲ ଧାନ ମଧ୍ୟ ବାହାରି ଆସିଥିଲା। ଆଶା ଥିଲା ଭଲ ଅମଳ ହେବ, ହେଲେ ଅମଳ ଦୂରେ ଥାଉ ଧାନ ବାହାରିବା ପରେ ଚକଡା ରୋଗ ଲାଗିଯିବାରୁ ମଳା ମଳା ହୋଇ ଏକର ଏକର ଜମି ନଷ୍ଟ ହୋଇଯାଇଛି। ଏବେ କ୍ଷେତରେ ଧାନ ନଷ୍ଟ ହୋଇଯାଇଥିବାରୁ ସଂପୃକ୍ତ ଚାଷୀ କିପରି ନିଜ ପରିବାର ଚଳାଇବେ ସେ ଚିନ୍ତାରେ ରହିଛନ୍ତି। ଗ୍ରାମର ନିରୋଦ ଦେହୁରୀ, ବସନ୍ତ ପାତ୍ର, ଶ୍ରୀକାନ୍ତ ପାତ୍ର, ସନାତନ ପଧାନ, ପିଣ୍ଟୁ ପଧାନ ପ୍ରମୁଖଙ୍କର ୮ ଏକରରୁ ଊର୍ଦ୍ଧ୍ବ ଜମି କ୍ଷତିଗ୍ରସ୍ତ ହୋଇଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ଏଥିପ୍ରତି ଗୁରୁତ୍ୱ ଦିଆଯାଇ ତ୍ୱରିତ ପଦକ୍ଷେପ ନିଆଗଲେ ଆଗାମୀ ଋତୁରେ ସଂପୃକ୍ତ ଚାଷୀ ଯେପରି ନିଜର କ୍ଷତି ଭରଣା କରି ପାରିବେ ସେଥିପାଇଁ ସଂପୃକ୍ତ ଚାଷୀଙ୍କ ପକ୍ଷରୁ ଦୃଢ଼ ଦାବୀ ହୋଇଛି।
Popular Categories



