କାମାକ୍ଷାନଗର : ଢେ଼ଙ୍କାନାଳ ସଦର ବ୍ଲକ ଚନ୍ଦ୍ରଶେଖର ପ୍ରସାଦ ପଞ୍ଚାୟତ ଅଉଖମା ଗ୍ରାମ, ଓଡ଼ାପଡ଼ା ବ୍ଳକର ଇନ୍ଦୁପୁର ଗ୍ରାମ ଏବଂ ଏସିଆ ମହାଦେଶର ବୃହତମ ଗ୍ରାମ ଭାବେ ସୁପରିଚିତ ଭୁବନ ଗ୍ରାମରେ ଦିନେ ଏଠି ୨୦୦ରୁ ଅଧିକ କଂସାରୀ ଶାଳ ରହିଥିଲା। ପ୍ରତ୍ୟେକ ଶାଳରେ ୫ରୁ ଅଧିକ କାରିଗର ମେଳିହୋଇ କଂସା ବାସନ ତିଆରି କରୁଥିଲେ। ଗ୍ରାମରେ ପଶିଲେ ଆଉ ଶୁଭିବାକୁ ମିଳୁନି କାରିଗରଙ୍କ ଢ଼ାଇଁ ଢାଇଁ ଶବ୍ଦ। କଞ୍ଚାମାଲ ଅଭାବ ଯୋଗୁଁ ବୁଡ଼ିବାକୁ ବସିଲାଣି ଏବେ କୌଳିକ ବୃତ୍ତି। ସରକାରୀ ପ୍ରୋତ୍ସାହନ ଯୋଗାଇ ଦିଆଗଲେ କୌଳିକ ବୃତ୍ତି ବଞ୍ଚାଇବାରେ ସହାୟକ ହୋଇପାରନ୍ତା।
୧୯୫୩ ମସିହା ଅଗଷ୍ଟ ୧ ତାରିଖରେ କଂସା ବାସନ ସମବାୟ ସମିତି ଓ ପରେ ୧୯୭୫ ମସିହାରେ ନୂଆ ଭୁବନ କଂସା ପିତ୍ତଳ ସୋସାଇଟି ଗଠନ ହୋଇଥିଲା। ପରେ ପରେ କଂସା ବାସନ ବିକ୍ରୀ କରିବାରେ ସୁଧାର ଆସିଥିଲା। ସୁଦୂର କଲକତା ଓଡ଼ିଶାର ବାଳକାଟି, କଣ୍ଟିଲୋ, ଭଟିମୁଣ୍ଡା ଓ କବାଟବନ୍ଧ ଆଦି ସ୍ଥାନରୁ କଞ୍ଚାମାଲ ଆସୁଥିବା ବେଳେ ସମବାୟ ସମିତି ଓ ସୋସାଇଟିରୁ ମଧ୍ୟ କିଛିଟା ମାତ୍ରାରେ କଞ୍ଚାମାଲ ମିଲିଯିବାରୁ ଏହି ଶିଳ୍ପରେ କୌଣସି ସମସ୍ୟା ନଥିଲା। ହେଲେ ଧିରେ ଧିରେ ସେମାନଙ୍କ ସ୍ଥିତି ବଦଳିଗଲା। ଏବେ କାରିଗରଙ୍କ ଢାଇଁ ଢାଇଁ ଶବ୍ଦଶୁଣା ଯାଉନି କି ଆଗଭଳି କଂସା ବାସନ ତିଆରି ହେଉନି। ୧୯୮୭ମସିହା ଘରପୋଡ଼ି ପରେ ପାଖାପାଖି ୮୦ଟି କଂସାରୀ ଶାଳ ବନ୍ଦ ହେବା ସହ ଧୀରେ ଧୀରେ ଚାଇନା ପ୍ଲେଟ, ଫାଇବର ଓ ଷ୍ଟିଲ ଏହି ଶିଳ୍ପ ପାଇଁ ପ୍ରତିବନ୍ଧକ ପାଲଟିଲା। ସମବାୟ ସମିତି ଓ ସୋସାଇଟି ମଧ୍ୟ ସମାନୁକ୍ରମେ ବନ୍ଦ ହୋଇଗଲା। ଫଳରେ ନିଆଁ ସହିତ ଖେଳକରି ଅତି ଯତ୍ନରେ ପ୍ରସ୍ତୁତ କରୁଥିବା କଂସା ବାସନ ଗୁଡ଼ିକୁ ବିକ୍ରୀ କରିବାରେ ସେମାନଙ୍କ ପାଇଁ ସମସ୍ୟା ଉପୁଜିଲା।
ଧିରେ ଧିରେ କଞ୍ଚା ମାଲ ଅଭାବ ପାଇଁ ବୋଝ ଉପରେ ଲଳିତାବିଡା ସଦୃଶ ପାଲଟିଲା । ଭୁବନ ଅଞ୍ଚଳରେ ୨୦୦ରୁ ଉର୍ଦ୍ଧ ଶାଳରେ କଂସା ବାସନ ନିର୍ମାଣ କାର୍ୟ୍ୟ ଚାଲୁଥିବା ବେଳେ ବର୍ତ୍ତମାନ ୫ରୁ ୬ଟି ଶାଳରେ ଦୁଃଖ କଷ୍ଟରେ କାରିଗରମାନେ କାମ କରୁଛନ୍ତି। ଭୁବନ କଂସା ବାସନ ନିର୍ମାଣ କାର୍ଯ୍ୟ ବନ୍ଦ ହେବାକୁ ଯାଉଥିବା ବେଳେ ସରକାରୀ ପ୍ରୋତ୍ସାହନ ମିଳିଲେ, ଏହାକୁ ବୃଦ୍ଧି କରି ହେବ ବୋଲି କାରିଗରମାନେ କହିଛନ୍ତି। ତେବେ ସମୟକୁ ଅପେକ୍ଷା ରହିଲା କେତେ ଶିଘ୍ର ଏ କଂସା ବାସନ ଶିଳ୍ପ ସୁସ୍ଥ ହୋଇ ପାରୁଛି।



