କଟକ: ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ସ୍ବତନ୍ତ୍ର ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା (ଓଟିିଇଟି) ଶନିବାର ଅନୁଷ୍ଠିତ ହେବ। ରାଜ୍ୟର ୧୯୩ ପରୀକ୍ଷା କେନ୍ଦ୍ରରେ ମୋଟ ୭୫ ହଜାର ୪୦୩ ଜଣ ଶିକ୍ଷକ ଏହି ସ୍ବତନ୍ତ୍ର ଓଟିଇଟି ଦେବେ। ସେମାନଙ୍କ ମଧ୍ୟରୁ ପେପର-୧ରେ ୨୯ ହଜାର ୪ ଜଣ ଓ ପେପର-୨ରେ ୪୬ ହଜାର ୩୯୯ ଆଶାୟୀ ରହିଛନ୍ତି। ପୂର୍ବାହ୍ଣ ୯ ଟା ୧୧ଟା ୩୦ ମିନିଟ ପର୍ଯ୍ୟନ୍ତ ପ୍ରଥମ ପତ୍ର ଏବଂ ଅପରାହ୍ଣ ୨ଟାରୁ ୪ଟା ୩୦ ମିନିଟ୍ ପର୍ଯ୍ୟନ୍ତ ଦ୍ବିତୀୟ ପତ୍ରରେ ପରୀକ୍ଷା କରାଯିବ। ରାଜ୍ୟର ୧୯୩ଟି ପରୀକ୍ଷା କେନ୍ଦ୍ର କରାଯାଇଥିବାବେଳେ କଡ଼ା ସୁରକ୍ଷା ମଧ୍ୟରେ ସବୁ ପରୀକ୍ଷା କେନ୍ଦ୍ରରେ ପ୍ରଶ୍ନପତ୍ର ପହଞ୍ଚି ଥିବା ବୋର୍ଡ ପକ୍ଷରୁ ସୂଚନା ମିଳିଛି । ସୂଚନାଯୋଗ୍ୟ ଯେ, ଓଟିଇଟି ଶିକ୍ଷାଗତ ଯୋଗ୍ୟତାକୁ ବାଧ୍ୟତାମୂଳକ କରାଯାଇଛି।
ନିଯୁକ୍ତି ପାଇଥିଲେ ମଧ୍ୟ ବହୁ ଶିକ୍ଷକଙ୍କ ନିକଟରେ ଓଟିଇଟି ଯୋଗ୍ୟତା ନାହିଁ। ତେଣୁ ସେହିମାନେ ଏହି ସ୍ବତନ୍ତ୍ର ଓଟିଇଟି ପରୀକ୍ଷା ଦେବେ। ଏଥିରେ କୃତକାର୍ଯ୍ୟ ହେଲେ, ସେମାନେ ପଦୋନ୍ନତି ପାଇବେ। ଗତ ଜୁଲାଇ ୧୯ରେ ପରୀକ୍ଷା ହେବାକୁ ଥିବାବେଳେ ପ୍ରଶ୍ନପତ୍ର ପ୍ରଘଟ ହୋଇଯାଇଥିଲା। ଏହାପରେ ତଦନ୍ତରୁ ୮ଜଣ ସମ୍ପୃକ୍ତ ଥିବା ଜଣାପଡ଼ିବା ସହ ସେମାନଙ୍କୁ କ୍ରାଇମ୍ବ୍ରାଞ୍ଚ ଗିରଫ କରିଥିଲା। ପରୀକ୍ଷା ପାଇଁ ତାରିଖ ପରେ ତାରିଖ ବଦଳି ଥିଲାବେଳେ ଶେଷରେ ସେପ୍ଟେମ୍ବର ୨୭ରେ ପରୀକ୍ଷା କରିବାକୁ ବୋର୍ଡ କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଛନ୍ତି। ଅନ୍ୟପକ୍ଷରେ ଶନିବାର ପରୀକ୍ଷା କରାଯାଉଥିବାବେଳେ ବହୁ ବିଦ୍ୟାଳୟରେ ଶିକ୍ଷାଦାନ ବାଧାପ୍ରାପ୍ତ ହେବ।



