କାମାକ୍ଷାନଗର : କାମାକ୍ଷାନଗର ଅଂଚଳରେ ଚୋରା ଦେଶୀ ମଦର ଅବାଧ କାରବାର ଯୋଗୁଁ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଉଛି । କାମାକ୍ଷାନଗର ସହରର ମୁଣ୍ଡିଦେଉଳି ପାଣିଟାଙ୍କି ଠାରେ ଚୋରାଦେଶୀ ମଦର ଅବାଧ କାରବାର ହେଉଥିବା ବେଳେ ସହରର ଲକ୍ଷ୍ମୀ ବଜାର, ଆଲତୁମା, ରାମିଆଳ ନଦୀକୂଳ ଆଦି ସ୍ଥାନରେ ଚୋରା ଦେଶୀ ମଦ ବିକ୍ରି ଯୋଗୁଁ ସମ୍ପୃକ୍ତ ବସ୍ତି ବାସିନ୍ଦାଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଉଛି । ଏତଦ ବ୍ୟତୀତ ସହର ସନ୍ନିକଟ ଜିରୀଡମାଳି ମଙ୍ଗଳା ମନ୍ଦିର ସମୁଖ,ମାଲପୁରା ହରିଜନ ବସ୍ତି, ଖଟଖୁରା,ମୁଗପଦା, ମହୁଲପାଳ, ସାରୁଆଳି ଆଦି ସ୍ଥାନରେ ଅବାଧରେ ଦେଶୀ ମଦ କାରବାର ହେଉଛି । ପରଜଙ୍ଗ ଅଂଚଳର ବହୁ ଚର୍ଚିତ ଆମ୍ବପଳାସ ଅଂଚଳରୁ ଚୋରାଦେଶୀମଦ କାମାକ୍ଷାନଗର ଦେଇ ବାହାରକୁ ଯାଉଥିବାରୁ ଏଥିପ୍ରତି ବିଭାଗୀୟ ସ୍ତରରେ କୌଣସି ଗୁରୁତ୍ୱ ଦିଆ ଯାଉନାହିଁ ବୋଲି ଅଭିଯୋଗ ହୋଇଛି। କାମାକ୍ଷାନଗର ଉପଖଣ୍ଡରେ ପରଜଙ୍ଗ, କାମାକ୍ଷାନଗର, ଭୁବନ ବ୍ଲକରେ ଅବକାରୀ ଥାନା ଖୋଲିଥିଲେ ହେଁ କର୍ମଚାରୀ ଅଭାବରୁ ଚୋରା ଦେଶୀ ମଦ ଚଢ଼ାଉ ସମ୍ଭବ ହେଉନଥିବା ବିଭାଗୀୟ ଅଧିକାରୀଙ୍କ ସୂତ୍ରରୁ ଜଣାଯାଇଛି । ଏସବୁ ଦୃଷ୍ଟିରୁ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ନୂତନ ଭାବେ ସ୍ଥାପନ କରାଯାଇଥିବା ଥାନାରେ ଆବଶ୍ୟକୀୟ କର୍ମଚାରୀ ନିୟୋଜିତ କରାଇବା ସହିତ ଚୋରା ମଦର ଅବାଧ କାରବାର ପ୍ରତି ଅଙ୍କୁଶ ଲଗାଇବା ଦିଗରେ ପଦକ୍ଷେପ ନେବାକୁ ସଚେତନ ନାଗରିକ ମହଲରେ ଦାବି ହେଉଛି ।
Popular Categories



