www.samajalive.in
Monday, December 8, 2025
14.1 C
Bhubaneswar

କଳିଙ୍ଗରେ ଆଇଏସ୍‌ଏଲ୍‌ ମ୍ୟାଚ୍‌ ଆଜି: ଓଡ଼ିଶା ଏଫ୍‌ସି-ଜାମସେଦପୁର ମୁକାବିଲା

ଭୁବନେଶ୍ବର : ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌)ର ନବାଗତ ଦଳ ଓଡ଼ିଶା ଏଫ୍‌ସି ଘରୋଇ ପଡ଼ିଆକୁ ଫେରିଛି। କଳିଙ୍ଗ ଷ୍ଟାଡ଼ିୟମରେ ଓଡ଼ିଶା ଏଫ୍‌ସି ଓ ଜାମସେଦପୁର ଏଫ୍‌ସି ମଧ୍ୟରେ ଆଇଏସ୍‌ଏଲ୍‌ ୬ଷ୍ଠ ସଂସ୍କରଣର ୪୭ତମ ମ୍ୟାଚ ଶୁକ୍ରବାର ଖେଳାଯିବ। ଓଡ଼ିଶା ଏଫ୍‌ସି ପାଇଁ ଭୁବନେଶ୍ବରରେ ଏହା ପ୍ରଥମ ମ୍ୟାଚ୍‌ ହେବ। କଳିଙ୍ଗ ଷ୍ଟାଡ଼ିୟମରେ ଏହା ୨ୟ ଆଇଏସ୍‌ଏଲ ମ୍ୟାଚ୍‌ ହେବ। ପୂର୍ବରୁ ୨୦୧୭ରେ ଜାମସେଦପୁର ଏଫ୍‌ସି କଳିଙ୍ଗ ଷ୍ଟାଡ଼ିୟମରେ ବେଙ୍ଗାଲୁରୁ ଏଫ୍‌ସି ବିପକ୍ଷରେ ଖେଳିଥିଲା। ଜାମସେଦପୁର ଏଫ୍‌ସି ୨ୟ ଥର କଳିଙ୍ଗ ଷ୍ଟାଡ଼ିୟମରେ ମ୍ୟାଚ ଖେଳିବ। ତେବେ ଓଡ଼ିଶା ଏଫ୍‌ସି ଏଠାରେ ପ୍ରଥମ ମ୍ୟାଚ ଖେଳିବ।
ଓଡ଼ିଶା ଏଫ୍‌ସି ୯ଟି ମ୍ୟାଚରୁ ୨ଟି ବିଜୟ, ୪ଟି ପରାଜୟ ଓ ୩ଟି ଡ୍ର ସହ ୯ ପଏଣ୍ଟ ପାଇ ଗ୍ରୁପ ୭ମ ସ୍ଥାନରେ ରହିଛି। ଦଳ ମୁମ୍ବଇ ସିଟି ଏଫ୍‌ସି ଓ ହାଇଦରାବାଦ ଏଫ୍‌ସିକୁ ପରାସ୍ତ କରିଥିବା ବେଳେ ଚେନ୍ନଇୟିନ୍‌ ଏଫ୍‌ସି, ଆଟ୍‌ଲେଟିକୋ ଡି କଲକାତା (ଏଟିକେ) ଓ କେରଳ ବ୍ଲାଷ୍ଟର୍ସ ଏଫ୍‌ସି ସହ ଡ୍ର ରଖିଥିଲା। ଜାମସେଦପୁର ଏଫ୍‌ସି, ଏଫ୍‌ସି ଗୋଆ, ବେଙ୍ଗାଲୁରୁ ଏଫ୍‌ସି ଓ ନର୍ଥ ଇଷ୍ଟ ୟୁନାଇଟେଡ୍‌ ଏଫ୍‌ସି ନିକଟରୁ ପରାସ୍ତ ହୋଇଛି। ଓଡ଼ିଶା ଏଫ୍‌ସି ୧୧ଟି ଗୋଲ ଦେଇଥିବା ବେଳେ ୧୪ଟି ଗୋଲବରଣ କରିଛି। ଦଳ ପକ୍ଷରୁ ସ୍ପେନ୍‌ର ମିଡ୍‌ଫିଲଡର ସିସ୍କୋ ହର୍ଣ୍ଣାଣ୍ଡିଜ୍ ଓ ଫରୱାର୍ଡ ଆରିଡାନ ସାଣ୍ଟାନା ୪ଟି ଲେଖାଏଁ ଗୋଲ ସ୍କୋର କରିବାରେ ସକ୍ଷମ ହୋଇଛନ୍ତି। ଓଡ଼ିଆ ଖେଳାଳି ଶୁଭମ ଷଡଙ୍ଗୀ ଚମତ୍କାର ଖେଳ ପ୍ରଦର୍ଶନ କରୁଛନ୍ତି। ଜୋଶେଫ ଗାମ୍ବାଉଙ୍କ ପ୍ରଶିକ୍ଷଣପ୍ରାପ୍ତ ଓ ମାର୍କୋସ ତିବାରଙ୍କ ନେତୃତ୍ବାଧୀନ ଦଳ ଦ୍ବିତୀୟ ରାଉଣ୍ଡ ମ୍ୟାଚରେ ପ୍ରତ୍ୟାବର୍ତ୍ତନ ସହ ଶେଷ ୪ରେ ସ୍ଥାନ ପାଇବାକୁ ଦୃଢ ଆଶାବାଦୀ ରହିଛି। ସେହିପରି ଜାମସେଦପୁର ଏଫ୍‌ସି ୯ଟି ମ୍ୟାଚରୁ ୩ଟି ବିଜୟ, ୪ଟି ଡ୍ର ଓ ୨ଟି ପରାଜୟ ସହ ୧୩ ପଏଣ୍ଟ ପାଇ ଗ୍ରୁପ ୪ର୍ଥ ସ୍ଥାନରେ ରହି ସେମିଫାଇନାଲ ଦୌଡ଼ରେ ରହିଛି। ଆଣ୍ଟୋନିଓ ଲିଣ୍ଡୋଙ୍କ ପ୍ରଶିକ୍ଷଣପ୍ରାପ୍ତ ଜାମସେଦପୁର ଏଫ୍‌ସି ଓ ଦଳ ପକ୍ଷରୁ କାଷ୍ଟ୍ରେଲ ସର୍ଗିଓ ୫ଟି ଗୋଲ ସ୍କୋର କରି ଫର୍ମରେ ରହିଛନ୍ତି। ଦଳ ପ୍ରଥମ ମ୍ୟାଚରେ ଓଡ଼ିଶା ଏଫ୍‌ସିକୁ ପରାସ୍ତ କରିଥିଲା। ଏହି ବିଜୟଧାରାକୁ ବଜାୟ ରଖିବା ଲକ୍ଷ୍ୟ ନେଇ ଖେଳିବ। ସେହିପରି ପ୍ରଥମ ମ୍ୟାଚରେ କଡ଼ା ଟକ୍କର ଦେଇଥିବା ଓଡ଼ିଶା ଏଫ୍‌ସି ଘରୋଇ ପଡ଼ିଆରେ ବିପକ୍ଷ ଦଳକୁ ଚକ୍‌ମା ଦେବାର ଲକ୍ଷ୍ୟରେ ରହିଛି। ଉଭୟ ଦଳ ମ୍ୟାଚ ଲାଗି ଗୁରୁବାର ଜୋରଦାର ଅଭ୍ୟାସ କରିଥିଲେ।
ଶୁଭମ୍‌ଙ୍କ ଭବିଷ୍ୟତ ଉଜ୍ବଳ: ଗାମ୍ବାଉ
ଆଇଏସ୍‌ଏଲ ଭାରତୀୟ ଫୁଟବଲରେ ନୂଆ ବୈପ୍ଲବିକ ପରିବର୍ତ୍ତନ ଆଣିଛି। ଯୁବ ଖେଳାଳିଙ୍କୁ ଆଗକୁ ବଢ଼ିବା ପାଇଁ ପ୍ଲାଟଫର୍ମ ଯୋଗାଇଛି। ଓଡ଼ିଶା ଏଫ୍‌ସିରେ ଏକାଧିକ ଯୁବ ଖେଳାଳି ରହିଛନ୍ତି। ଓଡ଼ିଆ ଯୁବ ଖେଳାଳି ଶୁଭମ ଷଡଙ୍ଗୀ ଚଳିତ ସିିଜିନ୍‌ରେ ଭଲ ପ୍ରଦର୍ଶନ କରୁଛନ୍ତି। ତାଙ୍କ ଭବିଷ୍ୟତ ଉଜ୍ବଳ ବୋଲି କହିଛନ୍ତି ଓଡ଼ିଶା ଏଫ୍‌ସି ପ୍ରଶିକ୍ଷକ ସ୍ପେନ୍‌ର ଜୋଶେଫ ଗାମ୍ବାଉ। ଓଡ଼ିଶା ଏଫ୍‌ସି ପ୍ରଥମ ରାଉଣ୍ଡ ମ୍ୟାଚରେ ଭଲ ପ୍ରଦର୍ଶନ କରିଥିଲେ ମଧ୍ୟ ମାତ୍ର ୨ଟି ବିଜୟ ହାସଲ କରିଛି। ଅବଶିଷ୍ଟ ୯ଟି ମ୍ୟାଚରେ ଭଲ ପ୍ରଦର୍ଶନ କରି ଶ୍ରେଷ୍ଠ ୪ରେ ସ୍ଥାନ ହାସଲ କରିବା ଆମର ଲକ୍ଷ୍ୟରହିଛି। ଘରୋଇ ପଡ଼ିଆରେ ଆମେ ୬ଟି ମ୍ୟାଚ ଖେଳିବୁ। ଘରୋଇ ଦର୍ଶକଙ୍କ ସମର୍ଥନ ଆମକୁ ଉତ୍ସାହିତ କରିବ ବୋଲି ଜୋଶେଫ କହିଛନ୍ତି। କଳିଙ୍ଗ ଷ୍ଟାଡ଼ିୟମର ଭିତ୍ତିଭୂମି ବିଶ୍ବସ୍ତରୀୟ। ଜାମସେଦପୁର ଏଫ୍‌ସି ବିପକ୍ଷ ପ୍ରଥମ ମ୍ୟାଚରେ ଆମେ ଭଲ ଖେଳିଥିଲେ ମଧ୍ୟ ପରାଜିତ ହୋଇଥିଲୁ। ଉକ୍ତ ତ୍ରୁଟିକୁ ସୁଧାରି ମ୍ୟାଚ ଜିତିବା ଉପରେ ଗୁରୁତ୍ବ ଦେଉଛି ବୋଲି ଜୋଶେଫ କହିଛନ୍ତି।
ବିଜୟଧାରା ବଜାୟ ରଖିବୁ: ପାସି
ଓଡ଼ିଶା ଏଫ୍‌ସି ବିପକ୍ଷରେ ପ୍ରଥମ ମ୍ୟାଚ୍‌ରେ ଆମେ ବିଜୟୀ ହୋଇଥିଲୁ। ୨ୟ ମ୍ୟାଚରେ ଆମେ ଉକ୍ତ ଧାରାକୁ ବଜାୟ ରଖିବା ନେଇ ଦୃଢ ଆଶାବାଦୀ ବୋଲି କହିଛନ୍ତି ଜାମସେଦପୁର ଏଫ୍‌ସି ଯୁବ ଫରୱାର୍ଡ ସୁମିତ ପାସି। ପୂର୍ବରୁ ଆମେ କଳିଙ୍ଗ ଷ୍ଟାଡ଼ିୟମରେ ମ୍ୟାଚ ଖେଳିଛୁ। ଏଠାରେ ଆମକୁ ଦର୍ଶକଙ୍କ ଢେର ସମର୍ଥନ ମିଳିଥିଲା। ଚଳିତଥର ମଧ୍ୟ ଆମକୁ ଭଲ ସମର୍ଥନ ଆଶାରହିଛି। ଦଳର ଦୁଇ ଭଲ ଖେଳାଳି ଆହତ ହୋଇଛନ୍ତି। ଏହାସତ୍ତ୍ବେ ଆମେ ବିଜୟଧାରାକୁ ଫେରିବା ଲକ୍ଷ୍ୟ ରଖିଛୁ।
୪ନଂର ଗେଟ୍‌ରେ କାଉଣ୍ଟର ଟିକଟ
ମ୍ୟାଚ ଦେଖିବ​‌ା ଲାଗି ସାଧାରଣ ଦର୍ଶକଙ୍କ ପାଇଁ ଅନ୍‌ଲାଇନ୍‌ରେ ଟିକଟ ବିକ୍ରି କରାଯାଉଛି। ମ୍ୟାଚ ଦିନ କାଉଣ୍ଟର ଟିକଟ ବିକ୍ରି କରାଯିବ। କଳିଙ୍ଗ ଷ୍ଟାଡ଼ିୟମର ୪ନଂ ଗେଟ୍‌ ନିକଟ କାଉଣ୍ଟରରେ ଦର୍ଶକଙ୍କ ପାଇଁ ଟିକଟ ବିକ୍ରି କରାଯିବ। ଟିକଟ ମୂଲ୍ୟ ୭୫ରୁ ୨୯୯ ଟଙ୍କା ପର୍ଯ୍ୟନ୍ତ ରହିଛି।
ମ୍ୟାଚ୍‌ ଆରମ୍ଭ: ରାତି ୭ଟା୩୦; ଷ୍ଟାର ସ୍ପୋର୍ଟସରେ ସିଧା ପ୍ରସାରଣ

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories