କଲମପୁର: ଶୀତ କାକର ହେଉ କି ବାଦଲ ଫଟା ବର୍ଷା ହେଉ ଅବା ପ୍ରଚଣ୍ଡ ରୌଦ୍ର ତାପ ନିଜ ଭଗ୍ୟକୁ ଆଦରି ନିଜ ଭଙ୍ଗା କୁଡିଆରେ ପଡି ରହୁଛନ୍ତି ବୃଦ୍ଧ ଦମ୍ପତି। ବୟସ ଷାଠିଏକୁ ଅତିକ୍ରାନ୍ତ କରି ସାରିଲାଣି। ନିଜର ବୋଲି କେହି ନାହିଁ, ଯିଏ ଆହା କରିବ। ଘର ଖଣ୍ଡେ ସଜାଡିବାରେ ବଳ ବୟସ ଅଥବା କାର୍ଯ୍ୟ କରିବାର ସାମର୍ଥ୍ୟ ନାହିଁ। ଅସହାୟ ପାଇଁ ସାହା କେବଳ ବୃଦ୍ଧ ଜଣକ ସାମାଜିକ ସୁରକ୍ଷା ଯୋଜନାରୁ ପାଉଥିବା ଭତ୍ତା ଗଣ୍ଡାକ ଓ ଖାଦ୍ୟ ସୁରକ୍ଷାରୁ ପାଉଥିବା ଚାଉଳ ପୁଞ୍ଜାଏ। ଏହାସହ କାହାର ଗାଈ କି ଛେଳି ଜଗିଲେ ଯାହା ରୋଜଗାର ହୁଏ ସେଥିରେ ଉଭୟ ପ୍ରାଣୀ ଚଳିଯାଉଛନ୍ତି। କିନ୍ତୁ ପରିତାପର ବିଷୟ ଘର ଖଣ୍ଡିଏ ପାଇଁ ଅନେକଙ୍କ ଦ୍ୱାରସ୍ଥ ହେଇଥିଲେ ମଧ୍ୟ ଅଦ୍ୟାବଧି ସରକାରଙ୍କ ଆବାସ ଯୋଜନାରେ ସାମିଲ ହେଇ ପାରିନାହଁନ୍ତି କଲମପୁର ବ୍ଲକ ଅଧିନସ୍ଥ ନୁଆଗାଁର ଅସହାୟ ଦମ୍ପତି ଧର୍ମୁ କଣ୍ଟା ଓ ଯଶୋଦା।
ଏପରିକି ଧର୍ମୁଙ୍କ ପତ୍ନୀ ଯଶୋଦାଙ୍କ ବୟସ ଷାଠିଏ ଅତିକ୍ରାନ୍ତ ହେଇଥିଲେ ମଧ୍ୟ ବାର୍ଦ୍ଧକ୍ୟ ଭତ୍ତା ପାଇବାରୁ ବଂଚିତ। ଅନେକ ସମୟରେ ଘର ଥାଇ ଅନେକ ଲୋକ ଘର ନିର୍ମାଣ ପାଇଁ ସରକାରୀ ସହାୟତା ପାଉଥିବା ବେଳେ ଏହି ଅସହାୟପେଯାଜନାରୁ ବଞ୍ଚିତ ହେଉଛି। କେଉଁ ଅପରାଧ ଯୋଗୁଁ ଯଶୋଦା ଭଳି ନିଃସହାୟ ବୃଦ୍ଧା ଭତ୍ତା ପାଇବାରୁ ବଞ୍ଚିତ ହେଉଛି, ତା’ରି ପ୍ରଶ୍ନ କାହା ପାଖରେ ନାହିଁ। ସରକାର ସହାୟତା ଯୋଗାଇ ଦେଲେ ଏହି ଅସହାୟ ଦମ୍ପତି ନିଜକୁ ସୁରକ୍ଷିତ ରଖି ପାରନ୍ତେ। ଏଥିପାଇଁ ବ୍ଲକ ଓ ଜିଲା ପ୍ରଶାସନ ସ୍ବତନ୍ତ୍ର ଦୃଷ୍ଟି ଦେବାକୁ ସ୍ଥାନୀୟ ଅଞ୍ଚଳବାସୀ ନିବେଦନ କରିଛନ୍ତି।



