ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ମେଳା ଅନୁଷ୍ଠିତ
କଲମପୁର: କଲମପୁର ଓଡିଶା ଆଦର୍ଶ ବିଦ୍ୟାଳୟ ଠାରେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ତରଫରୁ କଲମପୁର ବ୍ଲକସ୍ତରୀୟ ଆୟୁଷ୍ମାନ ସ୍ୱାସ୍ଥ୍ୟମେଳା ଆୟୋଜିତ ହେଇଯାଇଛି । ବିଭିନ୍ନ ରୋଗର ନିରାକରଣକୁ ନେଇ ଏହି ମେଳାର ଆୟୋଜନ ହୋଇଥିବା ବେଳେ ଏଠାରେ ଆୟୁର୍ବେଦ ଓ ହୋମିଓପ୍ୟାଥି ଚିକିତ୍ସା ପଦ୍ଧତି ଉପରେ ମଧ୍ୟ ରୋଗୀଙ୍କ ସେବା କରିବାକୁ ପ୍ରଧାନ୍ୟ ଦିଆଯାଇଥିଲା ।
କୁଷ୍ଠ, ଯକ୍ଷ୍ମା, ଭେଷଜ, ଶିଶୁ ରୋଗ ଏବଂ ମହିଳା ଓ ପ୍ରସୁତି ରୋଗ ବିଭାଗର ପ୍ରାୟ ୯ଶହ ରୋଗୀ ନିଜ ନାମ ପଞ୍ଜିକୃତ କରାଇଥିଲେ । ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଇବା ସହ ରୋଗ ନିରୁପଣ କରାଇଥିଲେ । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ଜୁନାଗଡ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ବିଭିନ୍ନ ରୋଗ ବିଶେଷଜ୍ଞ ଡାକ୍ତର ମାନେ ଉପସ୍ଥିତ ରହି ରୋଗୀଙ୍କ ସ୍ୱାସ୍ଥ୍ୟ ଯାଞ୍ଚ କରିଥିଲେ । ଏହି ସ୍ୱାସ୍ଥ୍ୟ ମେଳାକୁ ଧର୍ମଗଡ ବିଧାୟକ ମୌଷଧି ବାଗ ଉଦଘାଟନ କରିଥିବା ବେଳେ ସାଂସଦଙ୍କ ପ୍ରତିନିଧି ସୁଧିର ରଞ୍ଜନ ପାଟ୍ଟଯୋଷୀ, ଅତିରିକ୍ତ ଜିଲା ସ୍ୱାସ୍ଥ୍ୟ ଅଧିକାରୀ ଚନ୍ଦ୍ରକାନ୍ତୀ ଆଚାର୍ଯ୍ୟ, ଶିଶୁ ଓ ମହିଳା ବିକାଶ ଅଧିକାରୀ ନିୟତୀ ବାଳା ସୋରେନ, ଜିଲ୍ଲା ପରିଷଦ ସଭ୍ୟା ନିବେଦିତା ହଂସ ଓ ସମିତି ଉପାଧ୍ୟକ୍ଷ ଚିନ୍ତାମଣି ବେହେରା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ ।
ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ଡାକ୍ତର ଶିବାଶିଷ ସ୍ୱାଇଁ ଅଧ୍ୟକ୍ଷତା କରିଥିବା ବେଳେ ଗୋଷ୍ଠୀ ଜନ ସ୍ୱାସ୍ଥ୍ୟ ଅଧିକାରୀ ହେମନ୍ତ ଶଗଡିଆ କାର୍ଯ୍ୟକ୍ରମର ପରିଚାଳନା କରିଥିଲେ । କଲମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର ମୃତ୍ୟୁଞ୍ଜୟ ମହାନ୍ତି, ଡାକ୍ତର ଜ୍ୟୋତିକ୍ରିଷ୍ଣା ମାଝୀ ପ୍ରମୁଖ ଲୋକଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇଥିଲେ । ଏହାସହ କଲମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ସମସ୍ତ ଡାକ୍ତର ଓ କର୍ମଚାରୀ, ଆଶା ଓ ଅଙ୍ଗନୱାଡି କର୍ମୀ ମାନେ କାର୍ଯ୍ୟକ୍ରମ ପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ । ଏହାସହ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଏବଂ ମହିଳା ଓ ଶିଶୁ ବିକାଶ ବିଭାଗର ବିଭିନ୍ନ ଷ୍ଟଲ ମାନ ପ୍ରଦର୍ସିତ କରାଯାଇଥିଲା ।
Comments are closed.