www.samajalive.in
Thursday, December 11, 2025
23.1 C
Bhubaneswar

ଫଣିଠୁ ବଳିଗଲା କାଳବୈଶାଖୀ ଦୁଃଖ ; ପୁରୀ ଅନ୍ଧାର, ଭାଙ୍ଗିଲା ବିଜୁଳି ଖୁଣ୍ଟ ଓ ପାଚେରି, ଉଡ଼ିଗଲା ଚାଳଛପର

ପୁରୀ : ସାମୁଦ୍ରିକ ବାତ୍ୟା ଫଣିଠାରୁ ବଳିଯାଇଛି କାଳବୈଶାଖୀ ଦୁଃଖ। ବୁଧବାର ବର୍ଷା ଓ ପବନରେ ପୁଣି ଥରେ ଅନ୍ଧାର ହୋଇଛି ପୁରୀ ସହର। କେତେକ ସ୍ଥାନରେ ବିଜୁଳି ଖୁଣ୍ଟ ଭାଙ୍ଗି ପଡ଼ିଛି। ଶତାଧିକ ଘର ଉପରୁ ଚାଳ ଛପର ଓ ଆଜବେଷ୍ଟସ ଉଡିଯାଇଛି। ଦୁଇଟି ସ୍ଥାନରେ ପ୍ରାଚୀର ଭୁଶୁଡ଼ି ପଡିଛି। ପୁରୀ ଦଇତାପଡ଼ା ସାହି, ମ୍ୟୁନିସିପାଲିଟି ମାର୍କେଟର ୪ଟି ଦୋକାନ ଘର ଉପରୁ ଆଜବେଷ୍ଟସ ଉଡ଼ିଯାଇଛି। ବଡ଼ଦାଣ୍ଡରେ ପଡ଼ିଥିବା ଲୁହା ବାରିକେଡ ସମେତ ଟ୍ରାଫିକ ପୋଷ୍ଟ ଗୁଡ଼ିକ ଓଲଟି ପଡ଼ିଛି। ଭିଆଇପି ରୋଡ ଓ ସମୁଦ୍ର କୂଳରେ ହାଇମାଷ୍ଟ ଲାଇଟ ଭାଙ୍ଗି ଥିବା ଜଣାପଡ଼ିଛି।
ଫଣିରେ ଅଧା ଭାଙ୍ଗିଥିବା ୫୦୦ରୁ ଅଧିକ ଝୁମ୍ପୁଡ଼ି ଘର ବଳିଆ ପଣ୍ଡା, ପେଣ୍ଠକଟା ଏବଂ ବାଙ୍କୀ ମୁହାଣ ବାଲିଉପର ବସ୍ତି ମାଟିରେ ମିଶିଯାଇଛି। ବାତ୍ୟାରେ କ୍ଷତିଗ୍ରସ୍ତ ଘର ଗୁଡ଼ିକ ଉପରେ ପଡ଼ିଥିବା ପଲିଥିନ ପବନରେ ଉଡ଼ିଯାଇଛି। ପୁରୀ ପୌରୋଞ୍ଚଳର ୬୩ ଝୁମ୍ପୁଡ଼ି ବସ୍ତିର ଲୋକଙ୍କ ଦୁର୍ଦଶା ଏବେ ବହୁ ଗୁଣରେ ବଢ଼ିଯାଇଛି। ଘର ଛାତ ମେଲା ପଡ଼ିଥିବାରୁ ସେମାନଙ୍କ ଘରେ ବର୍ଷା ପାଣି ଜମା ହୋଇ ରହିଛି। ୫ ହଜାରରୁ ଅଧିକ ବାତ୍ୟା ବିପନ୍ନ ଅନ୍ଧାର ଓ ବର୍ଷାରେ ବେସାହାର ହୋଇପଡ଼ିଛନ୍ତି।
ବୁଧବାର ରାତିର ବର୍ଷା ଓ ପବନ ଯୋଗୁ ଟେଲିଫୋନ ଓ ବିଦ୍ୟୁତ୍ ସେବା ପୁଣିଥରେ ବାଧାପ୍ରାପ୍ତ ହୋଇଛି। ରାତିରେ ମୁଣ୍ଡ ଗୁଞ୍ଜିବାକୁ ପିଲାଛୁଆଙ୍କୁ ସାଙ୍ଗରେ ଧରି ଝୁମ୍ପୁଡ଼ି ବସ୍ତି ଗୁଡ଼ିକର ଶହ ଶହ ଲୋକ ଏଣେତେଣେ ବୁଲୁଥିବା ଦେଖିବାକୁ ମିଳିଛି। ଅନ୍ଧାର ରାତିରେ କ୍ଷୟକ୍ଷତି ଜାଣିବା ସମ୍ଭବପର ହୋଇନଥିବାରୁ ଅଧିକ ବିଜୁଳି ଖୁଣ୍ଟି ଭାଙ୍ଗିଥିବା ଆଶଙ୍କା କରି ସେସୁ ପକ୍ଷରୁ ବିଦ୍ୟୁତ ସଂଯୋଗ କାଟି ଦିଆଯାଇଛି। ସମଗ୍ର ପୁରୀ ସହର ଅନ୍ଧକାର ହୋଇଥିବାରୁ ସ୍ଥାନୀୟ ଅଧିବାସୀଙ୍କ ସମେତ ପର୍ଯ୍ୟଟକ ଓ ତୀର୍ଥଯାତ୍ରୀ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ବଡ଼ଦାଣ୍ଡ ଓ ସମୁଦ୍ରକୂଳରେ ଥିବା ବହୁ ଉଠାଦୋକାନ ଏବଂ ଠେଲାଗାଡ଼ି ଭାଙ୍ଗିରୁଜି ଯାଇଛି। ବାତ୍ୟା ପରେ ଅଣ୍ଟା ସଳଖିଥିବା ରାସ୍ତା କଡ଼ ବ୍ୟବସାୟୀଙ୍କ ପସରା ପୁଣି ଥରେ ଉଜୁଡ଼ି ଯାଇଛି। ବିଜୁଳି ଓ ଘଡ଼ଘଡ଼ିରେ ମୃତାହତଙ୍କ ସମ୍ପର୍କରେ କୌଣସି ସୂଚନା ମିଳିନାହିଁ। ପବନରେ ପୁରୀ-ବ୍ରହ୍ମଗିରି ରାସ୍ତାର ଗୋଟିଏ ସ୍ଥାନରେ ଗଛଡାଳ ଭାଙ୍ଗି ପଡ଼ିଥିବା ଜଣାପଡ଼ିଛି।

Hot this week

ରାସ୍ତାକଡରେ ପୁଳା ପୁଳା ଔଷଧ: ସ୍ଵାସ୍ଥ୍ୟ ବିଭାଗର ତଦନ୍ତ

ବାଲେଶ୍ଵର: ରାସ୍ତାକଡ଼ରେ ପଡ଼ିଛି ପୁଳା ପୁଳା ସରକାରୀ ମେଡିସିନ୍। ଏଭଳି ଘଟଣା...

ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା: ସ୍ଥିତି ସମୀକ୍ଷା କଲେ ଉପମୁଖ୍ୟମନ୍ତ୍ରୀ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା।...

ଦ୍ବିତୀୟ ଟି୨୦ ଆଜି; ୨-୦ ଲକ୍ଷ୍ୟରେ ଭାରତ

ନ୍ୟୁ ଚଣ୍ଡିଗଡ଼ : ନ୍ୟୁ ଚଣ୍ଡିଗଡ଼ ବା ମୁଲାନ୍‌ପୁର ଷ୍ଟାଡିୟମ୍‌ରେ କୌଣସି...

ରେଳ ଚଳାଚଳ ମାର୍ଗରେ ପୁନଃସଂଶୋଧନ

ଭୁବନେଶ୍ୱର : ଖୋର୍ଦ୍ଧା ରୋଡ ଡିଭିଜନ ଅନ୍ତର୍ଗତ ରାଜ ଆଠଗଡ଼ ଏବଂ...

ଗୃହରୁ ମିଳିଥିବା ୧୬,୫୦୦ ଟଙ୍କା ନେବାକୁ ହାତ ଟେକିଲେ ୧୨ ସଦସ୍ୟ

ପାକିସ୍ତାନ ନ୍ୟାସନାଲ ଆସେମ୍ବ୍ଲିରେ ଲଜ୍ଜାକର ଘଟଣା ଇସଲାମାବାଦ : ପାକିସ୍ତାନ ନ୍ୟାସନାଲ ଆସେମ୍ବ୍ଲିରେ...

Related Articles

Popular Categories