ନୂଆଦିଲ୍ଲୀ: ମଙ୍ଗଳବାର ଲୋକସଭାରେ ଜାମ୍ମୁ କାଶ୍ମୀର ପୁନର୍ଗଠନ ବିଧେୟକ ୨୦୧୯ ଆଗତ କରି ଗୃହ ମନ୍ତ୍ରୀ ଅମିତ ଶାହା କହିଛନ୍ତି, ମୁଁ ଯେବେ ଜାମ୍ମୁ କାଶ୍ମୀର ଉଚ୍ଚାରଣ କରେ ସେଥିରେ ପାକ ଅଧିକୃତ କାଶ୍ମୀର ଓ ଅକସାଇ ଚୀନ ସାମିଲ ଥାଏ। ଏଭଳି ମନ୍ତବ୍ୟ ଶୁଣିବା ପରେ ବିରୋଧୀ ସଦସ୍ୟମାନେ ହୋ ହାଲ୍ଲା କରିଥିଲେ ଓ କହିଥିଲେ ଯେ ଗୃହ ମନ୍ତ୍ରୀ ଆକ୍ରମଣାତ୍ମକ ହେଉଛନ୍ତି। ଶାହା କହିଥିଲେ, ସଦସ୍ୟମାନେ କଣ ପାକ ଅଧିକୃତ କାଶ୍ମୀରକୁ ଜାମ୍ମୁ କାଶ୍ମୀରର ଅଂଶ ଭାବେ ବିବେଚନା କରୁନାହାନ୍ତି।
ସେ କହିଥିଲେ, ପ୍ରସ୍ତାବିତ ଜାମ୍ମୁ କାଶ୍ମୀର କେନ୍ଦ୍ର ଶାସିତ ଅଞ୍ଚଳ ପାଇଁ ଲୋକସଭାକୁ ୫ଟି ଆସନ ଓ ଲାଦଖ ପାଇଁ ଗୋଟିଏ ଆସନ ଦିଆଯିବ। ଜାମ୍ମୁ କାଶ୍ମୀର ବିଧାନସଭାରେ ୧୦୭ଟି ଆସନ ପାଇଁ ପ୍ରତ୍ୟେକ୍ଷ ନିର୍ବାଚନ ବ୍ୟବସ୍ତା ରହିବ। କିନ୍ତୁ ପାକ ଅଧିକୃତ କାଶ୍ମୀରର ଭୂ-ଭାଗ କେନ୍ଦ୍ର ଶାସିତ ଅଞ୍ଚଳ ଅଧୀନକୁ ନ ଆସିବା ପର୍ଯ୍ୟନ୍ତ ବିଧାନସଭାରେ ୨୪ଟି ଆସନ ଖାଲି ରହିବ ବୋଲି ଅମିତ କହିଥିଲେ।



