ଜମ୍ମୁ: ଜମ୍ମୁ ଓ କାଶ୍ମୀରରେ ଜମ୍ମୁ ଡିଭିଜନ୍ରୁ କଟକଣା ସମ୍ପୂର୍ଣ୍ଣ ରୂପେ ପ୍ରତ୍ୟାହାର କରି ନିଆଯିବା ସହ ପରିସ୍ଥିତିରେ ଯଥେଷ୍ଟ ଉନ୍ନତି ପରିଲକ୍ଷିତ ହୋଇଛି। ତେବେ କାଶ୍ମୀର ଉପତ୍ୟକାର କିଛି ସ୍ଥାନରେ କିଛି କଟକଣା ବଳବତ୍ତର ରହିଛି। ଜମ୍ମୁ-କାଶ୍ମୀର ସରକାରଙ୍କ ମୁଖପାତ୍ର ରୋହିତ କଂସଲ ଆଜି ଶ୍ରୀନଗରରେ ଏକ ସାମ୍ବାଦିକ ସମ୍ମିଳନୀରେ ଏହା ଜଣାଇଛନ୍ତି। ସେ କହିଛନ୍ତି, ସମଗ୍ର ରାଜ୍ୟରେ ସ୍ୱାଧୀନତା ଦିବସ ପାଳନ ପାଇଁ ସମସ୍ତ ପ୍ରସ୍ତୁତି ସମ୍ପୂର୍ଣ୍ଣ ହୋଇଛି।
ଜମ୍ମୁ ଓ କାଶ୍ମୀର ପୁଲିସ୍ ଅତିରିକ୍ତ ମହାନିର୍ଦ୍ଦେଶକ ମୁନୀର୍ ଖାଁ କହିଛନ୍ତି, କଟକଣା ପ୍ରତ୍ୟାହାର ହେବା ପରେ ଜମ୍ମୁ ଡିଭିଜନରେ ସମସ୍ତ ସ୍କୁଲ୍ ଓ ଅନ୍ୟାନ୍ୟ ପ୍ରତିଷ୍ଠାନ ସ୍ୱାଭାବିକ ଭାବେ କାର୍ଯ୍ୟ କରୁଛି। ରାଜ୍ୟର ଆଇନ ଶୃଙ୍ଖଳା ଦାୟିତ୍ୱରେ ଥିବା ମୁନୀର୍ ସେଠାରେ ଉପସ୍ଥିତ ଥିଲେ। ସେ କହିଛନ୍ତି, କାଶ୍ମୀରର କିଛି ସ୍ଥାନରେ ଯଦିଓ କଟକଣା ବଳବତ୍ତର ରହିଛି, ତେବେ ସାମୂହିକ ଭାବେ କଟକଣା ଲାଗୁ କରାଯାଇ ନାହିଁ। ସେ କହିଛନ୍ତି, ସୁଚାରୁରୂପେ ସ୍ୱାଧୀନତା ଦିବସ ଉତ୍ସବ ପାଳନ କରିବା ଉପରେ ବର୍ତ୍ତମାନ ସମସ୍ତ ଧ୍ୟାନ କେନ୍ଦ୍ରୀଭୂତ କରାଯାଇଛି।



