ସମାଜ ଡିଜିଟାଲ ଡେସ୍କ: ଶ୍ରୀଜୀଉମାନଙ୍କ ଅଳଙ୍କାର ରତ୍ନଭଣ୍ଡାରକୁ ସ୍ଥାନାନ୍ତରଣ ପ୍ରକ୍ରିୟା ମଙ୍ଗଳବାର ଶେଷ ହୋଇଛି। ମୋଟ ୬ଟି ଆଲମିରା ଏବଂ ୬ଟି ପ୍ୟାକେଟରେ ସମସ୍ତ ଅଳଙ୍କାରକୁ ବନ୍ଦ ଅବସ୍ଥାରେ ସ୍ଥାନାନ୍ତର କରାଯାଇ ରତ୍ନଭଣ୍ଡାରରେ ରଖାଯାଇଛି। ଏହା ପରେ ମାଜିଷ୍ଟ୍ରେଟ ତଥା ଜିଲାପାଳଙ୍କ ଉପସ୍ଥିତିରେ ରତ୍ନଭଣ୍ଡାରରେ ତାଲା ପକାଯାଇଛି। ତେବେ ରତ୍ନ ଅଳଙ୍କାର ଗଣତି ମଣତି ହୋଇନାହିଁ। ଗଣତି ମଣତି ନେଇ ରାଜ୍ୟ ସରକାର ନିଷ୍ପତ୍ତି ନେବେ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।
ରତ୍ନ ଅଳଙ୍କାର ସ୍ଥାନାନ୍ତର ସମୟରେ ଶ୍ରୀମନ୍ଦିରରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା। ଜଗମୋହନ ଏବଂ ନାଟମଣ୍ଡପ ଶୋଧ କରାଯାଇଥିଲା। ନିର୍ଦ୍ଧାରିତ ସମୟ ପୂର୍ବାହ୍ନ ୧୦ଟା ୬୬ରେ ରତ୍ନଭଣ୍ଡାର ଚାବି ଖୋଲାଯାଇଥିଲା। ରତ୍ନ ସ୍ଥାନାନ୍ତର କରିବାକୁ ୪ ଘଣ୍ଟା ସମୟ ଲାଗିଥିଲା। ଏହି ସମୟରେ ଏସଓପି ଅନୁସାରେ ଭିଡିଓଗ୍ରାଫି କରାଯାଇଥିଲା ବୋଲି ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ସୂଚନା ଦେଇଛନ୍ତି।
ସ୍ଥାନାନ୍ତରଣ ପ୍ରକ୍ରିୟା ସମୟରେ ରତ୍ନଭଣ୍ଡାର ତଦାରଖ କମିଟି ଅଧ୍ୟକ୍ଷ ଏବଂ ଶ୍ରୀମନ୍ଦିର ପ୍ରଶାସକଙ୍କ ସମେତ ଅନ୍ୟ ଟିମ୍ ସଦସ୍ୟମାନେ ଉପସ୍ଥିତ ରହିଥିଲେ। ଶ୍ରୀମନ୍ଦିରରେ ସର୍ବସାଧାରଣ ଦର୍ଶନ ବନ୍ଦ ରଖାଯାଇଥିଲା।



