ନୂଆଦିଲ୍ଲୀ: ଚନ୍ଦ୍ରଯାନ-୨ର ଲ୍ୟାଣ୍ଡର ବିକ୍ରମ ଚନ୍ଦ୍ରପୃଷ୍ଠରେ ପହଞ୍ଚିବା ପୂର୍ବରୁ ନିଖୋଜ ହୋଇଯାଇଛି ସତ, କିନ୍ତୁ ଇସ୍ରୋର ସାହସକୁ ସାରା ବିଶ୍ଵ ପ୍ରଶଂସା କରିଛି। ତେବେ ଇସ୍ରୋର ବୈଜ୍ଞାନିକମାନେ ନିରାଶ ନ ହୋଇ ବର୍ତ୍ତମାନ ଆଉ ଏକ ବଡ଼ ‘ମୁନ୍ ମିଶନ’ର ପ୍ରସ୍ତୁତି ଚଳାଇଛନ୍ତି। ଇସ୍ରୋର ଆଗାମୀ ମିଶନ ପୂର୍ବ ତୁଳନାରେ ଉନ୍ନତ ଏବଂ ବଡ଼ ମିଶନ ହେବ ବୋଲି ଜଣାପଡ଼ିଛି। ଏହି ମିଶନରେ ଇସ୍ରୋ ଚନ୍ଦ୍ରର ମେରୁ ଅଞ୍ଚଳରୁ ନମୁନା ସଂଗ୍ରହ କରି ଆଣିବ ବୋଲି କୁହାଯାଉଛି।
ଚନ୍ଦ୍ରର ମେରୁ ଅଞ୍ଚଳରେ ଗବେଷଣା କରିବା ଲାଗି ଉଦ୍ଦିଷ୍ଟ ଏହି ମିଶନକୁ ଇସ୍ରୋ ଜାପାନ ଏରୋସ୍ପେସ୍ ଏକ୍ସପ୍ଲୋରେଶନ ଏଜେନ୍ସୀ(ଜାକ୍ସା) ସହିତ ଭାଗିଦାରିତାରେ କରିବ। ଇସ୍ରୋ ପକ୍ଷରୁ ଏକ ବିବୃତିରେ କୁହାଯାଇଛି ଯେ, ଇସ୍ରୋ ଏବଂ ଜାକ୍ସାର ବୈଜ୍ଞାନିକମାନେ ଚନ୍ଦ୍ରର ମେରୁ ଅଞ୍ଚଳରେ ଗବେଷଣା କରିବା ପାଇଁ ଏକ ମିଳିତ ସାଟେଲାଇଟ ମିଶନ ଉପରେ କାମ କରିବାର ସମ୍ଭାବନା ରହିଛି। ଏହା ଉପରେ ଆଲୋଚନା ଚାଲିଛି।
ଇସ୍ରୋ ଏବଂ ଜାକ୍ସାର ମିଳିତ ମିଶନକୁ ୨୦୨୪ରେ ଲାଗୁ କରାଯିବ। ଏହା ପୂର୍ବରୁ ୨୦୨୨ରେ ଭରତର ପ୍ରସ୍ତାବିତ ଗଗନୟାନ ମିଶନ ରହିଛି, ଯେଉଁଥିରେ ୩ ଜଣ ମହାକାଶଚାରୀଙ୍କୁ ମହାକାଶକୁ ପଠାଯିବ। ପ୍ରଥମ ଥର ଲାଗି ଭାରତ ଏବଂ ଜାପାନ ମଧ୍ୟରେ ମିଳିତ ମୁନ ମିଶନକୁ ନେଇ ୨୦୧୭ରେ ସାର୍ବଜନୀନ ସ୍ତରରେ ଆଲୋଚନା ହୋଇଥିଲା। ୨୦୧୮ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜାପାନ ଗସ୍ତ କରିବା ସମୟରେ ଏ ସମ୍ପର୍କରେ ମଧ୍ୟ ଆଲୋଚନା କରିଥିଲେ।



