www.samajalive.in
Sunday, December 7, 2025
26.1 C
Bhubaneswar

ଅଲ୍‌ ସିଫା ହସ୍ପିଟାଲକୁ ନିଶାଣ କଲା ଇସ୍ରାଏଲ

ତେଲ ଆବିଭ୍‌ : ହମାସ ଆତଙ୍କବାଦୀଙ୍କୁ ସମୂଳେ ନିପାତ କରିବା ଲାଗି ଇସ୍ରାଏଲ ସେନା ଚଳାଇଥିବା ଯୁଦ୍ଧର ନିଶାଣରେ ଏବେ ଗାଜାର ଅଲ୍‌ ସିଫା ହସ୍ପିଟାଲ ରହିଛି। ଅଲ୍‌ ସିଫା ହସ୍ପିଟାଲ ପରିସରରୁ ହମାସ ଆତଙ୍କବାଦୀମାନେ ସେମାନଙ୍କ ଅଭିଯାନ ଚଳାଇଥିବାବେଳେ ବୁଧବାର ସକାଳେ ଏହା ମଧ୍ୟକୁ ଇସ୍ରାଏଲ ସେନା ପ୍ରବେଶ କରିଛନ୍ତି। ଏପରିକି ଇସ୍ରାଏଲ ସେନାର ଟ୍ୟାଙ୍କ ମଧ୍ୟ ହସ୍ପିଟାଲ ମଧ୍ୟରେ ପ୍ରବେଶ କରିଛି। ଇସ୍ରାଏଲ ସେନାର ଏହି ଅଭିଯାନରେ ଅନେକ ହମାସ ଆତଙ୍କବାଦୀ ପ୍ରାଣ ହରାଇଛନ୍ତି। ତେଣୁ ଅଲ ସିଫା ହସ୍ପିଟାଲ ଏବେ ଯୁଦ୍ଧର ମୁଖ୍ୟ ରଣଭୂମି ପାଲଟିଛି। ଯୁଦ୍ଧ ଆରମ୍ଭରୁ ଏହି ହସ୍ପିଟାଲ ମଧ୍ୟରେ ହଜାର ହଜାର ପାଲେଷ୍ଟାଇନ ନାଗରିକ ଆଶ୍ରୟ ନେଇଥିଲେ। ଏହା ସହିତ ଏଠାରେ ଆହତ ଲୋକଙ୍କୁ ଚିକିତ୍ସା କରାଯାଉଥିଲା। ମାତ୍ର ଏହି ହସ୍ପିଟାଲର ଭୂତଳ କୋଠା ମଧ୍ୟରେ ହମାସ ଆତଙ୍କବାଦୀମାନେ ସେମାନଙ୍କ ସମସ୍ତ ଯୋଜନାକୁ ଏଠାରେ କାର୍ଯ୍ୟକାରୀ କରିଆସୁଥିଲେ। ଏହା ଜାଣିବା ପରେ ଇସ୍ରାଏଲ ସେନା ଏଠାରେ ଆକ୍ରମଣ କରିଛି। ହସ୍ପିଟାଲ ପରିସରରେ ହମାସ ଆତଙ୍କବାଦୀମାନେ ସାମରିକ ଅଭିଯାନର ନିୟନ୍ତ୍ରଣ କକ୍ଷ ଚଳାଇଥିବା ନେଇ ଇସ୍ରାଏଲ କରିଥିବା ଅଭିଯୋଗକୁ ଏହି ଆତଙ୍କବାଦୀ ସଂଗଠନ ଖଣ୍ଡନ କରିଛି।
ଇସ୍ରାଏଲ ସେନାର ମୁଖପାତ୍ର ତଥା ରିୟର ଆଡମିରାଲ ଡାନିଏଲ ହଗରି କହିଛନ୍ତି ଯେ ହମାସ ଆତଙ୍କବାଦୀଙ୍କ ସମସ୍ତ ସୁଡଙ୍ଗ ଏହି ହସ୍ପିଟାଲ ସହିତ ସଂଯୁକ୍ତ। ଏଠାରେ ପଣବନ୍ଦୀମାନଙ୍କୁ ରଖାଯାଇଛି। ତେବେ ଇସ୍ରାଏଲ ସେନା ହସ୍ପିଟାଲ ପରିସରର ନିର୍ଦିଷ୍ଟ ଅଞ୍ଚଳକୁ ଟାର୍ଗେଟ କରିଛି। ହସ୍ପିଟାଲରେ ଥିବା ରୋଗୀ ଓ ଶରଣାର୍ଥୀ ଯେପରି କ୍ଷତିଗ୍ରସ୍ତ ନ ହେବେ ତାକୁ ଗୁରୁତ୍ବ ଦିଆଯାଉଛି। ଡାନିଏଲ କହିଛନ୍ତି ଯେ ଇସ୍ରାଏଲ ହମାସ ଆତଙ୍କବାଦୀଙ୍କ ସହିତ ଯୁଦ୍ଧ ଚଳାଇଛି। ତେଣୁ ଏଥିରେ ସାଧାରଣ ଲୋକଙ୍କୁ ନିଶାଣ କରାଯିବାର ନାହିଁ। ତେବେ ହମାସ ଆତଙ୍କବାଦୀଙ୍କ ପକ୍ଷରୁ କୁହାଯାଇଛି ଯେ ହସ୍ପିଟାଲ ମଧ୍ୟରେ ୬୫୦ଜଣ ରୋଗୀ ଏବେ ଚିକିତ୍ସିତ ହେଉଛନ୍ତି। ଏହା ସହିତ ଏଠାରେ ୫ରୁ ୭ହଜାର ସାଧାରଣ ନାଗରିକ ଆଶ୍ରୟ ନେଇଛନ୍ତି। ହସ୍ପିଟାଲ ମଧ୍ୟକୁ ଇନ୍ଧନ, ପାଣି ଓ ଖାଦ୍ୟ ଯୋଗାଣ ବନ୍ଦ ରହିଥିବାରୁ ଲୋକଙ୍କ ଅବସ୍ଥା ଶୋଚନୀୟ ହେବାରେ ଲାଗିଛି। ସାମରିକ ଅଭିଯାନ ପରେ ଇସ୍ରାଏଲ ସେନା ହସ୍ପିଟାଲ ପରିସରରୁ ଅସ୍ତ୍ରଶସ୍ତ୍ର ଜବତ କରିଛି। ଇସ୍ରାଏଲର ବରିଷ୍ଠ ସେନା ଅଧିକାରୀ ବୁଧବାର କହିଛନ୍ତି ଯେ ହସ୍ପିଟାଲ ମଧ୍ୟରୁ ଯେଉଁ ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି ତାର ସବିଶେଷ ତଥ୍ୟ ଓ ଫଟୋ ଆଗାମୀ ଦିନରେ ଉପସ୍ଥାପନ କରାଯିବ। ହସ୍ପିଟାଲ ମଧ୍ୟରେ ରୋଗୀ ଓ କର୍ମଚାରୀଙ୍କ ସହିତ ଇସ୍ରାଏଲ ସେନାର କୌଣସି ପ୍ରକାର ସଂଘର୍ଷ ହୋଇ ନାହିଁ।
ଇସ୍ରାଏଲ ଓ ହମାସ ମଧ୍ୟରେ ଚାଲିଥିବା ଯୁଦ୍ଧ ବୁଧବାର ୪୦ଦିନରେ ପହଞ୍ଚିଥିବାବେଳେ ଯୁଦ୍ଧ ବନ୍ଦ କରିବା ଲାଗି ଜାତିସଂଘ ପକ୍ଷରୁ ପୁନର୍ବାର ନିବେଦନ କରାଯାଇଛି। ଜାତିସଂଘ ମାନବିକ ସହାୟକ ସଂଗଠନ ମୁଖ୍ୟ ମାର୍ଟିନ ଗ୍ରିଫଥ କହିଛନ୍ତି ଯେ ଗାଜାର ଅଲ ସିଫା ହସ୍ପିଟାଲ ଉପରେ ଇସ୍ରାଏଲ ସେନାର ଆକ୍ରମଣ ବନ୍ଦ ହେବା ଦରକାର। ଏହି ଆକ୍ରମଣ ଯୋଗୁଁ ନିରୀହ ଶିଶୁ ପ୍ରାଣ ହରାଉଛନ୍ତି।

Hot this week

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

Related Articles

Popular Categories