୧୨୨ରୁ ୧୧୯ ଆଇପିଏସ୍‍ ଅଫିସର କ୍ୟାଡର ପରୀକ୍ଷାରେ ଫେଲ୍‍

0

ହାଇଦ୍ରାବାଦ୍‍: ୨୦୧୬ ବ୍ୟାଚ୍‍ର ୧୨୨ ଜଣ ଆଇପିଏସ୍‍ଙ୍କ ମଧ୍ୟରୁ ୧୧୯ ଜଣ କ୍ୟାଡର ପରୀକ୍ଷାରେ ଫେଲ୍‍ ହୋଇଛନ୍ତି। ସ୍ଥାନୀୟ ସର୍ଦ୍ଦାର ବଲ୍ଲଭଭାଇ ପଟେଲ୍‍ ନ୍ୟାଶ୍‍ନାଲ୍‍ ପୁଲିସ ଏକାଡେମୀରେ ୧୪ ଜଣ ବିଦେଶୀଙ୍କ ସମେତ ମୋଟ ୧୩୬ ଜଣ ଆଇପିଏସ୍‍ ପାଇଁ ଯୋଗ୍ୟତା ଅର୍ଜନ କରିଥିବା ପରୀକ୍ଷାର୍ଥୀ ତାଲିମ୍‍ ନେଉଥିଲେ। ସେମାନଙ୍କ ମଧ୍ୟରୁ ୧୨୨ ଜଣ ପରୀକ୍ଷା ଦେଇଥିବା ବେଳେ ୧୧୯ ଜଣ ଗୋଟିଏ କିମ୍ବା ଏକାଧିକ ବିଷୟରେ ଫେଲ୍‍ ହୋଇଥିବା ଜଣାପଡ଼ିଛି। ବିଦେଶର ସମସ୍ତ ୧୪ଜଣ ଅଧିକାରୀ ଫେଲ୍‍ ହୋଇଛନ୍ତି। ତଥାପି ସେମାନଙ୍କୁ କ୍ୟାଡର ସହିତ ନିଯୁକ୍ତି ପାଇଁ ଅନୁମତି ଦିଆଯାଇଛି।
ଅଧିକାଂଶ ଆଇପିଏସ୍‍ ଭାରତୀୟ ଦଣ୍ଡ ବିଧି ଆଇନ ଓ ଅପରାଧ ବିଧି ଆଇନ ବିଷୟରେ ଫେଲ୍‍ ହୋଇଥିବା ଜଣାପଡ଼ିଛି। ଫେଲ୍‍ ଅଧିକାରୀଙ୍କ ମଧ୍ୟରେ ଦୁଇଜଣ ଅଧିକାରୀ ପାସିଙ୍ଗ ଆଉଟ୍‍ ପ୍ୟାରେଡ୍‍ରେ ପଦକ ଜିତିଥିଲେ।
୪୫ସପ୍ତାହର ତାଲିମ୍‍ ପରେ ଦୁଇଟି ପର୍ଯ୍ୟାୟରେ ପରୀକ୍ଷା ଅନୁଷ୍ଠିତ ହୁଏ। ଆଇପିସି, ସିଆରପିିସି, ଫୋରେନ୍ସିକ୍‍ ସାଇନ୍ସ, ଫୋରେନ୍ସିକ ମେଡିସିନ୍‍, ଅସ୍ତ୍ର ଚାଳନା, ସନ୍ତରଣ, ଘୋଡ଼ା ଚଢ଼ା, ଯୋଗ, ଯୁଦ୍ଧ କୌଶଳ ଓ ଡ୍ରିଲ୍‍ ପରି ବିଭାଗରେ ପରୀକ୍ଷା ହୁଏ। ପ୍ରଥମେ ଅବଜେକ୍ଟିଭ୍‍ ଓ ପରେ ସବ୍‍ଜେକ୍ଟିଭ୍‍ ପରୀକ୍ଷା ଅନୁଷ୍ଠିତ ହୁଏ। ତାଲିମପ୍ରାପ୍ତ ଅଧିକାରୀମାନେ ସର୍ବାଧିକ ତିନିଥର ପରୀକ୍ଷା ଦେଇପାରିବେ। ତିନିଥରରେ ପାସ୍‍ ନ ହେଲେ ସେମାନଙ୍କୁ ଚାକିରିରୁ ଅବ୍ୟାହତି ଦେବାର ବ୍ୟବସ୍ଥା ରହିଛି ।

kalyan agarbati
Leave A Reply